କ୍ଷମା ମାଗିଲା ହାଇଦ୍ରାବାଦ ଏୟାର୍‌ପୋର୍ଟରେ ସିଏଟି ଚେୟାର୍‌ମ୍ୟାନ୍‌ଙ୍କୁ ଛାଡ଼ି ଚାଲିଯାଇଥିବା ଇଣ୍ଡିଗୋ ବିମାନ

ହାଇଦ୍ରାବାଦ: ପାଟନା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ତଥା ସମ୍ପ୍ରତି ସେଣ୍ଟ୍ରାଲ୍‌ ଆଡ୍‌ମିନିଷ୍ଟ୍ରାଟିଭ୍‌ ଟ୍ରାଇବୁନାଲ୍‌ର (ସିଏଟି) ଅଧ୍ୟକ୍ଷ ଜଷ୍ଟିସ୍‌ ଏଲ୍‌. ନରସିଂହ ରେଡ୍ଡୀଙ୍କୁ ହାଇଦ୍ରାବାଦ ବିମାନ ବନ୍ଦରରେ ଗୋଟିଏ ଇଣ୍ଡିଗୋ ବିମାନ ଛାଡ଼ି ଚାଲି ଯାଇଥିବା ଅଭିଯୋଗ ହୋଇଛି।

ଜଷ୍ଟିସ୍‌ ରେଡ୍ଡୀ କହୁଛନ୍ତି କି, ଯାତ୍ରାକରିବାକୁ ପାସ୍‌ ଥାଇ ମଧ୍ୟ ତାଙ୍କୁ ଇଣ୍ଡିଗୋ ବିମାନ ମଧ୍ୟକୁ ଛଡ଼ା ଯାଇ ନ ଥିଲା।

ସୋମବାର ଦିନ ଗୋଟିଏ ଇଣ୍ଡିଗୋ ବେଙ୍ଗାଲୁରୁକୁ ଯିବା ନିମନ୍ତେ ରେଡ୍ଡୀ ବାହାରିଥିବା ବେଳେ ଘଟନାଟି ଘଟିଥିଲା।

ପରେ ଏଥି ନିମନ୍ତେ ଇଣ୍ଡିଗୋ ଏୟାର୍‌ଲାଇନ୍‌ସ୍‌ କ୍ଷମା ଯାଚନା କରିଛି।

ଏୟାର୍‌ଲାଇନ୍‌ସ୍‌ ଏକ ବିବୃତିରେ କହିଛି: ଆମେ ଜଷ୍ଟିସ୍‌ ରେଡ୍ଡୀଙ୍କ ସହ ଯୋଗାଯୋଗ କରି କ୍ଷମା ଯାଚନା କରିଛୁ। ଗ୍ରାହକମାନଙ୍କୁ ସସମ୍ମାନ ଓ ଅବାଧ ସେବା ଯୋଗାଇ ଦେବାକୁ ଆମେ ବଦ୍ଧପରିକର। ଏଇ ପରିସ୍ଥିତିରେ ଆମେ ଆମର ମାନ ରକ୍ଷା କରି ନ ପାରିଥିବାରୁ ଗଭୀର ଦୁଃଖ ପ୍ରକାଶ କରୁଛୁ। ଭବିଷ୍ୟତରେ ଏଭଳି ନ ଘଟିବାକୁ ଆମେ ଆମର ପ୍ରକ୍ରିୟା ସମୀକ୍ଷା କରୁଛୁ।

ରେଡ୍ଡୀ ଆହୁରି ଅଭିଯୋଗ କରିଛନ୍ତି ଯେ ବେଙ୍ଗାଲୁରୁ ଠାରୁ ହୁବ୍‌ଲି ଯାତ୍ରା ନିମନ୍ତେ ସଂଯୋଗକାରୀ ବିମାନ ପାଇଁ ଏୟାର୍‌ଲାଇନ୍‌ ନିର୍ବିଚାରରେ ତାଙ୍କ ଟିକିଟ୍‌ କ୍ୟାନ୍‌ସଲ୍‌ କରିଦେଲା। ନିର୍ଦ୍ଦିଷ୍ଟ କେତେକ ମାମଲାର ତଦନ୍ତ ନିମନ୍ତେ କେନ୍ଦ୍ର ସରକାର କରିଥିବା ଏକ କମିଟିର ବୈଠକରେ ଯୋଗ ଦେବାକୁ ସେ ଯାଉଥିଲେ।

ସେ କହିଛନ୍ତି: ସୋମବାର ୦୪୫ରେ ମୋ ବିମାନ ଛାଡ଼ିବାକୁ ନିର୍ଦ୍ଧାରିତ ହୋଇଥିଲା। ୦୪୧୦ ବେଳେ ମୁଁ ସିକ୍ୟୁରିଟି ପ୍ରୋସେସ୍‌ ସାରି ଭିଆଇପି ଲାଉଞ୍ଜ୍‌କୁ ଯାଇଥିଲି। ବୋର୍ଡିଙ୍ଗ୍‌ ଘୋଷଣା କରାଯିବା ବେଳେ ମୁଁ ଗୋଟାଏ ପାଣି ବୋତଲ କିଣୁଥିଲି।

ସେ କହିବା ଅନୁସାରେ, ବିମାନ ଆରୋହଣ ନିମନ୍ତେ ତୁରନ୍ତ ଏୟାର୍‌ଲାଇନ୍‌ ଚୂଡ଼ାନ୍ତ ଘୋଷଣା କଲା, ସେତେବେଳକୁ ମୁଁ ବୋର୍ଡିଙ୍ଗ୍‌ ଗେଟ୍‌ରେ ପହଞ୍ଚି ସାରିଥିଲି। କିନ୍ତୁ, ତାହା ବନ୍ଦ ହୋଇ ସାରିଥିଲା।

ସେ କହନ୍ତି: ମୁଁ ସେମାନଙ୍କୁ ଅନୁରୋଧ କଲି, କିନ୍ତୁ ସେମାନେ ଦାମ୍ଭିକତା ଦେଖାଇ ମୋତେ ବିମାନ ଚଢ଼ିବାକୁ ଛାଡ଼ିଲେ ନାହିଁ।

ଯଦି ସବୁ ଯାତ୍ରୀ ବସି ସାରିଥାଆନ୍ତି ତେବେ ବିମାନ ନିର୍ଦ୍ଧାରିତ ସମୟ ପୂର୍ବରୁ ଉଡ଼ାଣ ଆରମ୍ଭ କରି ପାରିବ। କିନ୍ତୁ, ଏଥିରେ ସବୁ ଯାତ୍ରୀଙ୍କୁ ନ ନେଇ ସମୟ ପୂର୍ବରୁ ଇଣ୍ଡିଗୋ ବିମାନ ଉଡ଼ାଣ ଆରମ୍ଭ କଲା ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର