ସିନ୍ଧୁ ଜଳବଣ୍ଟନ ବିବାଦ : ଭାରତ ବିରୋଧରେ ଅନ୍ତର୍ଜାତୀୟ ଜନମତ ସୃଷ୍ଟି କରିବ ପାକିସ୍ତାନ

ନୂଆଦିଲ୍ଲୀ : ଭାରତ ୧୯୬୦ର ସିନ୍ଧୁନଦୀ ଚୁକ୍ତିର ଉଲ୍ଲଙ୍ଘନ କରୁଥିବା ଅଭିଯୋଗ କରି ପାକିସ୍ତାନ ଭାରତ ବିରୋଧରେ ଅନ୍ତର୍ଜାତୀୟ ସ୍ତରରେ ଏକ ବଡ଼ ଧରଣର ଅଭିଯାନ ଆରମ୍ଭ କରିବାକୁ ସଂକେତ ଦେଇଛି । ଜାମ୍ମୁ ଓ କାଶ୍ମୀରରେ ଥିବା ପକଲଦୁଲ ଓ ଲୋୟର କଲନାଇ ନଦୀବନ୍ଧ ପ୍ରକଳ୍ପର ପରିଦର୍ଶନ ପାଇଁ ଭାରତ ପାକିସ୍ତାନୀ ପ୍ରତିନିଧିମଣ୍ଡଳକୁ ଅନୁମତି ଦେଉନଥିବାରୁ ପାକିସ୍ତାନ ଏପରି ପଦକ୍ଷେପ ନେବାକୁ ଚିନ୍ତା କରୁଛି ।
ଗତ ଅଗଷ୍ଟ ମାସରେ ପାକିସ୍ତାନର ଲାହୋରଠାରେ ସ୍ଥାୟୀ ସିନ୍ଧୁ ନଦୀ ଆୟୋଗର ବସିଥିବା ବୈଠକରେ ଉଭୟ ପକ୍ଷର ପ୍ରତିନିଧିମଣ୍ଡଳକୁ ପରସ୍ପରର ପ୍ରକଳ୍ପ ଅଂଚଳ ପରିଦର୍ଶନ ପାଇଁ ଅନୁମତି ଦେବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହା ଅନୁଯାୟୀ ସେପ୍ଟେମ୍ବର ଶେଷ ସପ୍ତାହରେ ପାକ ପ୍ରତିନିଧିମଣ୍ଡଳ ଭାରତ ଆସିବା କଥା । କିନ୍ତୁ ଜାମ୍ମୁ ଓ କାଶ୍ମୀରର ପଂଚାୟତ ଓ ମ୍ୟୁନିସିପାଲିଟି ନିର୍ବାଚନ ଯୋଗୁଁ ଏହି କାର୍ଯ୍ୟକ୍ରମକୁ ଭାରତ ସରକାର ଅକ୍ଟୋବର ୭-୧୨କୁ ଘୁଞ୍ଚାଇ ଦେଇଥିଲେ । କିନ୍ତୁ ଭାରତର ଏହି ସଫେଇ ସତ୍ତ୍ୱେ ଭାରତ ପାକ ପ୍ରତିନିଧିମଣ୍ଡଳକୁ ଚେନାବ ନଦୀ ଉପରେ ନିର୍ମିତ ଡ୍ୟାମ ପରିଦର୍ଶନ ପାଇଁ ଅନୁମତି ଦେଉନାହିଁ ବୋଲି ପାକିସ୍ତାନୀ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶିତ ହୋଇଥିଲା ।
ସୂଚନାଯୋଗ୍ୟ ଯେ ହିମାଳୟରୁ ବାହାରି ଥିବା ୬ଟି ନଦୀ ଭାରତ ବାଟଦେଇ ପାକିସ୍ତାନକୁ ଯାଉଛନ୍ତି ସେଗୁଡ଼ିକ ହେଲେ ସିନ୍ଧୁ, ରବି, ଚେନାବ,ଝେଲମ, ସତଲେଜ ଓ ବ୍ୟାସ । ୧୯୬୦ର ସିନ୍ଧୁ ନଦୀ ଜଳବଣ୍ଟନ ଚୁକ୍ତି ଅନୁସାରେ ବ୍ୟାସ, ସତଲେଜ ଓ ରବି ଭାରତ ନିୟନ୍ତ୍ରଣରେ ରହିଥିବାବେଳେ ଅନ୍ୟତିନୋଟି ନଦୀ ପାକିସ୍ତାନ ନିୟନ୍ତ୍ରଣରେ ରହିଛି । କିନ୍ତୁ ପାକିସ୍ତାନ ଅଭିଯୋଗ କରିଛି ଯେ ଭାରତ ଏହି ଚୁକ୍ତିକୁ ମାନୁନାହିଁ ।

ସମ୍ବନ୍ଧିତ ଖବର