ଅକଳରେ ପକାଇଲାଣି ଅନ୍ତଃରାଜ୍ୟ ନଦୀ ଜଳ ବିବାଦ : ଅଡ଼ୁଆରେ ଓଡ଼ିଶା

କେନ୍ଦ୍ର ତଥ୍ୟ ଦେଲେ ଜନଶୁଣାଣି ପାଇଁ ରାଜି, ଜାନୁଆରି ପ୍ରଥମ ସପ୍ତାହରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ : ବିବାଦୀୟ ପୋଲାଭରମ୍‌ ଇନ୍ଦିରାସାଗର ବହୁମୁଖୀ ଜଳସେଚନ ପ୍ରକଳ୍ପ ମାମଲାରେ ଆଜି ଓଡ଼ିଶାକୁ ଶକ୍ତ ଝଟ୍‌କା ଲାଗିଛି। ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଉପରେ ରହିତାଦେଶ ଜାରି କରିବାପାଇଁ ଆଜି ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ସୁପ୍ରିମକୋର୍ଟର ବିଚାରପତି ମଦନ ବି ଲୋକୁର, ବିଚାରପତି ଦୀପକ ଗୁପ୍ତା ଓ ବିଚାରପତି ଏସ୍‌ ଏ ନଜିରଙ୍କ ଖଣ୍ଡପୀଠରେ ଆଜି ମାମଲାର ଶୁଣାଣି ଥିଲା। ଶୁଣାଣି ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବରିଷ୍ଠ ଓକିଲ ଅଶୋକ କୁମାର ପଣ୍ଡା ଓ ୱାସିମ କାଦ୍ରି କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରି କହିଥିଲେ ଯେ ଜନଶୁଣାଣି କରିବାପାଇଁ ରାଜ୍ୟ ସମ୍ପୂର୍ଣ୍ଣ ଅଧିକୃତ ଥିବାବେଳେ କେନ୍ଦ୍ର ସରକାରଙ୍କର ଏଥିରେ ବିଶେଷ କିଛି ଭୂମିକା ନାହିଁ। ଗତ ଶନିବାର ଦିନ ‌କେନ୍ଦ୍ର ଦ୍ବାରା ଦାଖଲ ହୋଇଥିବା ସତ୍ୟପାଠରେ ଏନେଇ ବିସ୍ତୃତ ବିବରଣୀ ଦିଆଯାଇଛି। ଅନ୍ୟପକ୍ଷେ କେନ୍ଦ୍ରର ଏଭଳି ବୟାନକୁ ଆଜି ଓଡ଼ିଶା ପକ୍ଷରୁ କଡ଼ା ସମାଲୋଚନା କରାଯାଇଛି।

ଓଡ଼ିଶା ପକ୍ଷରୁ ବରି‌ଷ୍ଠ ଓକିଲ ଅରୁଣ କାଥପାଲିଆ ଆଜି ଖଣ୍ଡପୀଠଙ୍କୁ କହିଥିଲେ ଯେ ପୋଲାଭରମ ପ୍ରକଳ୍ପ ଡିଜାଇନ୍‌କୁ ବଦଳାଇ ଦିଆଯାଇଥିବାରୁ ଏଥିଯୋଗୁଁ ବ୍ୟାପକ କ୍ଷୟକ୍ଷତି ଓ ଜଳମଗ୍ନ ହେବାର ଆଶଙ୍କା ରହିଛି। ଏ ନେଇ ଗତ ସେପ୍ଟେମ୍ବର ୯ ତାରିଖରେ ରାଜ୍ୟ ସରକାର ପୋଲାଭରମ ପ୍ରକଳ୍ପର ପରିବେଶ ମଂଜୁରି ସମ୍ପର୍କିତ କେନ୍ଦ୍ର ଓ ଆନ୍ଧ୍ର ସରକାରଙ୍କ ଦ୍ବାରା ଦାଖଲ ହୋଇଥିବା ସତ୍ୟପାଠରେ ପ୍ରତି ଜବାବ ଦାଖଲ କରି ସବୁ ସ୍ପଷ୍ଟ କରି ସାରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି ଯେ ଫେରନ୍ତା ଜଳ ଏବଂ ନୂତନ ଡିଜାଇନ ଅନୁଯାୟୀ ପ୍ରକଳ୍ପର ଜଳଧାରଣା ଆକଳନ କରାଯାଉ। ବୁଡ଼ି ଅଞ୍ଚଳର ତଥ୍ୟ ସଠିକ୍‌ ଭାବେ ଜଣାପଡ଼ିଲେ ପ୍ରଭାବିତ ଗାଁ ଏବଂ ପ୍ରକଳ୍ପ ଦ୍ବାରା ବିସ୍ଥାପିତ ହେବାକୁ ଥିବା ଲୋକମାନଙ୍କୁ ଚିହ୍ନଟ କରାଯାଇପାରିବ। ଏହାପରେ ଜନଶୁଣାଣି କରାଯାଇପାରିବ ବୋଲି ରାଜ୍ୟସରକାରଙ୍କ ଓକିଲ ଖଣ୍ଡପୀଠଙ୍କୁ ଅବଗତ କରିଥିଲେ।

ତେବେ ପ୍ରକଳ୍ପର ଜଳଧାରଣା କ୍ଷମତାକୁ ୫୦ କ୍ୟୁସେକ୍‌କୁ ବୃଦ୍ଧି କରାଯିବା ସମ୍ପର୍କିତ ଦସ୍ତାବିଜ ବର୍ତ୍ତମାନ ସୁଦ୍ଧା ପ୍ରଭାବିତ ରାଜ୍ୟମାନଙ୍କୁ ଦିଆଯାଇପାରିନାହିଁ ଏବଂ ଏହା କେନ୍ଦ୍ର ଓ ଆନ୍ଧ୍ରର ସମ୍ବେଦନହୀନତାର ପରିଚୟ ଦେଉଛି ବୋଲି ଓଡ଼ିଶା ପକ୍ଷରୁ ଯୁକ୍ତି କରାଯାଇଥିଲା। ସେହିପରି ପୋଲାଭରମ୍‌ ପ୍ରକଳ୍ପର ନକ୍ସା ପରିବର୍ତ୍ତନ ହେବାପରେ ଏହାର ବାସ୍ତବ ସ୍ଥିତି, ପ୍ରଭାବିତଙ୍କ ସଂଖ୍ୟା, ବୁଡ଼ି ଅଞ୍ଚଳର ସଦ୍ୟ ବିବରଣୀ କିଛି ମଧ୍ୟ ଯୋଗାଇ ଦିଆଯାଇନାହିଁ । ଏସବୁ ତଥ୍ୟର ସଠିକ୍‌ ବିବରଣୀ ନମିଳିବା ପର୍ଯ୍ୟନ୍ତ ପ୍ରକଳ୍ପ ପାଇଁ ଜନଶୁଣାଣିକୁ କିଭଳି କ୍ରିୟାନ୍ବୟନ କରାଯାଇପାରିବ ବୋଲି ଓଡ଼ିଶା ଓକିଲ ଖଣ୍ଡପୀଠଙ୍କୁ ପ୍ରଶ୍ନ କରିଥିଲେ।

ଆଜି ଶୁଣାଣି ସମୟରେ ଛତିଶଗଡ଼ ଓକିଲ ଅତୁଲ୍ ଝା କହିଥିଲେ ଯେ ପୋଲାଭରମ ପ୍ରକଳ୍ପ ପରିସରରେ ବ୍ୟାପକ ପରିବର୍ତନ କରାଯାଇଥିବାରୁ କେତେ ଅଞ୍ଚଳ ବୁଡ଼ିବ ଏବଂ କେତେ କ୍ଷତି ହେବ ସେ ନେଇ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ରୂପେ କିଛି ଆକଳନ ହୋଇପାରିନି। ଏଭଳି ସ୍ଥିତିରେ ଜନଶୁଣାଣି କିଭଳି କରାଯାଇପାରିବ ବୋଲି ସେ ଖଣ୍ଡପୀଠଙ୍କୁ ପ୍ରଶ୍ନ କରିଥିଲେ।

ଓଡ଼ିଶା ଓ ଛତିଶଗଡ଼ ପକ୍ଷରୁ ଆଜି ଏକାପ୍ରକାରର ଯୁକ୍ତି ଉପସ୍ଥାପନ କରାଯ‌ାଇ ଉଭୟ କେନ୍ଦ୍ର ଓ ଆନ୍ଧ୍ରର ଆଭିମୁଖ୍ୟକୁ କଡ଼ା ସମାଲୋଚନା କରାଯାଇଥିଲା। ଦୁଇପକ୍ଷର ଯୁକ୍ତି ଶୁଣିବାପରେ ଖଣ୍ଡପୀଠ ସୂଚନା କାହିଁକି ଉପଲବ୍ଧ କରାଯାଉନାହିଁ ବୋଲି କେନ୍ଦ୍ର ଓ ଆନ୍ଧ୍ର ସରକାରଙ୍କୁ ପ୍ରଶ୍ନ କରିଥିଲେ। ଖଣ୍ଡପୀଠ ଆଜି ଓଡ଼ିଶା ଓ ଛତିଶଗଡ଼କୁ କହିଥିଲେ ଯେ ଜନଶୁଣାଣି ପାଇଁ କେଉଁ ସବୁ ସୂଚନା ଆବଶ୍ୟକ ସେନେଇ ସତ୍ୟପାଠ ଜରିଆରେ କେନ୍ଦ୍ରକୁ ତାଲିକା ଦିଅ। ଏହାପରେ କେନ୍ଦ୍ର ଦ୍ବାରା ଦୁଇ ରାଜ୍ୟକୁ ଜନଶୁଣାଣି ସମ୍ପର୍କିତ ସୂଚନା ପ୍ରଦାନ କରାଯିବ। ଯଦି କେନ୍ଦ୍ର ଦ୍ବାରା ସୂଚନା ଉପଲବ୍ଧ କରାଯିବ ତେବେ ଏହି ଦୁଇ ରାଜ୍ୟ ଜନଶୁଣାଣି କରିବେ କି ବୋଲି ଖଣ୍ଡପୀଠ ପ୍ରଶ୍ନ କରିବାରୁ ଉଭୟ ରାଜ୍ୟ ସମ୍ମତି ପ୍ରକାଶ କରିଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରି ପ୍ରଥମ ସପ୍ତାହକୁ ଧାର୍ଯ୍ୟ କରାଯାଇଛି। ଅନ୍ୟପକ୍ଷେ ରାଜ୍ୟ ସରକାରଙ୍କ ଓକିଲ ଆନ୍ଧ୍ରପ୍ରଦେଶ ଦ୍ବାରା ପ୍ରସ୍ତାବିତ ଆଡ଼ିବନ୍ଧ ନିର୍ମାଣକୁ ନେଇ ରହିତାଦେଶ ଜାରିପାଇଁ ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଖଣ୍ଡପୀଠ ଆଡ଼ିବନ୍ଧ ରାତାରାତି ନିର୍ମାଣ ହୋଇପାରିବନି ବୋଲି ଓଡ଼ିଶାର ରହିତାଦେଶ ଦାବିକୁ ଅଗ୍ରାହ୍ୟ କରିଦେଇଛନ୍ତି।

ସମ୍ବନ୍ଧିତ ଖବର