ରାହୁଲଙ୍କୁ ଶୁଭେଚ୍ଛାର ସହ ବୁଲିବାକୁ ଡାକିଥିଲି, କିନ୍ତୁ ସେ ରାଜନୀତି କରିବାକୁ ଆସିଥିଲେ : ସତ୍ୟପାଲ ମଲ୍ଲିକ

ଶ୍ରୀନଗର : ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ କଶ୍ମୀର ଯାଇଥିବା ବିରୋଧୀ ଦଳ ପ୍ରତିନିଧିମଣ୍ଡଳୀକୁ ଫେରାଇ ଦିଆଯିବା ସଂପର୍କରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଜମ୍ମୁ ଓ କଶ୍ମୀରର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ । ସେ କହିଛନ୍ତି ଯେ ଶୁଭେଚ୍ଛା ଦୃଷ୍ଟିରୁ ରାହୁଲଗାନ୍ଧିଙ୍କୁ କଶ୍ମୀର ଆସିବା ପାଇଁ ଡାକିଥିଲି, କିନ୍ତୁ ତାହାକୁ ରାଜନୀତି କରିବାର ସୁଯୋଗ ବୋଲି ସେ ଭାବିଲେ ଓ ବିରୋଧୀଦଳର ନେତାମାନଙ୍କୁ ନେଇ ଆସିଥିଲେ । ଆଜି ସେ ଯାହା କରିବାକୁ ଆସିଥିଲେ ତାହା କେବଳ ରାଜନୀତି ଛଡା ଆଉ କିଛି ନୁହେଁ । ରାଜନୈତିକ ଦଳମାନେ ରାଜନୀତି କରିବାବେଳେ ଦେଶର ସ୍ୱାର୍ଥକୁ ସର୍ବୋପରି ରଖିବା ଆବଶ୍ୟକ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ସଂସଦରେ ତାଙ୍କ ଦଳର ନେତାମାନେ ଧାରା ୩୭୦ ଉପରେ କହିବାବେଳେ ରାହୁଲ ଗାନ୍ଧି କହିବାର ଥିଲା । ଏବେ ଏଠାରେ ତାଙ୍କର କୌଣସି ଆବଶ୍ୟକତା ନାହିଁ ।
ସୂଚନାଯୋଗ୍ୟ ଯେ ଗତ ୧୨ ତାରିଖରେ ସତ୍ୟପାଲ ମଲ୍ଲିକ ରାହୁଲ ଗାନ୍ଧିଙ୍କୁ କହିଥିଲେ ଯେ ସେ ଏକ ବିମାନ ପଠାଇବେ, ସେ ଆସି କଶ୍ମୀରର ସ୍ଥିତି ଦେଖି ଯାଆନ୍ତୁ । ଏହାକୁ ଗ୍ରହଣ କରି ରାହୁଲ ଆଜି ଏକ ୧୧ ଜଣିଆ ପ୍ରତିନିଧିମଣ୍ଡଳୀକୁ ନେଇ ସେଠାକୁ ଯାଇଥିଲେ । କିନ୍ତୁ ଶ୍ରୀନଗର ଏୟାରପୋର୍ଟରୁ ହିଁ ସେମାନଙ୍କୁ ଫେରାଇ ଦେଇଥିଲା ଜମ୍ମୁ ଓ କଶ୍ମୀର ପ୍ରଶାସନ ।

ସମ୍ବନ୍ଧିତ ଖବର