ଇନ୍ଦ୍ରାଣୀ ମୁଖାର୍ଜୀ ପିଟରଙ୍କ ନିକଟକୁ ପଠାଇଲେ ଛାଡ଼ପତ୍ର ନୋଟିସ୍‌

ବହୁ ଚର୍ଚ୍ଚିତ ସିନା ବୋରା ହତ୍ୟା ମାମଲାରେ ଏବେ ଉଭୟେ ଅଛନ୍ତି ଜେଲ୍‌ରେ

ମୁମ୍ବାଇ: ଦେଶର ବହୁ ଚର୍ଚ୍ଚିତ ସିନା ବୋରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀ ତାଙ୍କର ସ୍ୱାମୀ ପିଟର ମୁଖାର୍ଜୀଙ୍କ ସହ ୧୬ ବର୍ଷର ବୈବାହିକ ସଂପର୍କକୁ ତୁଟାଇ ତାଙ୍କ ଠାରୁ ଛାଡ଼ପତ୍ର ନେବା ପାଇଁ ଏକ ଓକିଲ ନୋଟିସ୍‌ ପଠାଇଛନ୍ତି। ସିନା ବୋରା ହତ୍ୟା ମାମଲାରେ ପିଟର ମଧ୍ୟ ଅନ୍ୟତମ ସହ ଅଭିଯୁକ୍ତ। ସିନା ବୋରା ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀ ଏବେ ମୁମ୍ବାଇର ବାଇକୁଲା ମହିଳା ଜେଲରେ ଅଛନ୍ତି।

ପିଟରଙ୍କ ଠାରୁ ଛାଡ଼ପତ୍ର ନେବା ପାଇଁ ଗତ ୨୫ ତାରିଖରେ ପଠାଇ ଥିବା ଓକିଲ ନୋଟିସରେ ଇନ୍ଦ୍ରାଣୀ କହିଛନ୍ତି ଯେ ଉଭୟଙ୍କ ମଧ୍ୟରେ ସଂପର୍କ ସଂଶୋଧନାତୀତ ଭାବେ ଛିନ୍ନ ହୋଇଯାଇଛି ଏବଂ ଯାହାର ପୁନରୁଦ୍ଧାର ଆଉ ସମ୍ଭବ ନୁହେଁ। ସେଥିପାଇଁ ସେ ଏବେ ତାଙ୍କ ଠାରୁ ଛାଡ଼ପତ୍ର ନେବାକୁ ଚାହୁଁଛନ୍ତି। ଏହି ସହ ଆପୋଷ ସହମତି ଭିତ୍ତିିରେ ଆସନ୍ତା ୩୦ ତାରିଖ ସୁଦ୍ଧା ଉଭୟଙ୍କ ମଧ୍ୟରେ ଥିବା ସମସ୍ତ ଆର୍ଥିକ ବୁଝାମଣା ଶେଷ କରିଦେବାକୁ ସେ କହିଛନ୍ତି। ଇନ୍ଦ୍ରାଣୀଙ୍କ ସ୍ୱାମୀ, ବିଶିଷ୍ଟ ଗଣମାଧ୍ୟମ ବ୍ୟବସାୟୀ ୬୪ ବର୍ଷ ବୟସ୍କ ପିଟର ମୁଖାର୍ଜୀ ମଧ୍ୟ ଏହି ସିନା ବୋରା ହତ୍ୟା ମାମଲାରେ ଅନ୍ୟତମ ସହ ଅଭିଯୁକ୍ତ ରହିବା ସହ ଏବେ ମୁମ୍ବାଇର ଆର୍ଥର ରୋଡ୍‌ ଜେଲରେ ଅଛନ୍ତି।

ପ୍ରସଙ୍ଗକ୍ରମେ, ଉଲ୍ଲେଖଯୋଗ୍ୟ ପିଟରଙ୍କୁ ଦ୍ୱିତୀୟ କରିବା ପୂର୍ବରୁ ଇନ୍ଦ୍ରାଣୀ ତାଙ୍କର ପ୍ରଥମ ସ୍ୱାମୀ ସଞ୍ଜୀବ ଖାନ୍ନାଙ୍କ ଔରସରୁ କନ୍ୟା ସିନା ବୋରାଙ୍କୁ ଜନ୍ମ ଦେଇଥିଲେ। ତେବେ, ପିଟରଙ୍କୁ ଇନ୍ଦ୍ରାଣୀ ଦ୍ୱିତୀୟ ବିବାହ କରିବା ପରେ ଗତ ୨୦୧୨ ଅପ୍ରେଲରେ ୨୪ ବର୍ଷ ବୟସ୍କା ସିନା ବୋରାଙ୍କୁ ଅପହରଣ କରି ନିଆଯିବା ପରେ ତାଙ୍କୁ ହତ୍ୟା କରି ଜଙ୍ଗଲ ମଧ୍ୟରେ ଫିଙ୍ଗି ଦିଆ ଯାଇଥିଲା। ଏହି ହତ୍ୟା ଘଟଣା ସଂପର୍କରେ କେହି କୌଣସି ପ୍ରକାରର ସାମାନ୍ୟତମ ଟେର ସୁଦ୍ଧା ପାଇ ପାରି ନଥିଲେ। ତେବେ, ଏହି ହତ୍ୟା ଘଟଣାରେ ଅନ୍ୟତମ ସହଯୋଗୀ ଥିବା ଶ୍ୟାମଭର ରାଏ ନାମକ ଜନୈକ ଅପରାଧୀ ୨୦୧୫ ଅଗଷ୍ଟରେ ଅନ୍ୟ ଏକ ଅପରାଧରେ ମୁମ୍ବାଇ ପୁଲିସ୍‌ ହାତରେ ଗିରଫ ହେବାପରେ ଏହି ଘଟଣା ଲୋକଲୋଚନକୁ ଆସିଥିଲା।

ସେ ସମୟରେ ଶ୍ୟାମଭର ରାଏ ଥିଲା ଇନ୍ଦ୍ରାଣୀ ଓ ପିଟରଙ୍କ ଡ୍ରାଇଭର। ଶ୍ୟାମଭର ହିଁ ପୁଲିସ୍‌କୁ ସୂଚନା ଦେଇ କହିଥିଲା ଯେ ସେ ଚଳାଉଥିବା ଗାଡ଼ିରେ ଇନ୍ଦ୍ରାଣୀ ଓ ପିଟର ଯୋଜନାବଦ୍ଧ ଭାବେ ସିନା ବୋରାଙ୍କୁ ଜଙ୍ଗଲ ମଧ୍ୟକୁ ଅପହରଣ କରିନେବା ସହ ଜଙ୍ଗଲ ଭିତରେ ହତ୍ୟା କରି ଫିଙ୍ଗି ଦେଇଥିଲେ। ପରେ ଏହି ବହୁ ଚର୍ଚ୍ଚିତ ହତ୍ୟାକାଣ୍ଡର ତଦନ୍ତ ଦାୟିତ୍ୱ ସିବିଆଇ ହାତରେ ନ୍ୟସ୍ତ କରାଯାଇଥିଲା। ସିବିଆଇ ଏହି ଘଟଣାର ତଦନ୍ତ କରି ସିନା ବୋରା ହତ୍ୟା ଅପରାଧରେ ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀ ଓ ସହ ଅଭିଯୁକ୍ତ ତାଙ୍କ ଦ୍ୱିତୀୟ ସ୍ୱାମୀ ପିଟର ମୁଖାର୍ଜୀଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର