ଟ୍ରମ୍ପ୍‌ଙ୍କ ପ୍ରବାସୀ ନୀତିକୁ ଜୋରଦାର୍‌ ବିରୋଧ:ପରିବାରକୁ ଏକାଠି କରିବା ନିଷ୍ପତ୍ତି କାର୍ଯ୍ୟକାରୀ ହେଉନି

ଓ୍ଵାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍‌୍‌ଡ ଟ୍ରମ୍ପ୍‌ଙ୍କ ପ୍ରବାସୀ ନୀତିକୁ ବିରୋଧ କରି ହଜାର ହଜାର ଜନତା ରାସ୍ତାକୁ ଓହ୍ଲାଇଛନ୍ତି। ଦେଶବ୍ୟାପୀ ୬୩୦ଟି ଗଣ ଆନ୍ଦୋଳନ କାର୍ଯ୍ୟକ୍ରମ ହୋଇଥିବା ବେଳେ ସରକାରଙ୍କ ଏହି ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତିକୁ ଜୋର୍‌ଦାର ବିରୋଧ ଜାରି ରହିଛି। ଅନ୍ୟପକ୍ଷରେ ଅଲଗା ହୋଇଥିବା ପରିବାରକୁ ଏକାଠି କରିବା ପାଇଁ ଟ୍ରମ୍ପ୍‌ ପ୍ରଶାସନର ଘୋଷଣା ବାସ୍ତବରେ କାର୍ଯ୍ୟକାରୀ ହୋଇନଥିବାରୁ ଲୋକଙ୍କ କ୍ରୋଧ ବଢ଼ିବାରେ ଲାଗିଛି। ଏବେ ବି ପ୍ରାୟ ୩ ହଜାର ଶିଶୁ ନିଜ ମାତା-ପିତାଙ୍କଠାରୁ ଅଲଗା ହୋଇ ରହିଛନ୍ତି।
ବିବାଦୀୟ ପ୍ରବାସୀ ନୀତିକୁ ନେଇ ଦେଶ ଭିତରେ ଓ ବାହାରରେ ପ୍ରବଳ ବିରୋଧକୁ ଦେଖି ଟ୍ରମ୍ପ୍‌ ପ୍ରଶାସନ ମୁଣ୍ଡ ନୁଆଁଇଥିଲେ ଏବଂ ପରିବାରକୁ ଏକାଠି ରଖାଯିବ ବୋଲି ଘୋଷଣା କରିଥିଲେ। କିନ୍ତୁ ଜଟିଳ ଯାଞ୍ଚ ପ୍ରକ୍ରିୟା ଜାରି ରହିଥିବାରୁ ଏ ଦିଗରେ ପଦକ୍ଷେପ ତ୍ୱରାନ୍ଵିତ ହୋଇପାରୁନାହିଁ। ମେକ୍ସିକୋ ଦେଇ ଆମେରିକାରେ ବେଆଇନ ପ୍ରବେଶ କରିଥିବା ଲୋକଙ୍କ ବିରୋଧରେ ଟ୍ରମ୍ପ୍‌ ‘ଜିରୋ ଟଲେରେନ୍‌୍‌ସ’ ନୀତି ଲାଗୁ କରିଥିଲେ। ଏହି ନିୟମ ଅନୁଯାୟୀ ପିତା ମାତାଙ୍କଠାରୁ ସେମାନଙ୍କ ପିଲାମାନଙ୍କୁ ଅଲଗା ରଖାଯାଇଥିଲା। ପ୍ରଥମେ କେବଳ ଅପରାଧିକ ମାମଲା ଚାଲିଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଏହା ହେଉଥିବା ବେଳେ ପରବର୍ତ୍ତୀ ସମୟରେ ବେଆଇନ ପ୍ରବେଶ କରିଥିବା ସମସ୍ତ ପରିବାର କ୍ଷେତ୍ରରେ ଏହାକୁ ଲାଗୁ କରାଯାଇଥିଲା।

ସମ୍ବନ୍ଧିତ ଖବର