ତଦନ୍ତକାରୀ ଅଧିକାରୀଙ୍କୁ ୨୦୦୦ ଧମକପୂର୍ଣ୍ଣ ଚିଠି

ଯୋଧପୁର: ଆଶାରାମଙ୍କ ବିରୋଧରେ ଦୁଷ୍କର୍ମ ମାମଲାର ତଦନ୍ତ କରିଥିବା ବରିଷ୍ଠ ପୁଲିସ ଅଧିକାରୀ ଅଜୟ ପାଲ୍‌ ଲାମ୍ବାଙ୍କ ପାଇଁ ଏହି ମାମଲାଟି ଅନେକ ସଙ୍କଟ ସୃଷ୍ଟି କରିଥିଲା। ତାଙ୍କ ଜୀବନ ଓ ପରିବାର ପ୍ରତି ବଡ଼ ବିପଦ ରହିଥିଲା। ମାମଲାର ତଦନ୍ତ ପର୍ଯ୍ୟାୟରେ ଅଜୟଙ୍କ ପାଖକୁ ୨୦୦୦ରୁ ଊର୍ଦ୍ଧ୍ୱ ଧମକପୂର୍ଣ୍ଣ ଚିଠି ଏବଂ ଶହେରୁ ଊର୍ଦ୍ଧ୍ୱ ଫୋନ୍‌ କଲ୍‌ ଆସିଥିଲା। ଲାମ୍ବାଙ୍କ କହିବା ଅନୁଯାୟୀ ୨୦୧୩ ମସିହା ଅଗଷ୍ଟ ୨୦ ତାରିଖରେ ତାଙ୍କୁ ହସ୍ତାନ୍ତର କରାଯାଇଥିବା ଏହି ମାମଲାଟି ତାଙ୍କ କ୍ୟାରିୟରରେ ଏକ ହାଇ ପ୍ରୋଫାଇଲ୍‌ ମାମଲା ଥିଲା। ଆଶାରାମ୍‌ଙ୍କ ସମର୍ଥକମାନେ ପୁଲିସ କର୍ମୀଙ୍କୁ ସବୁବେଳେ ଧମକ ଦେବା ସବୁଠୁ ବିରକ୍ତିଜନକ ଥିଲା ବୋଲି ଅଜୟ କହିଛନ୍ତି। ତେବେ ୨୦୦୫ ବ୍ୟାଚ୍‌ର ଆଇପିଏସ ଅଫିସର ଲାମ୍ବା ଉଦୟପୁରକୁ ସ୍ଥାନାନ୍ତର ହେବାପରେ ତାଙ୍କ ନିକଟକୁ ଏହି ଧମକପୂର୍ଣ୍ଣ ଚିଠି ଆସିବା ବନ୍ଦ ହୋଇଥିଲା।

ଯୋଧପୁରରେ ଏସ୍‌୍‌ପି ଥିବା ଲାମ୍ବା ହତ୍ୟା ଧମକ ପାଇବାପରେ ଭୟରେ ତାଙ୍କ ଝିଅକୁ ମଧ୍ୟ କିଛି ଦିନ ପାଇଁ ସ୍କୁଲ୍‌କୁ ଛାଡ଼ିଲେନି। ମାମଲାରେ ଜଣେ ସାକ୍ଷୀଙ୍କୁ ହତ୍ୟା କରିଥିବା ଜଣେ ଅଭିଯୁକ୍ତ ଗିରଫ ହେବାପରେ ସ୍ୱୀକାର କରିଥିଲା ଯେ ତା’ର ପରବର୍ତ୍ତୀ ଟାର୍ଗେଟ୍‌ ଥିଲେ ଚଞ୍ଚଲ୍‌ ମିଶ୍ର ଯିଏ ଏହି ମାମଲାର ତଦନ୍ତକାରୀ ଅଫିସର ଥିଲେ। ନାବାଳିକା ଦୁଷ୍କର୍ମ ମାମଲା ହାତକୁ ନେବାର ୧୦ ସପ୍ତାହ ମଧ୍ୟରେ ହିଁ ତଦନ୍ତକାରୀ ଦଳ ଚାର୍ଜସିଟ୍‌ ଫାଇଲ୍‌ କରିଥିଲେ ବୋଲି ଲାମ୍ବା କହିଛନ୍ତି। ଲାମ୍ବାଙ୍କ କହିବା ଅନୁଯାୟୀ ଆଶାରାମ୍‌ଙ୍କୁ ଗିରଫ କରିବା ପୁଲିସ ପକ୍ଷେ ଖୁବ୍‌ କଷ୍ଟସାଧ୍ୟ ଥିଲା। ସେ କହିଛନ୍ତି ୧୧ ଜଣିଆ ସଦସ୍ୟ ବିଶିଷ୍ଟ ତାଙ୍କ ଟିମ୍‌ ଯେତେବେଳେ ସମନ୍‌ ନୋଟିସ ଦେବାପାଇଁ ବାବାଙ୍କ ଆଶ୍ରମକୁ ଯାଇଥିଲେ ସେ ସମୟରେ ସେମାନଙ୍କୁ ୮୦୦୦ ବିଶୃଙ୍ଖଳ ଜନତାଙ୍କୁ ସାମ୍ନା କରିବାକୁ ପଡ଼ିଥିଲା। ଏହାପରେ ୨୦୧୩ ମସିହା ଅଗଷ୍ଟ ୩୦ ତାରିଖରେ ଯୋଧପୁର ପୁଲିସ ଟିମ୍‌ ବାବାଙ୍କ ଆଶ୍ରମରେ ଚଢ଼ଉ କରି ତାଙ୍କୁ ଗିରଫ କରିଥିଲେ।

ସମ୍ବନ୍ଧିତ ଖବର