ଦିବଂଗତ ଅଟଳ ବିହାରୀ ବାଜପେୟୀଙ୍କ ଜୀବନର ୧୫ଟି ସ୍ମରଣୀୟ କଥା

ନୂଆଦିଲ୍ଲୀର ଏମ୍ସରେ ପୂର୍ବତନ ପ୍ରଧାନମନ୍ତ୍ରୀ ‘ଭାରତରତ୍ନ’ ଅଟଳ ବିହାରୀ ବାଜପେୟୀଙ୍କର ୯୩ ବର୍ଷ ବୟସରେ ପରଲୋକ ଘଟିଛି। ଏହି ଦୁଃଖଦ ଖବର ପ୍ରକାଶ ପାଇବାରେ ଏମ୍ସକୁ ଦେଶ ଓ ବିଭିନ୍ନ ରାଜ୍ୟର ତୁଙ୍ଗ ରାଜନେତା ଓ ହଜାର ହଜାର ବାଜପେୟୀ ପ୍ରେମୀଙ୍କ ସୁଅ ଛୁଟିଛି। ଶୋକାଭିଭୂତ ଦେଶ ଜଣାଇଛି ଶ୍ରଦ୍ଧାଞ୍ଜଳି। ଆସନ୍ତୁ ଜାଣିବା ତାଙ୍କ ଜୀବନ ସହ ଜଡ଼ିତ କିଛି ସ୍ମରଣୀୟ କଥା।

୧.ଅଟଳ ବିହାରୀ  ବାଜପେୟୀଙ୍କ ପୈତୃକ ବାସସ୍ଥଳୀ ଥିଲା ଆଗ୍ରା ନିକଟସ୍ଥ ବାଟେଶ୍ୱର। ପରେ ତାଙ୍କର ଜେଜେବାପା ଶ୍ୟାମଲାଲ୍‌ ବାଜପେୟୀ ମଧ୍ୟପ୍ରଦେଶର ମୋରେନାକୁ ଉଠି ଆସିଥିଲେ ।

ohfact.com

୨.ସେ ମେଧାବୀ ଛାତ୍ର ଥିଲେ। ସ୍କୁଲ ଏବଂ କଲେଜରେ ତାଙ୍କୁ ଅନେକ ସମ୍ମାନରେ ସମ୍ମାନିତ କରାଯାଇଥିଲା । ରାଜନୀତି ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ସେ ସ୍ନାତକୋତ୍ତର ଲାଭ କରିଥିଲେ।

୩.ଗ୍ଵାଲିୟରରେ ହୋଇଥିବା ଆର୍ଯ୍ୟ କୁମାର ସଭାରେ ସାମିଲ  ହୋଇ ତାଙ୍କ ସାମାଜିକ ଜୀବନ ଆରମ୍ଭ ହୋଇଥିଲା ।

୪.ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘରେ ଯୋଗ ଦେବା ପୂର୍ବରୁ ସେ ସାମ୍ୟବାଦ ଆଡ଼କୁ ଆକର୍ଷିତ ହୋଇଥିଲେ । ପରେ ବାବାସାହେବ ଆପ୍‌ତେଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ସେ ୧୯୩୯ରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘରେ ଯୋଗ ଦେଇଥିଲେ । ୧୯୪୭ରେ ସେ ସଂଘର ଜଣେ ପ୍ରଚାରକ ନିଯୁକ୍ତ ହୋଇଥିଲେ।

ohfact.com

୫. ବ୍ରିଟିଶ ସରକାରଙ୍କୁ ବିରୋଧ କରି ୧୯୪୨ରେ ଭାରତ ଛାଡ଼ ଆନ୍ଦୋଳନରେ ଯୋଗ ଦେଇଥିବାରୁ ତାଙ୍କୁ ଏବଂ ତାଙ୍କ ଭାଇ ପ୍ରେମ୍‌ଙ୍କୁ ପୁଲିସ ଗିରଫ କରିଥିଲା ।

୬. ସେ ଏବଂ ତାଙ୍କ ବାପା ଏକା ସାଙ୍ଗରେ ଆଇନ ପାଠ ପଢ଼ିଥିଲେ । କାନପୁରର ଡିଏଭି ଲ’ କଲେଜରେ ସେ ଓ ତାଙ୍କ ବାପା ଏକାଠି ପଢ଼ୁଥିଲେ ଓ   ହଷ୍ଟେଲର ଗୋଟେ ରୁମ୍‌ରେ  ରହୁଥିଲେ।

୭.ବଡ଼ ହୋଇ ଅଟଳ ବିହାରୀ ବାଜପେୟୀ ଜଣେ ସାମ୍ବାଦିକ ହେବାକୁ ଇଚ୍ଛା ରଖିଥିଲେ । ଉତ୍ତରପ୍ରଦେଶ ଯିବା ପରେ ତାଙ୍କ ସ୍ୱପ୍ନ ପୂରା ହୋଇଥିଲା । ସେଠାରେ ଥିବା ଦୀନଦୟାଲ ଉପାଧ୍ୟୟଙ୍କ ‘ରାଷ୍ଟ୍ରଧର୍ମ’ ଖବର କାଗଜରେ  କାମ କରିବା ଆରମ୍ଭ କରିଥିଲେ । ଏହାପରେ ସେ ପାଞ୍ଚଜନ୍ୟ ସାପ୍ତାହିକୀ, ବୀର ଅର୍ଜୁନ୍‌ ଓ ସ୍ୱଦେଶ ଆଦି ଦୈନିକରେ କାର୍ଯ୍ୟ କରିଥିଲେ।

୮.୧୯୫୭ରେ ହୋଇଥିବା ଦ୍ୱିତୀୟ ସାଧାରଣ ନିର୍ବାଚନରେ ସେ ଉତ୍ତରପ୍ରଦେଶର ମଥୁରା ଏବଂ ବଲରାମପୁରରୁ ନିର୍ବାଚନ ଲଢ଼ିଥିଲେ । ମଥୁରାରେ ନିର୍ବାଚନ ହାରିଥିବା ବେଳେ ବଲରାମପୁରରେ ସେ ବିଜୟ ହାସଲ କରିଥିଲେ ।

୯.୧୯୭୭ରେ ସେ ବିଦେଶ ମନ୍ତ୍ରୀ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ । ବିଦେଶ ମନ୍ତ୍ରାଳୟକୁ ଯିବା ପରେ ସେଠାରେ ପୂର୍ବରୁ ଲଗା ଯାଇଥିବା ଜଓ୍ଵାହାରଲାଲ ନେହେରୁଙ୍କ ଫଟୋ ନ ଥିବା ଦେଖି ତାଙ୍କର ଏକ ଫଟୋ ଆଣି ଲଗାଇବା ପାଇଁ କହିଥିଲେ ।

୧୦.ମିଳିତ ଜାତିସଂଘରେ ସେ ଇଂରାଜୀରେ ଭାଷଣ ନ ଦେଇ ହିନ୍ଦୀରେ ଭାଷଣ ଦେଇଥିଲେ । ଏପରି କରିବାରେ ସେ ପ୍ରଥମ ଭାରତୀୟ ଥିଲେ ।

ohfact.com

୧୧.ପାକିସ୍ଥାନ ସହ ଭଲ ସଂପର୍କ ସ୍ଥାପନ କରିବା ପାଇଁ ସେ ଲାହୋରକୁ ବସ୍‌ରେ ଯାତ୍ରା କରିଥିଲେ । ଏହି ଐତିହାସିକ ଯାତ୍ରାର ନାଁ ରଖା ଯାଇଥିଲା ସଦା-ଏ-ସର୍‌ହଦ୍‌ ।

୧୨. ୨୦୦୦ ମସିହାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନତି  ଆସିବା ପରେ ୨୦୦୧ରେ ତାଙ୍କର ଆଣ୍ଠୁ ପ୍ରତିରୋପଣ ସର୍ଜରୀ କରାଯାଇଥିଲା । ଏହାପରେ ୨୦୦୯ରେ ସେ ଏକ ଷ୍ଟ୍ରୋକର ଶିକାର ହୋଇଥିଲେ।

୧୩.ଏକ ସାକ୍ଷାତକାରରେ ସେ ରାଜନେତା ନୁହେଁ ବରଂ ଜଣେ ଭଲ କବି ହେବାକୁ ଚାହାଁନ୍ତି ବୋଲି କହିଥିଲେ । ହିନ୍ଦୀ ଭାଷାରେ ସେ ଅନେକ କବିତା ଲେଖିଥିବା ବେଳେ ତାହା ଲୋକପ୍ରିୟ ମଧ୍ୟ ହୋଇପାରିଥିଲା ।

୧୪.ଜାତିରେ ବ୍ରାହ୍ମଣ ହୋଇଥିବାରୁ ତାଙ୍କ ଘରେ ନିରାମିଷ ଭୋଜନ ପ୍ରଚଳିତ ଥିବା ବେଳେ ସେ ଆମିଷ ଖାଇବାକୁ ଖୁବ୍‌ ଭଲ ପାଆନ୍ତି । ଚିଙ୍ଗୁଡ଼ି ଖାଇବାକୁ ସେ ପସନ୍ଦ କରୁଥିବା ବେଳେ ଦିଲ୍ଲୀର କରିମ୍‌ ରେସ୍ତୋରାଁ ସେ ଖାଇବାକୁ ପସନ୍ଦ କରନ୍ତି ।

ohfact.com

୧୫.ଡ଼ିସେମ୍ବର ୨୫,୨୦୧୪ରେ ତାଙ୍କୁ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ‘ଭାରତ ରତ୍ନ’ ଉପାଧିରେ ସମ୍ମାନିତ କରିଥିଲେ ।

ohfact.com
ସମ୍ବନ୍ଧିତ ଖବର