ଆଇପିଏସ୍‌ ପୁଅକୁ ସାଲ୍ୟୁଟ୍‌ ମାରିଲେ କନେଷ୍ଟବଳ ପିତା

ଲକ୍ଷ୍ନୌ: ଘଟଣାଟି ଫିଲ୍ମ ଭଳି ଲାଗୁଥିଲେ ହେଁ ଜଣେ କନେଷ୍ଟବଳଙ୍କ ଜୀବନରେ ଏହା ଘଟିଛି। କନେଷ୍ଟବଳ ହୋଇ ନିଜ ଆଇପିଏସ୍‌ ପୁଅକୁ ସାଲ୍ୟୁଟ୍‌ ମାରିଛନ୍ତି ଲକ୍ଷ୍ନୌର ଜନାର୍ଦ୍ଦନ ସିଂହ। ପୁଅକୁ ସାଲ୍ୟୁଟ୍‌ ମାରି ସେ ନିଜକୁ ଛୋଟ ମଣିନାହାନ୍ତି, ବରଂ ତାଙ୍କ ଛାତି ଗର୍ବରେ କୁଣ୍ଢେମୋଟ ହୋଇଛି। ପୁଅ ସହିତ ଏକ ଫଟୋ ସୋସିଆଲ୍‌ ମିଡିଆରେ ପୋଷ୍ଟ କରି କନେଷ୍ଟବଳ ସିଂହ ନିଜ ଖୁସି ଜାହିର କରିଛନ୍ତି। କନେଷ୍ଟବଳ ହୋଇ ମଧ୍ୟ ଜନାର୍ଦ୍ଦନ ସିଂହ ନିଜ ପୁଅ ଅନୁପ ସିଂହଙ୍କୁ ଉଚ୍ଚ ସୋପାନରେ ଦେଖିବାକୁ ଚାହୁଥିଲେ। ଏଥିପାଇଁ ପ୍ରଥମରୁ ସଂଘର୍ଷ ଆରମ୍ଭ କରିଦେଇଥିଲେ। ଯେତେ କଷ୍ଟ ପଡ଼ିଲେ ବି ପୁଅ ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ହୋଇଥିଲେ। ଶେଷରେ ଅନୁପ ଆଇପିଏସ୍‌ ହୋଇ ତାଙ୍କର ସବୁ ସ୍ବପ୍ନ ପୂରଣ କରିଛନ୍ତି। ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ଶନିବାର ଅନୁପ ସହରର ନୂଆ ଏସ୍‌ପି ଭାବେ ନିଯୁକ୍ତ ହୋଇଛନ୍ତି। ଏହି ସହରର ବିଭୂତି ଖଣ୍ଡ ଥାନାରେ ଜନାର୍ଦ୍ଦନ କନେଷ୍ଟବଳ ଅଛନ୍ତି। ତେବେ ଗତକାଲି ଡ୍ୟୁଟିରେ ଥିବା ‌େବଳେ ଏସ୍‌ପି ପୁଅକୁ ଦେଖିବା କ୍ଷଣି ଜନାର୍ଦ୍ଦନ ସାଲ୍ୟୁଟ୍‌ ମାରିଥିଲେ। ଘରେ ପୁଅ ହେଲେ ବି ଡ୍ୟୁଟିରେ ପୁଅ ତାଙ୍କ ବସ୍‌ ସାଜିଛନ୍ତି। ଏ ନେଇ ଜନାର୍ଦ୍ଦନ କୁହନ୍ତି, ‘ଅନୁପ ପ୍ରଥମେ ଜଣେ ଅଧିକା‌ରୀ ଏବଂ ପରେ ମୋ ପୁଅ। ତେଣୁ ଅନ୍ୟ ଉପରିସ୍ଥ ଅଧିକାରୀଙ୍କୁ ଦେଖିଲେ ‌େଯମିତି ସାଲ୍ୟୁଟ୍‌ କରେ ସେମିତି ଅନୁପଙ୍କୁ ମଧ୍ୟ କରିବି। ତାଙ୍କର ସମସ୍ତ ନିର୍ଦ୍ଦେଶ ପାଳନ କରିବି। ବର୍ତ୍ତମାନ ଆମ ସମ୍ପର୍କ ଯେମିତି ଆମ କର୍ତ୍ତବ୍ୟକୁ ପ୍ରଭାବିତ ନକରେ, ତାହା ଉପରେ ଧ୍ୟା‌ନ ଦେବି। ସେହିଭଳି ଅନୁପ କହିଛନ୍ତି, ମୋ ପିତା ସବୁବେଳେ ମୋର ପ୍ରେରଣା ରହିଆସିଛନ୍ତି। ସକାଳେ ତାଙ୍କ ପାଦ ଛୁଇଁବା ପରେ ମୋର ଦିନ ଆରମ୍ଭ ହୋଇଥାଏ। ତାଙ୍କ ନୀତିଆଦର୍ଶରେ ମୁଁ ଜୀବନ ବିତାଇବାକୁ ଚାହେଁ ବୋଲି ସେ କହିଛନ୍ତି। ଅନୁପ ହେଉଛନ୍ତି ୨୦୧୪ ବ୍ୟାଚ୍ ଆଇପିଏସ୍‌ ଅଧିକାରୀ।

ସମ୍ବନ୍ଧିତ ଖବର