୪ ହଜାର କିମି ଚୀନ୍‌ ସୀମାରେ ସ୍ଥିତି ସୁଦୃଢ଼ କରିବ ଭାରତ

ସେନା କମାଣ୍ଡର ସମ୍ମିଳନୀ

ନୂଆଦିଲ୍ଲୀ: ବିବାଦୀୟ ଡୋକଲାମ  ଅଂଚଳ ସମେତ ୪ ହଜାର କିମି ଦୀର୍ଘ ଭାରତ-ଚୀନ ସୀମାରେ ସ୍ଥିତି ସୁଦୃଢ଼ କରିବାକୁ ଭାରତ ନିଷ୍ପତ୍ତି ନେଇଛି।  ସେନାର କମାଣ୍ଡର ସମ୍ମିଳନୀରେ ଏ ସଂକ୍ରାନ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।   ବର୍ତ୍ତମାନ ସୀମାରେ ଥିବା ସୁରକ୍ଷା ବ୍ୟବସ୍ଥାକୁ ବହୁଗୁଣିତ କରାଯିବ ଏବଂ ଅତ୍ୟାଧୁନିକ ବ୍ୟବସ୍ଥାରେ ସୀମା ସୁରକ୍ଷା ହେବ। ଡୋକଲାମ ଉପତ୍ୟକାର ବିବାଦୀୟ ଅଂଚଳରେ କୌଣସି ନିର୍ମାଣ କାର୍ଯ୍ୟକୁ ଭାରତ ଗ୍ରହଣ କରିବ ନାହିଁ ବୋଲି ସ୍ପଷ୍ଟ କରିଥିବାରୁ ଏହାର ଉଲ୍ଲଂଘନ ହେଲେ ଭାରତ କଡ଼ା ପଦକ୍ଷେପ ଗ୍ରହଣ କରିବ ବୋଲି ବୈଠକରେ ଆଲୋଚନା ହୋଇଛି । ଅନ୍ୟ ସୀମା ଅଂଚଳରେ ମଧ୍ୟ ଚୀନ୍‌ ବିବାଦ ସୃଷ୍ଟି ପାଇଁ ପ୍ରୟାସ କରୁଥିବାରୁ ଏହାର ମୁକାବିଲା ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ଯେ କୌଣସି ସଙ୍କଟର ମୁକାବିଲା ପାଇଁ ଭାରତ ତୟାର ରହିଛି ଏବଂ ଏଥିପାଇଁ ଯୋଜନାବଦ୍ଧ ଭାବେ ତାଲିମ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ ହେବ ବୋଲି କୁହାଯାଇଛି।  ଦୀର୍ଘ ୭୩ ଦିନ ଧରି ଚାଲିଥିବା ଡୋକଲାମ ବିବାଦ ଅଗଷ୍ଟ ୨୮ରେ ସମାଧାନ ହୋଇଥିଲେ ମଧ୍ୟ ଆଗକୁ ଡୋକଲାମ ଭଳି ଆହୁରି ସଙ୍କଟ ଆସିବା ସମ୍ଭବନା ରହିଛି ।   ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ  ଭାରତ-ଭୁଟାନ-ତିବ୍ଦତ ତ୍ରିଛକ ଗସ୍ତ କରିବା ସହ ନିକଟରେ ଏ ବାବଦ ସ୍ଥିତି ସମୀକ୍ଷା  କରିଛନ୍ତି।  ଚୀନ୍‌ ସେନା ଡୋକଲାମଠାରୁ ୧୦ କିମି ଦୂରରେ ଉପସ୍ଥିତ ଅଛନ୍ତି। ସେମାନେ ପୂର୍ବ ନିର୍ଦ୍ଧାରିତ ସମରାଭ୍ୟାସ ସାରି ଖୁବ୍‌ଶୀଘ୍ର ଉକ୍ତ ଅଂଚଳ ଛାଡ଼ିବେ ବୋଲି ଭାରତ ଆଶା ପ୍ରକାଶ କରିଛି।

ସମ୍ବନ୍ଧିତ ଖବର