ବିମାନ ଓ ଯାତ୍ରୀମାନଙ୍କୁ ଛାଡ଼ିଦେଇ ବିମାନରୁ ଓହ୍ଲାଇଗଲେ ଇଣ୍ଡିଗୋ ପାଇଲଟ୍‌, ଉତ୍ୟକ୍ତ ଯାତ୍ରୀ କଲେ ବିକ୍ଷୋଭ ପ୍ରଦର୍ଶନ

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଗୌହାଟି ଅଭିମୁଖେ ଉଡ଼ାଣ ଭରିବାକୁ ଥିବା ଏକ ଇଣ୍ଡିଗୋ ବିମାନର ଉଡ଼ାଣରେ ଦୀର୍ଘ ୫ ଘଣ୍ଟା ବିଳମ୍ବ ଘଟିବା ଓ ସଂପୃକ୍ତ ବିମାନର ପାଇଲଟ୍‌ ବିମାନ ଓ ତା’ମଧ୍ୟରେ ବସିଥିବା ଯାତ୍ରୀମାନଙ୍କୁ ରନ୍‌େଓ୍ଵ ଉପରେ ଛାଡ଼ିଦେଇ ପଳାଇଯିବା ଘଟଣାରେ ଉତ୍‌କ୍ଷିପ୍ତ ହୋଇ ଯାତ୍ରୀମାନେ ବିମାନରୁ ଓହ୍ଲାଇ ରନ୍‌େଓ୍ଵ ଉପରେ ବିରୋଧ ପ୍ରଦର୍ଶନ କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ନୂଆଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଇଣ୍ଡିଗୋର ୬ଇ ୬୯୪ ନମ୍ବର ବିଶିଷ୍ଟ ବିମାନଟି ଗତକାଲି ସନ୍ଧ୍ୟା ୬ଟା ୩୦ରେ ଉଡ଼ାଣ ଭରିବାର ଥିଲା। ଏହି ବିମାନରେ ଯାତ୍ରା କରିବାକୁ ଥିବା ଯାତ୍ରୀମାନେ ବିମାନ ଭିତରେ ବସି ସାରିଥିଲେ। ତେବେ, ବିମାନଟି ଉଡ଼ାଣ ଆରମ୍ଭ କରିବାର ଠିକ୍‌ ପୂର୍ବରୁ ଦିଲ୍ଲୀରେ ହଠାତ୍‌ କାଳବୈଶାଖୀ ପ୍ରଭାବରେ ପାଗ ଖରାପ ହୋଇ ପଡ଼ିବା କାରଣରୁ ଦିଲ୍ଲୀ ବିମାନ ବନ୍ଦରର ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ (ଏଟିସି) ନୂଆଦିଲ୍ଲୀ ବିମାନ ବନ୍ଦରରୁ ସମସ୍ତ ବିମାନ ବନ୍ଦରର ଉଡ଼ାଣ ଓ ଅବତରଣକୁ ସାମୟିକ ଭାବେ ବନ୍ଦ କରି ଦେଇଥିଲେ। ତେବେ, ଦୁଇଘଣ୍ଟା ପରେ ପାଗ ଠିକ୍‌ ହେଲା, ବିମାନ ବନ୍ଦରରେ ବିମାନଗୁଡ଼ିକର ଉଡ଼ାଣ ଓ ଅବତରଣ ସ୍ୱାଭାବିକ ହେଲା। କିନ୍ତୁ, ଗୌହାଟି ଅଭିମୁଖେ ଉଡ଼ାଣ ଭରିବାକୁ ଥିବା ବିମାନଟି ଆଉ ତା’ର ଯାତ୍ରା ଆରମ୍ଭ କଲା ନାହିଁ।

ଦୀର୍ଘ ପ୍ରତୀକ୍ଷା ପରେ ଯାତ୍ରୀମାନେ ଯାଇ ଯେତେବେଳେ ଘଟଣା ସଂପର୍କରେ ଅନୁସନ୍ଧାନ କଲେ, ସେତେବେଳେ ସେମାନେ ଜାଣିବାକୁ ପାଇଲେ ଯେ ସେମାନଙ୍କ ବିମାନର ପାଇଲଟଙ୍କ ଡ୍ୟୁଟି ସମୟ ସରିଯିବାରୁ ସେ ବିମାନ ସମେତ ଯାତ୍ରୀମାନଙ୍କୁ ଛାଡ଼ି ଚାଲି ଯାଇଛନ୍ତି। ଏଘଟଣା ଜାଣିବା ପରେ ଉତ୍‌କ୍ଷିପ୍ତ ହୋଇ ବିମାନରେ ସବାର ଥିବା ସମସ୍ତ ଯାତ୍ରୀ ବିମାନ ତଳକୁ ଓହ୍ଲାଇ ଆସିବା ସହ ରନ୍‌େଓ୍ଵ ଉପରେ ପ୍ରତିବାଦ ପ୍ରଦର୍ଶନ କରିଥିଲେ। ଫଳରେ ରନ୍‌େଓ୍ଵ ଉପର ଦେଇ ବିମାନଗୁଡ଼ିକର ଯାତାୟାତରେ ବାଧା ସୃଷ୍ଟି ହୋଇଥିଲା। ଘଟଣା ସଂପର୍କରେ ଖବର ପାଇ ବିମାନ ବନ୍ଦରର ସୁରକ୍ଷା କର୍ମୀମାନେ ଯାତ୍ରୀମାନଙ୍କୁ ବୁଝାଶୁଝା କରିବା ସହ ଆଉଥରେ ନେଇ ବିମାନ ଭିତରେ ବସାଇ ଥିଲେ ଏବଂ ଅନ୍ୟ ଜଣେ ପାଇଲଟ ଆସି ରାତି ୧୧ଟା ୪୫ ମିନିଟରେ ବିମାନଟିକୁ ଗୌହାଟି ଅଭିମୁଖେ ଆଣିଥିଲେ।

ସମ୍ବନ୍ଧିତ ଖବର