ଇନ୍ଦିରାଙ୍କୁ ଜନ୍ମ ଶତାବ୍ଦୀରେ ଶ୍ରଦ୍ଧାଞ୍ଜଳି
ଇନ୍ଦିରାଙ୍କ ନାମକୁ ଇତିହାସ ପୃଷ୍ଠାରୁ କେହି ଲିଭାଇ ପାରିବେ ନାହିଁ: ପ୍ରଣବ
ନୂଆଦିଲ୍ଲୀ: ପୂର୍ବ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଆଜି ତାଙ୍କର ଜନ୍ମ ଶତାବ୍ଦୀ ଅବସରରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଇନ୍ଦିରାଙ୍କ ଜନ୍ମ ୧୯ ନଭେମ୍ବର ୧୯୧୭ରେ ଆହ୍ଲାବାଦରେ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ଵିଟ୍ କରି କହିଛନ୍ତି- ପୂର୍ବ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ଟ୍ଵିଟ୍ରେ କହିଛନ୍ତି, ପୂର୍ବ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ଜନ୍ମ ଶତାବ୍ଦୀ ଅବସରରେ ଦେଶ ସ୍ମରଣ କରୁଛି। ଆଜି ଇନ୍ଦିରାଙ୍କ ଜୟନ୍ତୀରେ ପୂର୍ବ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ ରାହୁଲ ଗାନ୍ଧୀ ଶକ୍ତି ସ୍ଥଳ ଯାଇ ଇନ୍ଦିରାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ପୂର୍ବ ରାଷ୍ଟ୍ରପତି ପ୍ରଣବ କହିଥିଲେ ଇନ୍ଦିରା ଜଣେ ଏଭଳି ନେତ୍ରୀ ଯାହାଙ୍କୁ ଆଜି ପୂରା ଦେଶ ସ୍ମରଣ କରୁଛି। ଇତିହାସର ପୃଷ୍ଠାରୁ ଇନ୍ଦିରାଙ୍କ ନାମକୁ କେହି ଲିଭାଇ ପାରିବେ ନାହିଁ ବୋଲି ସେ କହିଥିଲେ। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କହିଛନ୍ତି ଯେ ଇନ୍ଦିରା ଭାରତର ମହାନ ସନ୍ତାନ ଥିଲେ। ସେ ସମଗ୍ର ଦେଶକୁ ଏକଜୁଟ କରିଥିଲେ ଏବଂ ଜାତି ଓ ଧର୍ମ ନାମରେ ଦେଶକୁ ବିଭାଜନ କରିବାକୁ ଚାହୁଥିବା ଲୋକଙ୍କ ବିରୋଧରେ ଲଢ଼େଇ କରିଥିଲେ।