ନୂଆଦିଲ୍ଲୀ : ଇନ୍ଦିରା ଗାନ୍ଧୀ ନିଜ ଜୀବନରେ ଯଦି କାହାକୁ ସବୁଠୁ ଅଧିକ ବିଶ୍ୱାସ କରୁଥିଲେ ସେ ହେଉଛନ୍ତି ରାଜିନ୍ଦର କୁମାର ଧାଓ୍ଵନ୍। ଗାନ୍ଧୀ ପରିବାର ସହିତ ତାଙ୍କର ଅତ୍ୟନ୍ତ ଘନିଷ୍ଠତା ଥିଲା। ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିବାବେଳେ ତାଙ୍କୁ ସେ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତ କରିଥିଲେ। ସେହିଦିନଠାରୁ ସେ ଉଭୟ ଇନ୍ଦିରା ଓ ଗାନ୍ଧି ପରିବାରର ନିକଟତମ ଲୋକ ଭାବେ ବିବେଚିତ ହେଉଥିଲେ। ସେ ୧୯୬୨ ମସିହାରୁ ୧୯୮୪ ମସିହାରେ ଇନ୍ଦିରାଙ୍କ ନିଧନ ପର୍ଯ୍ୟନ୍ତ ସବୁବେଳେ ପାଖାପାଖି ରହୁଥିଲେ। ଏପରିକି, ଜରୁରୀକାଳୀନ ପରିସ୍ଥିତି (୧୯୭୫-୭୭) ଘୋଷଣା ବେଳେ ମଧ୍ୟ ସେ ଇନ୍ଦିରାଙ୍କ ପାଖେ ପାଖେ ରହୁଥିଲେ। ଅମ୍ବିକା ସୋନି ଓ କମଳନାଥଙ୍କ ସହିତ ସେ ସେହି ସମୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ।
ଧାଓ୍ଵନ୍ କେତେ ଶକ୍ତିଶାଳୀ ଥିଲେ ସେ ବିଷୟରେ ସାମ୍ବାଦିକ ରାମ ଲକ୍ଷ୍ମୀଙ୍କ ରଚିତ ପୁସ୍ତକ ‘ଓ୍ଵିଥ୍ ଗ୍ରେଟ୍ ଟ୍ରୁଥ୍ ଆଣ୍ଡ ରିଗାର୍ଡସ୍: ଏକ ଷ୍ଟୋରି ଅଫ୍ ଦି ଟାଇପ୍ରାଇଟର୍ ଇନ୍ ଇଣ୍ଡିଆ’ରେ ଲେଖାଯାଇଛି। ଲକ୍ଷ୍ମୀ ଲେଖିଛନ୍ତି ଯେ, ଇନ୍ଦିରାଙ୍କ ଅତି ଘନିଷ୍ଠ ଥିବାରୁ କଂଗ୍ରେସ ପାର୍ଟିର ତୁଙ୍ଗ ନେତାମାନେ ତାଙ୍କୁ ବହୁତ ସମ୍ମାନ ଦେଉଥିଲେ। ତାଙ୍କର ଏଭଳି କ୍ଷମତା ଥିଲା ଯେ ସେ ନିଜେ ମୁଖ୍ୟମନ୍ତ୍ରୀମାନଙ୍କୁ ଡକାଇ ତାଙ୍କ ସହିତ ଆଲୋଚନା କରୁଥିଲେ।
ଇନ୍ଦିରା ଗାନ୍ଧୀଙ୍କ ମୃତ୍ୟୁ ପରେ ଧାଓ୍ଵନଙ୍କୁ କଠିନ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥିଲା। ରାଜୀବ ଗାନ୍ଧୀଙ୍କ ଦ୍ୱାରା ଘଟଣାର ତଦନ୍ତ କରିବା ପାଇଁ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ଏମ୍ପି ଠାକୁରଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ଭାବେ ଦୁଇ ମାସ କାମ କରିବା ପରେ ଧାଓ୍ଵନ୍ଙ୍କୁ ରାଜୀବ ଗାନ୍ଧୀ କାର୍ଯ୍ୟାଳୟରୁ ହଠାତ୍ ବିଦା କରିଥିଲେ। ଇନ୍ଦିରାଙ୍କ ହତ୍ୟାକାଣ୍ଡରେ ଧାଓ୍ଵନ୍ଙ୍କ ଭୂମିକା ଥିବା ଚର୍ଚା ଜୋର୍ ଧରିବା ପରେ ରାଜୀବ ଏଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି।
ତାଙ୍କୁ ଯେଉଁଭଳି ଭାବେ ରାଜୀବ ଗାନ୍ଧୀ ବିତାଡ଼ିତ କରିଥିଲେ ସେ ବିଷୟରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଏକ ସ୍ମରଣିକା ‘ଦି ଟର୍ବୁଲେଣ୍ଟ୍ ଇୟର୍: ୧୯୮୦-୯୬’ରେ ବହୁତ ସୁନ୍ଦର ଭାବେ ଉଲ୍ଲେଖ କରିଛନ୍ତି। ସେ ଲେଖିଥିଲେ ଯେ ତାଙ୍କୁ ୧-ସଫଦରଜଙ୍ଗ ରୋଡ୍ରୁ ବାହାରକୁ ଫୋପାଡ଼ି ଦିଆଯାଇଥିଲା। ନିଜ କାଗଜପତ୍ର ନେବା ପାଇଁ ମଧ୍ୟ ତାଙ୍କୁ ସୁଯୋଗ ଦିଆଯାଇନଥିଲା।
୧୯୮୯ ମସିହାରେ ରାଜୀବ ଗାନ୍ଧୀ ପୁଣି ଥରେ ଧାଓ୍ଵନ୍ଙ୍କୁ ଫେରାଇ ଆଣିଥିଲେ ଓ ତାଙ୍କ ଉପରେ ଲଗାଯାଇଥିବା ସବୁ ଅଭିଯୋଗଗୁଡ଼ିକୁ ହଟାଇ ଦେଇଥିଲେ। ସୋନିଆ ଗାନ୍ଧୀଙ୍କ ଅମଳରେ ମଧ୍ୟ ଧାଓ୍ଵନ୍ ଜଣେ କ୍ଷମତାଶାଳୀ ବ୍ୟକ୍ତି ଭାବେ ଗଣା ହେଉଥିଲେ। ସେହି ସମୟରେ ସେ ରାଜ୍ୟସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ।