ଆଖି ବୁଜିଲେ ଆଇପିଏସ୍ ଅଧିକାରୀ ସୁରେନ୍ଦ୍ର
୪ ଦିନ ତଳେ ବିଷ ପିଇଥିଲେ, ଚିକିତ୍ସାରେ ବ୍ୟାଚ୍ ସାଥୀ ୨୦ ଲକ୍ଷ ଖର୍ଚ୍ଚ କଲେ
କାନପୁର: ୪ ଦିନ ତଳେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା କାନପୁରର ଆଇପିଏସ୍ ଅଧିକାରୀ ସୁରେନ୍ଦ୍ର ଦାସ ଆଜି ଆଖି ବୁଜିଛନ୍ତି। ଶନିବାର ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ବିଗିଡ଼ି ଯାଇଥିଲା। ତେଣୁ ଡାକ୍ତରମାନେ ତାଙ୍କଠାରେ ଜରୁରୀ ଅସ୍ତ୍ରୋପଚାର କରାଇଥିଲେ। ଆଜି ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଚଳିତବର୍ଷ ଅଗଷ୍ଟରେ ତାଙ୍କୁ କାନପୁରର ଏସ୍ପି ଭାବେ ଦାୟିତ୍ୱ ଦିଆଯାଇଥିଲା। କାନପୁରର ରିଜେନ୍ସି ହସ୍ପିଟାଲ୍ର ସିଏମ୍ଓ ଡକ୍ଟର ରାଜେଶ ଅଗ୍ରଓ୍ଵାଲ୍ କହିଛନ୍ତି, ବିଷପାନ ଯୋଗୁ ସୁରେନ୍ଦ୍ରଙ୍କ ହୃଦୟ ଠିକ୍ ଭାବେ କାମ କରୁନଥିଲା। ତେଣୁ ଶନିବାର ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା ଏବଂ ଏହା ସଫଳ ହୋଇଥିଲା। ଏହା ସତ୍ତ୍ୱେ ଆଜି ଅପରାହ୍ନ ୧୨.୧୯ରେ ସେ ଆଖି ବୁଜିଦେଇଛନ୍ତି। ଘଟଣାରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକପ୍ରକାଶ କରିଛନ୍ତି। ସୁରେନ୍ଦ୍ରଙ୍କ ପରିବାର ପ୍ରତି ତାଙ୍କର ସମବେଦନା ଜଣାଇଛନ୍ତି। ସେହିଭଳି ୟୁପି ଡିଜିପି ଓ ପି ସିଂହ ମଧ୍ୟ ଟ୍ଵିଟର୍ରେ ଶୋକପ୍ରକାଶ କରିବା ସହିତ ସୁରେନ୍ଦ୍ର ଜଣେ ଦାୟିତ୍ୱବାନ୍ ଅଧିକାରୀ ଥିଲେ। ସେ ତାଙ୍କର ପ୍ରତ୍ୟେକ କାର୍ଯ୍ୟକୁ ବେଶ୍ ସଫଳତାର ସହ ନିର୍ବାହ କରିଛନ୍ତି। ତାଙ୍କ ମୃତ୍ୟୁରେ ଆଜି ରାଜ୍ୟ ପୁଲିସ ମର୍ମାହତ ବୋଲି ସେ ଦର୍ଶାଇଛନ୍ତି। ଯୁବ ଆଇପିଏସ୍ ଅଧିକାରୀ ସୁରେନ୍ଦ୍ରଙ୍କ ଅକାଳ ବିୟୋଗରେ ସେ ଅତ୍ୟନ୍ତ ଦୁଃଖୀ ବୋଲି କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
କୁହାଯାଉଛି ଯେ ସୁରେନ୍ଦ୍ରଙ୍କ ବୈବାହିକ ଜୀବନରେ ଝଡ଼ ଉଠିଥିଲା। ଅଧିକାଂଶ ସମୟରେ ପତିପତ୍ନୀଙ୍କ ମଧ୍ୟରେ କଳିଝଗଡ଼ା ହେଉଥିଲା। ଅତ୍ୟ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବା ପରେ ଶେଷରେ ସେ ସଲ୍ଫାସ୍ ଖାଇଦେଇଥିଲେ। ଫରେନ୍ସିକ୍ ଟିମ୍ ତାଙ୍କ ଘରୁ ସଲ୍ଫାସ୍ର ୩ଟି ପାଉଚ୍ ପାଇଥିଲା। ଜନ୍ମାଷ୍ଟମୀ ଦିନ ତାଙ୍କ ପତ୍ନୀ ଡା. ରବୀନା ଆମୀଷ ବର୍ଗର ମଗାଇ ଖାଇଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପୁଣି ଝଗଡ଼ା ହୋଇଥିଲା। ଅନ୍ୟପକ୍ଷରେ ସୁରେନ୍ଦ୍ର ଗତ ୪୦ ଦିନ ହେଲା ନିଜ ମାଆଙ୍କ ସହିତ କଥା ହୋଇନଥିଲେ। ତାଙ୍କ ପିତା ଭାରତୀୟ ସେନାରେ କାମ କରୁଥିଲେ। ସୁରେନ୍ଦ୍ରଙ୍କ ଚିକିତ୍ସା ପାଇଁ ତାଙ୍କ ବ୍ୟାଚ୍ ଆଇପିଏସ୍ ଅଧିକାରୀମାନେ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଜଣାପଡ଼ିଛି।