ଆଲିଗଡ଼ରେ ଉତ୍ତେଜନା ଅବ୍ୟାହତ, ଇଣ୍ଟରନେଟ ସେବା ବନ୍ଦ

0 196

ଆଲିଗଡ଼ : ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟରେ ପାକିସ୍ତାନ ପ୍ରତିଷ୍ଠାତା ମହମ୍ମଦ ଅଲି ଜିନ୍ନାଙ୍କ ଫଟୋ ଲଗାଯିବାକୁ ନେଇ ବିବାଦ ବଢିବାରେ ଲାଗିଛି । ଉତ୍ତରପ୍ରଦେଶ ସରକାର ଓ ହିନ୍ଦୁବାଦୀ ସଂଗଠନଗୁଡ଼ିକ ଏହାକୁ ପ୍ରବଳ ବିରୋଧ କରୁଥିବାବେଳେ ବିଶ୍ୱ ବିଦ୍ୟାଳୟର ମୁସଲିମ ଛାତ୍ରମାନେ ଫଟୋ ଲଗାଇବା ସପକ୍ଷରେ ମତ ଦେଇଛନ୍ତି । ଫଳରେ ପରିସ୍ଥିତି ଦିନକୁ ଦିନ ଅଧିକ ଉତ୍ତେଜନାପୂର୍ଣ୍ଣ ହୋଇଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଲିଗଡ଼ରେ ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯାଇଛି । ଆଜି ଅପରାହ୍ନ ୨ଟାରୁ ଆସନ୍ତା କାଲି ରାତି ୧୨ଟା ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି ବୋଲି ଜିଲ୍ଲାପାଳ ଚନ୍ଦ୍ର ଭୁଷଣ ସିଂ କହିଛନ୍ତି । ଏହି ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିର ଫାଇଦା ନେଇ କେତେକ ଅସାମାଜିକ ବ୍ୟକ୍ତି ହିଂସାକାଣ୍ଡ ସୃଷ୍ଟି କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି ବୋଲି ଖବର ମିଳିବା ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି । ଅନ୍ୟପକ୍ଷରେ ଫଟୋ ହଟାଯିବାକୁ ନେଇ ଛାତ୍ରଛାତ୍ରୀମାନଙ୍କ ବିକ୍ଷୋଭ ଅବ୍ୟାହତ ରହିଛି । କ୍ରମାଗତ ଦ୍ୱିତୀୟ ଦିନ ପାଇଁ ସେମାନେ ଶ୍ରେଣୀ ବର୍ଜନ କରିଛନ୍ତି ।
ବିଶ୍ୱ ବିଦ୍ୟାଳୟରେ ଏହି ଫଟୋ ଚିତ୍ରଟି ଗତ ୧୯୩୮ ମସିହାରୁ ଲାଗିଛି । ବିଶ୍ୱ ବିଦ୍ୟାଳୟ ଛାତ୍ର ସଂଗଠନର ନିୟମ ଅନୁସାରେ ଅବିଭକ୍ତ ଭାରତର ବିଶିଷ୍ଟ ନେତା ଯେଉଁମାନେ ଏହି ବିଶ୍ୱବିଦ୍ୟାଳୟ ଗ୍ରସ୍ତରେ ଆସିଛନ୍ତି ସେମାନଙ୍କ ଫଟୋ ଲଗାଯାଇଥାଏ । ଏଣୁ ଏହି ଫଟୋ ହଟା ଯିବ ନାହିଁ ବୋଲି ଛାତ୍ର ସଂସଦ ସଭାପତି ମସକୁର ଅହମଦ ଉସମାନୀ କହିଛନ୍ତି । କିନ୍ତୁ ଏହା ହଟାଇବାକୁ ହିନ୍ଦୁ ଯୁବା ବାହିନୀ, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଦାବି କରାଯାଉଛି ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.