ଶୋଷିତ ଶ୍ରେଣୀଙ୍କୁ ହିଁ ଦଣ୍ଡ ମିଳୁଛି: ଲାଲୁ

‘ମୃତ୍ୟୁ ପର୍ଯ୍ୟନ୍ତ ସାମାଜିକ ନ୍ୟାୟ ପାଇଁ ଲଢ଼ାଇ ଜାରି ରଖିବି’

ପାଟନା: ଗୋଖାଦ୍ୟ ଦୁର୍ନୀତି ମାମଲାରେ ଆଜି ସିବିଆଇ ସ୍ୱତନ୍ତ୍ର ଅଦାଲତରେ ଆରଜେଡି ସୁପ୍ରିମୋ ଲାଲୁୂ ପ୍ରସାଦ ଯାଦବ ଦୋଷୀ ସାବ୍ୟସ୍ତ ହେବାପରେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ସମାଜରେ ଶୋଷିତ ଶ୍ରେଣୀ, ଦଳିତ ଓ ପଛୁଆବର୍ଗର ଲୋକଙ୍କୁ ହିଁ ଦଣ୍ଡ ମିଳୁଛି। ଶକ୍ତିଶାଳୀ ଲୋକେ ସର୍ବଦା ସେମାନଙ୍କ ବିଭାଜନକାରୀ ରାଜନୀତିରେ ଶୋଷିତଙ୍କ ଉପରେ ଅତ୍ୟାଚାର କରି ଆସିଛନ୍ତି। ଧୂର୍ତ୍ତ ବିଜେପି ନିଜ କାରନାମା ଲୁଚାଇବା ପାଇଁ ଏବଂ ଭୋଟ୍‌ ହାସଲ ପାଇଁ ବିରୋଧୀ ଦଳ ନେତାଙ୍କ ବିରୋଧରେ ପ୍ରତିଶୋଧପୂର୍ଣ୍ଣ ଖେଳ ଖେଳୁଛି ବୋଲି ଲାଲୁ ଟ୍ଵିଟ୍‌ କରି କହିଛନ୍ତି। ନିଜକୁ ବାବା ସାହେବ ଆମ୍ବେଦକର ଏବଂ ନେଲସନ ମାଣ୍ଡେଲାଙ୍କ ସହ ତୁଳନା କରି ଲାଲୁ କହିଛନ୍ତି ଯେ ମାଣ୍ଡେଲା, ଆମ୍ବେଦକର ଏବଂ ଏବଂ ମାର୍ଟିନ ଲୁଥର କିଙ୍ଗ୍‌ଙ୍କୁ ମଧ୍ୟ ସତ୍ୟର ଲଢ଼େଇରେ ଖଳନାୟକ ଭାବେ କିଛି ଲୋକ ଉପସ୍ଥାପନ କରିଥିଲେ। ତେବେ ସାମନ୍ତବାଦୀ ଶକ୍ତି ତାଙ୍କୁ ହଟାଇପାରିବେ ନାହିଁ ବୋଲି ଲାଲୁ କହିଛନ୍ତି। ଦେଶରେ ସାମାଜିକ ନ୍ୟାୟ ପାଇଁ ସେ ଚଳାଇଥିବା ଲଢ଼େଇରୁ ତାଙ୍କୁ କେହି ବିଚ୍ୟୁତ କରିପାରିବେ ନାହିଁ, ନ୍ୟାୟ ପାଇଁ ଲଢ଼େଇ ଜାରି ରହିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର