ରାଜ୍ୟଗୁଡ଼ିକ ଦ୍ବାରା ଶ୍ରମ ନିୟମରେ ସଂଶୋଧନ ‘ଆନ୍ତର୍ଜାତିକ ଶ୍ରମ ସଂଗଠନ’ରେ ପହଞ୍ଚିଲା ମାମଲା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଲା ଆଇଏଲ୍‌ଓ, ଆନ୍ତର୍ଜାତିକ ଚୁକ୍ତି ପାଳନ କରିବାକୁ କହିଲା

ନୂଆଦିଲ୍ଲୀ: ରାଜ୍ୟଗୁଡ଼ିକ ମନଇଚ୍ଛା ଶ୍ରମ ନିୟମରେ କରୁଥିବା ସଂଶୋଧନକୁ ନେଇ ଆନ୍ତର୍ଜାତିକ ଶ୍ରମ ସଂଗଠନ (ଆଇଏଲ୍‌ଓ) ଆପତ୍ତି ଉଠାଇବା ସହ ହସ୍ତକ୍ଷେପ କରିବା ଆରମ୍ଭ କରିଛି। ଏହି ପ୍ରସଙ୍ଗରେ ଆଇଏଲ୍‌ଓ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଆନ୍ତର୍ଜାତିକ ଚୁକ୍ତିକୁ ପାଳନ କରିବାକୁ ପରାମର୍ଶ ଦିଆଯାଇଛି। କରୋନା ସଙ୍କଟ ଦ୍ବାରା ପ୍ରଭାବିତ ହୋଇଥିବା ଅର୍ଥନୀତିରେ ସୁଧାର ଆଣିବା ଲାଗି ମହାରାଷ୍ଟ୍ର, ରାଜସ୍ଥାନ, ଗୁଜରାଟ, ଗୋଆ, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଆସାମ, ହରିଆନା ଏବଂ ହିମାଚଳପ୍ରଦେଶ ଭଳି ୧୦ଟି ରାଜ୍ୟ କର୍ମଚାରୀ ପାଇଁ କାର୍ଯ୍ୟ ସମୟକୁ ୮ ଘଣ୍ଟାରୁ ୧୨ ଘଣ୍ଟା ପର୍ଯ୍ୟନ୍ତ ବଢ଼ାଇଦେଇଛନ୍ତି। ଏଥି ସହିତ ଶ୍ରମ ନିୟମରେ ଥିବା ଅନେକ ଗୁରୁତ୍ବପୂର୍ଣ୍ଣ ସର୍ତ୍ତକୁ କିଛି ନିର୍ଦିଷ୍ଟ ବର୍ଗର କଂପାନିଗୁଡ଼ିକ ଲାଗି ଉଚ୍ଛେଦ କରିଛନ୍ତି। ଉତ୍ତରପ୍ରଦେଶ ଓ ଗୁଜରାଟ ଭଳି ବିଜେପି ଶାସିତ ରାଜ୍ୟଗୁଡ଼ିକ ମଧ୍ୟ ଶ୍ରମ ନିୟମରେ ସଂଶୋଧନ କରିଛନ୍ତି। ଶ୍ରମ ନିୟମରେ ରାଜ୍ୟଗୁଡ଼ିକର ଏଭଳି ମନମୁଖି ସଂଶୋଧନକୁ ନେଇ ଦେଶର ୧୦ଟି ଶ୍ରମିକ ସଂଗଠନ ଆପତ୍ତି ଉଠାଇବା ସହ ଆନ୍ତର୍ଜାତିକ ଶ୍ରମ ସଂଗଠନ ନିକଟରେ ଭାରତ ସରକାରଙ୍କ ବିରୋଧର ଅଭିଯୋଗ କରିଛନ୍ତି। ସେହି ଶ୍ରମିକ ସଂଗଠନଗୁଡ଼ିକ ହେଉଛି ସିଟୁ, ଏଆଇଟିୟୁସି, ଏଚ୍‌ଏମ୍‌ଏସ୍‌, ଏଆଇୟୁଟିୟୁସି, ଏସ୍‌ଇଡବ୍ଲୁଏ, ଏଲ୍‌ପିଏଫ୍, ଏଆଇସିସିଟିୟୁ ଓ ୟୁଟିୟୁସି। ଶ୍ରମିକମାନଙ୍କ ଅଧିକାରର ସୁରକ୍ଷା ଲାଗି ଭାରତ ସରକାରଙ୍କ ସହ ଆଲୋଚନା କରିବାକୁ ସେମାନେ ଆଇଏଲ୍‌ଓକୁ ଅନୁରୋଧ କରିଛନ୍ତି। ଗତ ମେ’ ୧୪ରେ ଶ୍ରମିକ ସଂଗଠନଗୁଡ଼ିକ ଆଇଏଲ୍‌ଓରେ ଅଭିଯୋଗ କରିଥିଲେ। ଶ୍ରମିକ ସଂଗଠନଗୁଡ଼ିକର ଅଭିଯୋଗକୁ ବିଚାରକୁ ନେଇ ଆଇଏଲ୍‌ଓର ମହାନିର୍ଦେଶକ ଗାୟ ରାଇଡର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି। ଭାରତ ହେଉଛି ଆଇଏଲ୍‌ଓର ଏକ ପ୍ରତିଷ୍ଠାତା ସଦସ୍ୟ ଏବଂ ଏହି ସଂଗଠନର ଅନେକ ସର୍ତ୍ତ ମାନିବାକୁ ସରକାର ଅନୁମୋଦନ ଦେଇଥିବା ବିଷୟକୁ ସେ ଭାରତ ସରକାରଙ୍କୁ ମନେ ପକାଇ ଦେଇଛନ୍ତି। ସେହି ସବୁ ସର୍ତ୍ତଗୁଡ଼ିକୁ ଠିକ୍ ଭାବେ ପାଳନ କରିବାକୁ ମଧ୍ୟ କହିଛନ୍ତି। ଏ ସମ୍ପର୍କରେ ଆଇଏଲ୍‌ଓର ଅଧିକାରୀ କରିନ୍ କୁର୍ଟିସ୍‌ କହିଛନ୍ତି ଯେ, ଭାରତ ସରକାର ଯେଉଁ ଉତ୍ତର ଦେବେ ସେ ସମ୍ପର୍କରେ ଶ୍ରମିକ ସଂଗଠନଗୁଡ଼ିକୁ ଅବଗତ କରାଯିବ।

ଯେହେତୁ ଭାରତ ଆଇଏଲ୍‌ଓର ପ୍ରତିଷ୍ଠାତା ସଦସ୍ୟ ଏବଂ ଏହାର ସର୍ତ୍ତଗୁଡ଼ିକୁ ମାନିବାକୁ ରାଜି ହୋଇଛି ତେଣୁ ଶ୍ରମ ନିୟମରେ ପରିବର୍ତ୍ତନ କରିବା ପୂର୍ବରୁ ଏହା ଶ୍ରମିକ ସଂଗଠନଗୁଡ଼ିକ ସହିତ ଆଲୋଚନା କରିବାର ଥିଲା। କିନ୍ତୁ ରାଜ୍ୟଗୁଡ଼ିକ ଶ୍ରମ ନିୟମର ବିଭିନ୍ନ ଧାରାକୁ ଉଚ୍ଛେଦ କରିବା ପୂର୍ବରୁ ଶ୍ରମିକ ସଂଗଠନଗୁଡ଼ିକ ସହ ଆଲୋଚନା କରିନଥିଲେ। ଅନେକ ରାଜ୍ୟ ଶ୍ରମ ନିୟମକୁ ସଂଶୋଧନ କରିବା ପରେ ଶ୍ରମିକ ସଂଗଠନଗୁଡ଼ିକ ଏହାକୁ ନେଇ ଆପତ୍ତି ଉଠାଇଥିଲେ। ସେମାନେ ଆଇଏଲ୍‌ଓରେ ଅଭିଯୋଗ କରିବା ପରେ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ବିକ୍ଷୋଭ ପରେ ଉତ୍ତରପ୍ରଦେଶ ଓ ରାଜସ୍ଥାନ ସରକାର ନିଜର କେତେକ ନିଷ୍ପତ୍ତି ବଦଳାଇଛନ୍ତି। ୧୯୧୯ରେ ଆନ୍ତର୍ଜାତିକ ସଂସ୍ଥା ଆଇଏଲ୍‌ଓ ପ୍ରତିଷ୍ଠା କରାଯାଇଥିଲା। କାର୍ଯ୍ୟ ସମୟ, ଶ୍ରମ ଯାଂଚ, ସମାନ ମଜୁରି ଏବଂ ଆଘାତ ଭଳି ମାମଲାରେ କ୍ଷତିପୂରଣ ଭଳି ଆଇଏଲ୍‌ଓର ପ୍ରାୟ ୪୭ଟି ସର୍ତ୍ତକୁ ଭାରତ ସରକାର ପାଳନ କରିବେ ବୋଲି ଅନୁମୋଦନ ପ୍ରଦାନ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ନିତି ଆ‌ୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ମଧ୍ୟ ରାଜ୍ୟଗୁଡ଼ିକ ଦ୍ବାରା ଶ୍ରମ ନିୟମରେ କରାଯାଇଥିବା ସଂଶୋଧନକୁ ନେଇ ଆପତ୍ତି ଉଠାଇଥିଲେ। ଏକ ସାକ୍ଷାତକାରରେ ସେ କହିଥିଲେ ଯେ ଶ୍ରମ ନିୟମ ଉଚ୍ଛେଦ କରିବା ସଂସ୍କାର ନୁହେଁ। ଭାରତ ହେଉଛି ଆଇଏଲ୍‌ଓ ଚୁକ୍ତି ସ୍ବାକ୍ଷର କରିଥିବା ଦେଶ। ରାଜ୍ୟଗୁଡ଼ିକ ଏଭଳି ଭାବେ ଶ୍ରମ ନିୟମ ଉଚ୍ଛେଦ କରିପାରିବେ ନାହିଁ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର