ମଧ୍ୟମ ବର୍ଗଙ୍କୁ ଉପହାର : ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ହେଲା ଟିକସ ମୁକ୍ତ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ ଆଜି ସଂସଦରେ ୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମ ୪ ମାସ ପାଇଁ କାମଚଳା ବଜେଟ୍‌ ଆଗତ କରିଛନ୍ତି। ଏହା ଅନ୍ତରୀଣ ବଜେଟ ହୋଇଥିଲେ ମଧ୍ୟ ସରକାର ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି କେତେକ ଲୋଭନୀୟ ଘୋଷଣାମାନ କରିଛନ୍ତି। ବିଶେଷକରି ଆଗାମୀ ସାଧାରଣ ନିର୍ବାଚନକୁ ଆଖିଆଗର ରଖି ସରକାର ପ୍ରଥମେ ଦେଶର କୃଷକମାନଙ୍କୁ ପ୍ରଲୋଭିତ କରିବା ପାଇଁ ଉଦ୍ୟମ କରିଛନ୍ତି। ପରେ ପରେ ମଧ୍ୟମ ବର୍ଗ, ପେନସନ ଭୋଗୀ ଓ ବରିଷ୍ଠ ନାଗରିକମାନଙ୍କ ପାଇଁ ବଡ଼ ଉପହାର ଦେଇଛନ୍ତି ସରକାର।

ବିଶେଷ କରି ଆୟକର ସ୍ଲାବ୍‌ର ପରିବର୍ତ୍ତନ କରି କେନ୍ଦ୍ର ସରକାର ଆଗାମୀ ନିର୍ବାଚନ ପାଇଁ ମଧ୍ୟମବର୍ଗଙ୍କ ନିଜ ସପକ୍ଷରେ ଆଣିବାକୁ ଉଦ୍ୟମ କରିଛନ୍ତି। ବଜେଟ୍‌ ଆଗତ କରି ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି ଯେ ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା କର୍ମଚାରୀ, ପେନସନ ଭୋଗୀ ଓ ବରିଷ୍ଠ ନାଗରିକମାନଙ୍କୁ ଆଉ କୌଣସି ଟ୍ୟାକ୍ସ ଦେବାକୁ ପଡ଼ିବ ନାହିଁ।  ଆୟକର ଛାଡ଼ସୀମାକୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି।ଆଗରୁ ଏହା ୨.୫ ଲକ୍ଷ ଟଙ୍କା ଥିଲା। ସେହିପରି  ଅନ୍ୟାନ୍ୟ ନିବେଶ ଉପରେ ସାଢ଼େ ୬ ଲକ୍ଷ ପର୍ଯ୍ୟନ୍ତ ଟିକସ ରିହାତି ମଧ୍ୟ ଘୋଷଣା କରିଛନ୍ତି ସରକାର । ଆଡ଼ିସନାଲ୍ ଡିଡ଼କସନ୍ ସୀମା ୨ ଲକ୍ଷକୁ ବୃଦ୍ଧି କରାଯାଇଛି। ବିଶେଷ କରି ମଧ୍ୟମବର୍ଗମାନକୁ ଶ୍ରୀ ଗୋୟଲଙ୍କ ଏହି ଘୋଷଣା ବେଶ୍‌ ଖୁସି ଦେଇଥିବା ବେଳେ ଏହି ଘୋଷଣା ବେଳେ ସଂସଦରେ ମଧ୍ୟ ବେଶ୍‌ ଖୁସି ପ୍ରକାଶ ପାଇଥିଲା।

ବଜେଟ ଅଭିଭାଷଣ ଅବସରରେ ଶ୍ରୀ ଗୋୟଲ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ଏକ ସ୍ୱଚ୍ଛ ସରକାର ଦେଇଛନ୍ତି। ଭାରତର ଅର୍ଥବ୍ୟବସ୍ଥା ବର୍ତ୍ତମାନ ସବୁଠାରୁ ଦୃତଗତିରେ ଅଭିବୃଦ୍ଧି କରୁଥିବା ଅର୍ଥବ୍ୟବସ୍ଥା। ୨୦୨୨ ସୁଦ୍ଧା ନୂଆ ଭାରତ ନିର୍ମାଣ ହେବ। ସରକାର ଏକ ୨୦୨୨ ସୁଦ୍ଧା ସମସ୍ତଙ୍କୁ ସରକାର ଗୃହ ଯୋଗାଇ ଦେବେ।ସରକାର ଆସନ୍ତା ଆର୍ଥିକ ବର୍ଷର ପ୍ରଥମ ୪ ମାସର ଖର୍ଚ ତୁଲାଇବା ପାଇଁ ଲେଖାନୁଦାନ ଆଗତ କରୁଛନ୍ତି। ନିର୍ବାଚନ ପରେ ନୂଆ ସରକାର ଗଠନ ହେଲେ ପୂର୍ଣ୍ଣାଙ୍ଗ ବଜେଟ୍‌ ଆଗତ କରିବେ। ସାଧାରଣ ବଜେଟ୍‌ ସହିତ ରେଳ ବଜେଟକୁ ମିଶାଇ ଦିଆଯାଇଥିବାରୁ ରେଳ ବିଭାଗର ବ୍ୟୟବରାଦ ନେଇ ଅନ୍ତରୀଣ ବଜେଟରେ ଘୋଷଣା କରୁଛନ୍ତି ଅର୍ଥମନ୍ତ୍ରୀ ଶ୍ରୀ ଗୋୟଲ।

ସମ୍ବନ୍ଧିତ ଖବର