ଇଣ୍ଡୋନେସିଆ ସୁନାମି: ବୁଝିପାରିଲାନି ପାଣିପାଗ ବିଭାଗ

ସୁନାମି ଆଲର୍ଟକୁ ତୁରନ୍ତ ରଦ୍ଦ କଲା, ଭ୍ରମ ସୃଷ୍ଟି କଲା ଢେଉ ଉଚ୍ଚତା

ଜାକର୍ତ୍ତା: ଇଣ୍ଡୋନେସିଆରେ ସୁନାମି ଯୋଗୁ ପାଖାପାଖି ୪୦୦ ଲୋକ ପ୍ରାଣ ହରାଇଥିବା ବେଳେ ଏଭଳି ଘଟଣା ପାଇଁ ଦେଶର ପାଣିପାଗ ବିଭାଗ (ବିଏମକେଜି) ଉପରେ କିଛି ବିଶେଷଜ୍ଞ ପ୍ରଶ୍ନ ଉଠାଇଛନ୍ତି। ଭୂକମ୍ପ ପରେ ସୁନାମି ଆଲର୍ଟ ଦିଆଯାଇଥିଲା ବେଳେ ହଠାତ୍ ଖାମଖିଆଲି ଭାବେ ଏହାକୁ ରଦ୍ଦ କରିବା ଉଚିତ ନଥିଲା ବୋଲି ସେମାନେ ମତ ଦେଇଛନ୍ତି। ଜୁଆରର ଉଚ୍ଚତା ଏବଂ ଏହାର ଗତିବିଧି ଉପରେ ଆଉ କିଛି ସମୟ ନଜର ରଖିବା ଆବଶ୍ୟକ ଥିଲା ବୋଲି ସେମାନେ ଦର୍ଶାଇଛନ୍ତି। ବିଏମକେଜି ଅଧ୍ୟକ୍ଷା ଦ୍ବିକୋରିତା କର୍ଣ୍ଣୱତୀ ଏ ନେଇ ସଫେଇ ଦେଇ କହିଛନ୍ତି, ଭୂକମ୍ପ ଅନୁଭୂତ ହେବା ପରେ ହଠାତ୍ ଜୁଆର ମାଡ଼ିଆସିଥିଲା। କିନ୍ତୁ କିଛି ସମୟ ପରେ ଏହାର ଉଗ୍ର ରୂପ ଶିଥିଳ ହୋଇପଡ଼ିଥିଲା। ଏହାର ଉଚ୍ଚତା ଏବଂ ସ୍ରୋତ କ୍ରମେ କମି ଆସିଥିଲା। ଫଳରେ ଶନିବାର ସନ୍ଧ୍ୟା ୫.୩୬ରେ ସୁନାମି ଆଲର୍ଟକୁ ରଦ୍ଦ କରାଯାଇଥିଲା। ଦେଶର ବିପର୍ଯ୍ୟୟ ପ୍ରଶମନ ଏଜେନ୍ସି ବିଏନପିବି ମୁଖପାତ୍ର ସୁଟୋପୋ ନୁଗ୍ରୋ‌େହା ଏକ ବିବୃତିରେ କହିଛନ୍ତି, ସୁନାମି ନିରୀକ୍ଷଣ ଉପକରଣ ଏବଂ ଜୁଆରର ଉଚ୍ଚତାକୁ ଦେଖି ନିଷ୍ପତ୍ତି ବଦଳାଯାଇଥିଲା। ସମୁଦ୍ର ସ୍ତର ମଧ୍ୟ ସ୍ବାଭାବିକ ସ୍ତରକୁ ଚାଲିଆସିଥିଲା। ତେଣୁ ବିଏମକେଜି କିଛି ଚିନ୍ତା ନକରି ସୁନାମି ଆଲର୍ଟକୁ ରଦ୍ଦ କରିଥିଲା। ଅନ୍ୟପକ୍ଷରେ ସୁନାମି ବିଶେଷଜ୍ଞ ଅବଦୁଲ୍ ମୁହାରି ବିଏମକେଜି ନିଷ୍ପତ୍ତିକୁ ସମାଲୋଚନା କରି କହିଛନ୍ତି, ଜୁଆରର ଉଚ୍ଚତା ୧.୫ ମିଟର ଥିଲା ବେଳେ ସୁନାମି ଆଲର୍ଟକୁ ପ୍ରତ୍ୟାହାର କରିନିଆଯିବା ଉଚିତ ନଥିଲା। ଜୁଆର ଉଚ୍ଚତା ୧ ମିଟରରୁ ଅଧିକ ହେଲେ ମଧ୍ୟ ବିପଦ ଥାଏ। ଏହା ଜାଣି ମଧ୍ୟ ପାଣିପାଗ ବିଭାଗ ଭୁଲ ନିଷ୍ପତ୍ତି ନେଇଥିଲା ବୋଲି ସେ କହିଛନ୍ତି।

ସବୁଆଡ଼େ କୁଢ଼କୁଢ଼ ଶବ

ଜାକର୍ତ୍ତା: ଇଣ୍ଡୋନେସିଆର ପାଲୁ ସହରରେ ସୁନାମି ଧ୍ବଂସଲୀଳା ରଚାଇବା ଯୋଗୁ ଅନେକ ଲୋକ ମୃତାହତ ହୋଇଛନ୍ତି। ଆହତ ଲୋକଙ୍କୁ ସହରରେ ଥିବା ଡାକ୍ତରଖାନାଗୁଡ଼ିକୁ ସ୍ଥାନାନ୍ତର କରାଯାଉଛି। କିନ୍ତୁ ଆହତଙ୍କ ସଂଖ୍ୟା ବଢ଼ିବା ଯୋଗୁ ହସ୍ପିଟାଲରେ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି। ଆବଶ୍ୟକ ସଂଖ୍ୟକ ଶଯ୍ୟା ନଥିବାରୁ ଶତାଧିକ ସୁନାମି ଆହତଙ୍କୁ ଖୋଲା ଆକାଶ ତଳେ ଚିକିତ୍ସା କରାଯାଉଛି। ଏହି ଦୃଶ୍ୟ ଅତ୍ୟନ୍ତ ଦୟନୀୟ ହୋଇଛି। ଅନ୍ୟପକ୍ଷରେ ପାଲୁର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ କୁଢ଼କୁଢ଼ ଶବ ଦେଖିବାକୁ ମିଳିଛି। ଦେଶର ପାଲୁ ଏବଂ ଏହାର ଆଖପାଖ ଅଞ୍ଚଳରେ ଥିବା ହସ୍ପିଟାଲ‌ରେ ରୋଗୀମାନଙ୍କର ଚିକିତ୍ସା କରାଯାଉଛି। ସରକାରଙ୍କ ନିର୍ଦ୍ଦେଶକ୍ରମେ ୨୪ ଘଣ୍ଟିଆ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି। ପ୍ରଭାବିତ ହୋଇଥିବା ଲୋକଙ୍କୁ ରିଲିଫ ସାମଗ୍ରୀ ଯୋଗାଇବା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଇଛି।

ସମ୍ବନ୍ଧିତ ଖବର