ଭୋକ, ଶୋଷ ଓ ଆଶଙ୍କା ଭିତରେ ସମୁଦ୍ରରେ ୪୯ ଦିନ ଭାସିବା ପରେ ମୃତ୍ୟୁ ମୁହଁରୁ ଫେରିଲେ ଏହି ୧୯ ବର୍ଷୀୟ ଯୁବକ

ଜାକର୍ତ୍ତା : ସାହସ ଥିଲେ ମଣିଷ କୌଣସି ବି ପରିସ୍ଥିତିର ମୁକାବିଲା କରିପାରେ। ଖାଦ୍ୟ ଓ ପାନୀୟ ବିନା ଦେଢ ମାସ ଧରି ଅକାତକାତ ପାଣିରେ ଫସି ରହିବା ପରେ ଜଣେ ୧୯ ବର୍ଷୀୟ ଯୁବକ ଜୀବନ ଧରି ଘରକୁ ଫେରିଛନ୍ତି। ବଞ୍ଚି ରହିବା ପାଇଁ ସମୁଦ୍ରରେ ୪୯ ଦିନ ପର୍ଯ୍ୟନ୍ତ ସଂଘର୍ଷ କରିଛନ୍ତି ସେ । ଭୋକ, ଶୋଷ, ଥଣ୍ଡା, ଭୟ ଓ ନିସଙ୍ଗତା ସବୁ ହାର ମାନିଛି ଦୃଢ ମନୋବଳ ଆଗରେ ।

ଇଣ୍ଡୋନେସିଆର ନର୍ଥ ସୁଲେୱାସିରେ ଏକ ଫିସିଂ କମ୍ପାନି ପାଇଁ କାମ କରନ୍ତି ୧୯ ବର୍ଷୀୟ ଆଲଦି ନୋଭେଲ । ସବୁଥର ଭଳି ଘଟଣା ରାତିରେ ମଧ୍ୟ ସେ ଉପକୂଳରୁ କିଛି ଦୂରରେ ନିଜ ଏକ ଛୋଟିଆ ଡଙ୍ଗାରେ ଥିଲେ । ଡଙ୍ଗାଟିକୁ ଦଉଡି ସାହାଯ୍ୟରେ ତଟରେ ବନ୍ଧା ଯାଇଥିଲା ଏବଂ ତାଙ୍କ ନିକଟରେ କେବଳ ଏକ ଲ୍ୟାମ୍ପ ଓ କମ୍ପାନି ସହ ଯୋଗାଯୋଗ କରିବା ପାଇଁ ୱାକି ଟକି ଥିଲା । କିନ୍ତୁ ସେହି ରାତିର ବାତ୍ୟାରେ ତାଙ୍କ ଡଙ୍ଗାର ଦଉଡି ଫାସ ଫିଟିଯାଇଥିଲା । ସେ ଅକାତକାତ ପାଣିରେ ସମୁଦ୍ର ଭିତରକୁ ଚାଲି ଯାଇଥିଲେ ।

ଦିନକୁ ଦିନ ସେ ସମୁଦ୍ରରେ ଆହୁରି ଭିତରକୁ ଯିବାକୁ ଲାଗିଥିଲେ । ତାଙ୍କ ପାଖରେ ନା ପିଇବା ପାଣି ଥିଲା ନା ଖାଦ୍ୟ ଥିଲା । ଶୋଷ ମେଣ୍ଟାଇବା ପାଇଁ ସେ ପିନ୍ଧିଥିବା ଟି-ସାର୍ଟରେ ଲୁଣି ପାଣିକୁ ଛାଣି ଦେଇ ପିଉଥିଲେ । ଭୋକ ହେଲେ ଜାଲରେ ଫସିଥିବା ମାଛ ଖାଉଥିଲେ । ଥଣ୍ଡାରୁ ବର୍ତିବା ପାଇଁ ଡଙ୍ଗାର କାଠକୁ ଜାଳେଣି ଭାବେ ବ୍ୟବହାର କରୁଥିଲେ । ଏପରି ୪୯ଦିନ ପର୍ଯ୍ୟନ୍ତ ସମୁଦ୍ରରେ ଦିନ କାଟିଛନ୍ତି ଏହି ସାହସୀ ଯୁବକ ।

ଏହି ସମୟରେ ତାଙ୍କୁ ଉଦ୍ଧାର କରିବା ପାଇଁ ସେହି ବାଟ ଦେଇ ଯାଉଥିବା କିଛି ଜାହାଜକୁ ମଧ୍ୟ ସେ ଅନୁରୋଧ କରିଥିଲେ । କିନ୍ତୁ ସେ ଇଂରାଜୀ କହି ଓ ବୁଝି ପାରୁନଥିବା ଯୋଗୁଁ କେହି ତାଙ୍କୁ ସାହାଯ୍ୟ କରିପାରିନଥିଲେ । ଏପରିକି ଆତ୍ମହତ୍ୟା କରିବା ପାଇଁ ମଧ୍ୟ ସେ ଚିନ୍ତା କରିସାରିଥିଲେ । ଏହାରି ମଧ୍ୟରେ ସେ ସମୁଦ୍ରରେ ୧୫ଶହ ୯୪ମାଇଲ ଅତିକ୍ରମ କରି ଗୁଆମ ସମୁଦ୍ରରେ ପହଞ୍ଚିଥିଲେ ।

ଏହି ସମୟରେ ସମୁଦ୍ରରେ ପାନାମାର ଯାହାଜ ‘ଅରପେଗିୟୋ’ ତାଙ୍କ ପାଇଁ ଦେବଦୂତ ହୋଇ ପହଞ୍ଚିଥିଲା । ଜାହାଜର କର୍ମଚାରୀ ତାଙ୍କୁ ଉଦ୍ଧାର କରିଥିଲେ । ତାଙ୍କ ଠାରୁ ଜୀବନ ସଂଘର୍ଷ କାହାଣୀ ଶୁଣିଥିଲେ । ଏହାପରେ ଆଲଦି ନୋଭେଲଙ୍କ ଚିକିତ୍ସା କରାଯାଇ ତାଙ୍କୁ ସୁରକ୍ଷିତ ଭାବେ ଇଣ୍ଡୋନେସିଆରେ ତାଙ୍କ ପରିବାର ନିକଟରେ ପହଞ୍ଚାଇ ଦିଆଯାଇଛି । ଦୀର୍ଘ ଦିନ ପରେ ନିଖୋଜ ପୁଅକୁ ପାଇ ପରିବାର ଲୋକେ ଆଶ୍ୱସ୍ତ ହୋଇଛନ୍ତି ।

ସମ୍ବନ୍ଧିତ ଖବର