ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପୋଷ୍ଟରରେ କାଳିମାଡ଼: ଟିଏମସି ଦାୟୀ କଲା ବିଜେପି

କୋଲକାତା: ଶନିବାରଠାରୁ ମମତାଙ୍କ ଗଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିସନ୍ ୨୦୧୯ର ବିଗୁଲ ବଜାଇଛନ୍ତି । ଏହି ଅବସରରେ ପଶ୍ଚିମବଙ୍ଗରେ ଦୁଇଟି ବିଶାଳ ରାଲିକୁ ସମ୍ବୋଧିତ କରିଛନ୍ତି  ମୋଦି । ତେବେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଦେଖିବାକୁ ମିଳିଛି ଅଭାବନୀୟ କାଣ୍ଡ। ପଶ୍ଚିମବଙ୍ଗରେ ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଦଳ ପକ୍ଷରୁ ଲାଗିଥିବା ବ୍ୟାନର ଏବଂ ପୋଷ୍ଟରରେ କାଳି ବୋଳା ଯାଇଥିବା ଦେଖିବାକୁ ମିଳିଥିଲା।

ପ୍ରଧାନମନ୍ତ୍ରୀ ମୋଦିଙ୍କ ପୋଷ୍ଟରରେ କାଳି ବୋଳାଯିବା ଘଟଣାକୁ ନେଇ ତୃଣମୂଳ କଂଗ୍ରେସ ପାର୍ଟିର କର୍ମକର୍ତ୍ତାଙ୍କୁ ଦାୟୀ କରିଛି ଭାରତୀୟ ଜନତା ପାର୍ଟି । ବିଜେପି ଅଭିଯୋଗ କରିଛି, ଏପରି କାର୍ଯ୍ୟ ଟିଏମସି କର୍ମୀମାନେ ନିଜ ହାତରେ କରିଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଉଛି, ଯେଉଁ ରାସ୍ତା ଦେଇ ପ୍ରଧାନମନ୍ତ୍ରୀ ମୋଦି ଯିବାର କାର୍ଯ୍ୟକ୍ରମ ରହିଥିଲା, ସେହି ରାସ୍ତାପାର୍ଶ୍ବ ଲାଗିଥିବା ମୋଦିଙ୍କ ପୋଷ୍ଟରରେ କାଳି ବୋଳା ହୋଇଥିବା ଦେଖିବାକୁ ମିଳିଥିଲା ।

ତେବେ ଏହା ପୂର୍ବରୁ ବିଜେପି ସାଂସଦ ବାବୁଲ ସୁପ୍ରିୟୋ ଅଭିଯୋଗ କରିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଦୁର୍ଗାପୁରଠାରେ ତାଙ୍କ ପୋଷ୍ଟରକୁ ଫାଡି ଦିଆଯାଇଥିଲା । ଆଉ ଏହା ଉପରେ ମମତା ବାନାର୍ଜୀଙ୍କ ପୋଷ୍ଟର ଲଗାଯାଉଥିବା ସେ ଅଭିଯୋଗ କରିଥିଲେ ।

ନିର୍ବାଚନ ପୂର୍ବରୁ ମୋଦିଙ୍କ ଏହି ଗସ୍ତ ଅନେକ ଗୁରୁତ୍ୱ ରଖୁଥିବା ଚର୍ଚ୍ଚା ହେଉଛି । ତେବେ ମୋଦିଙ୍କ ଏହି ରାଲି ବ୍ୟତୀତ ପଶ୍ଚିମବଙ୍ଗରେ ବିଜେପି, ୧୦୦ରୁ ଅଧିକ ରାଲି କରିବ ବୋଲି ଜଣାପଡିଛି । ଏହା ସହ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ରାଲି କରିବାର କାର୍ଯ୍ୟକ୍ରମ ରହିଛି । ଗୋଟିଏ ପଟେ ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ଗସ୍ତ ପୂର୍ବରୁ ତାଙ୍କ ପୋଷ୍ଟରରେ କାଳି ବୋଳାହେବା ଘଟଣା ରାଜନୀତିକୁ ଆହୁରି ଜୋରଦାର କରିଛି ।

ସମ୍ବନ୍ଧିତ ଖବର