ଇରାନ-ଆମେରିକା ପରମାଣୁ ଚୁକ୍ତି ରଦ୍ଦ ଭାରତ ଚିନ୍ତା ବଢ଼ିଲା

ତୈଳ ଦର ବୃଦ୍ଧି ଆଶଙ୍କା ସଙ୍କଟରେ ଚବାହାର ବନ୍ଦର

ନୂଆଦିଲ୍ଲୀ: ଆମେରିକା ଇରାନ୍‌ ସହିତ ପରମାଣୁ ଚୁକ୍ତିରୁ ଗତକାଲି ଓହରିଯାଇଥିବାରୁ ଏହା ବିଶ୍ୱ ବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି। ତେବେ ଇରାନ୍‌ ଏହି ଚୁକ୍ତି ରଦ୍ଦ କରିବା ନେଇ ଯେ ପର୍ଯ୍ୟନ୍ତ ବିଧିବଦ୍ଧ ଭାବେ ଘୋଷଣା ନ କରିଛି ଏହି ଚୁକ୍ତି ରଦ୍ଦ ହେବନାହିଁ ବୋଲି କୁହାଯାଉଛି। ବ୍ରିଟେନ, ଫ୍ରାନ୍ସ, ରୁଷ୍‌, ଜର୍ମାନୀ ଓ ଅନ୍ୟ ୟୁରୋପୀୟ ରାଷ୍ଟ୍ର ମଧ୍ୟ ଏହି ଚୁକ୍ତି ସହ ଜଡ଼ିତ ଅଛନ୍ତି। କିନ୍ତୁ ଆମେରିକାର ଏଭଳି ନିଷ୍ପତ୍ତି ଯୋଗୁଁ ସାରା ବିଶ୍ୱ ଏଥିରେ ପ୍ରଭାବିତ ହେବ ବୋଲି କୁହାଯାଉଛି। ବିଶେଷକରି ଏହି ଚୁକ୍ତି ରଦ୍ଦ ହେବାପରେ ଭାରତ ମଧ୍ୟ ଅନେକ ଦିଗରୁ କ୍ଷତିଗ୍ରସ୍ତ ହେବ। ୫ଟି ପ୍ରମୁଖ କ୍ଷେତ୍ରରେ ଏହାର ପ୍ରଭାବ ପଡ଼ିବା ନେଇ ଆଶଙ୍କା କରାଯାଇଛି। ତୈଳ ଦର ବୃଦ୍ଧି: ଅନ୍ତର୍ଜାତୀୟ ବଜାରରେ ଇରାନ୍‌ ଏକ ମୁଖ୍ୟ ତୈଳ ଯୋଗାଣକାରୀ ରାଷ୍ଟ୍ର। ଇରାକ ଓ ସାଉଦୀ ଆରବ ପରେ ଇରାନ ହେଉଛି ଭାରତକୁ ତୈଳ ରପ୍ତାନି କରୁଥିବା ତୃତୀୟ ରାଷ୍ଟ୍ର। ଏହି ଚୁକ୍ତି ସମ୍ପୂର୍ଣ୍ଣ ରଦ୍ଦ ହେଲେ ଆନ୍ତର୍ଜାତିକ ବଜାରରେ ତୈଳ ଦରରେ ଏହା ସିଧାସଳଖ ପ୍ରଭାବ ପକାଇବ। ବର୍ତ୍ତମାନ ବ୍ୟାରେଲ ପିଛା ଅଶୋଧିତ ତୈଳ ଦର ୭୦ ଡଲାର ଅତିକ୍ରମ କରିସାରିଲାଣି। ଗତ ଫ୍ରେବ୍ରୁଆରିରେ ଇରାନ ରାଷ୍ଟ୍ରପତି ହାସନ ରୁହାନୀଙ୍କ ଦିଲ୍ଲୀ ଗସ୍ତ ସମୟରେ ସେ ଭାରତକୁ ତୈଳ ରପ୍ତାନୀ ଦୁଇଗୁଣା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସେପଟେ ତୈଳ କ୍ରୟ ସମୟରେ ଭାରତୀୟ ଟଙ୍କାର ବିନିଯୋଗକୁ ମଧ୍ୟ ସୁଯୋଗ ଦିଆଯିବାକୁ ନେଇ ଚର୍ଚ୍ଚା ହୋଇଥିଲା। ଏଭଳି ପରିସ୍ଥିତିରେ ଚୁକ୍ତି ରଦ୍ଦ ହେଲେ ଭାରତର ଅର୍ଥନୀତି ଉପରେ ପ୍ରଭାବ ପଡିବା ନେଇ ଆଶଙ୍କା କରାଯାଇଛି।

ଚବାହାର ବନ୍ଦର: ଇରାନର ଚବାହାର ବନ୍ଦରର ପୁନରୁତ୍‌୍‌ଥାନ ପାଇଁ ଆଫଗାନିସ୍ତାନ, ଭାରତ ଓ ଇରାନ ଚୁକ୍ତିବଦ୍ଧ ହୋଇଛନ୍ତି। ଏହି ବନ୍ଦର କାର୍ଯ୍ୟକାରୀ ହେଲେ ପାକିସ୍ତାନକୁ ଏଡ଼ାଇ ଭାରତ ସହଜରେ ଆଫାଗନିସ୍ତାନରେ ପହଞ୍ଚିପାରିବ। ଭାରତ ଏହି ବନ୍ଦର କାର୍ଯ୍ୟପାଇଁ ପୁଞ୍ଜିନିବେଶ ମଧ୍ୟ ଆରମ୍ଭ କରିଦେଇଛି। କିନ୍ତୁ ଆମେରିକା ସହ ଚୁକ୍ତିି ରଦ୍ଦ ପରେ ଚବାହାର ବନ୍ଦରର ଭବିଷ୍ୟତ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆମେରିକା ସରକାର ଇରାନ ଉପରେ କୌଣସି କଟକଣା ଜାରି କଲେ ସିଧାସଖଳ ଏହାର ପ୍ରଭାବ ଭାରତ ଉପରେ ପଡ଼ିବ।

ଆନ୍ତର୍ଜାତିକ ଉତ୍ତର-ଦକ୍ଷିଣ ପରିବହନ କରିଡର: ଉତ୍ତର-ଦକ୍ଷିଣ ପରିବହନ କରିଡର ନାମକ ଆନ୍ତର୍ଜାତିକ ପ୍ରକଳ୍ପରେ ଭାରତ ସାମିଲ ହୋଇଛି। ଏହି ପ୍ରକଳ୍ପ ଇରାନରୁ ଆରମ୍ଭ ହୋଇ ମଧ୍ୟ ଏସିଆ ଦେଇ ରୁଷିଆ ପର୍ଯ୍ୟନ୍ତ ଦୀର୍ଘ ୭,୨୦୦ କିମି ପର୍ଯ୍ୟନ୍ତ ପରିବ୍ୟପ୍ତ । ଏହି ମେଗା ପ୍ରକଳ୍ପର ଏବେ ରାସ୍ତା ନିର୍ମାଣ କରାଯାଉଛି। ଆମେରିକା ଯଦି ଇରାନ ଉପରେ କୌଣସି କଟକଣା ଜାରି କରେ ତେବେ ଭାରତ ଉପରେ ଏହାର ପ୍ରଭାବ ପଡ଼ିବ ଏବଂ ଏହି ଆର୍ଥିକ କରିଡର ପ୍ରକଳ୍ପ ଭଣ୍ଡୁର ହେବ। ସାଂଘାଇ ସହଯୋଗ ସଂଗଠନ: ରୁଷିଆ ଓ ଚୀନ ନେତୃତ୍ୱାଧୀନ ସାଂଘାଇ ସହଯୋଗ ସଂଗଠନରେ ଭାରତ ସାମିଲ ହୋଇ ସାରିଛି। ପାକିସ୍ତାନ ମଧ୍ୟ ଏହି ସଂଗଠନରେ ସାମିଲ ହୋଇଥିବା ବେଳେ ଇରାନ ଆଗାମୀ ଦିନରେ ଏହି ସଂଗଠନରେ ସାମିଲ ହେବ ବୋଲି ଘୋଷଣା କରାଯାଇଥିଲା। ରୁଷିଆ ଓ ଚୀନ ଏହି ସଂଗଠନର ମୁଖ୍ୟ ଶକ୍ତି ହୋଇଥିବାରୁ ଆଗାମୀ ଦିନରେ ଏହା ଆମେରିକା ବିରୋଧରେ ମେଣ୍ଟ କରିବେ ବୋଲି ଆଶଙ୍କା କରାଯାଉଛି। ଯଦି ଏଭଳି କୌଣସି ପରିସ୍ଥିତି ସୃଷ୍ଟି ହୁଏ ତେବେ ଭାରତ ଓ ଆମେରିକା ମଧ୍ୟରେ ଥିବା ଦ୍ୱିପାକ୍ଷିକ ସମ୍ପର୍କ ବାଧାପ୍ରାପ୍ତ ହେବ। ଦୁର୍ବଳ ହେବ ଦ୍ୱିପାକ୍ଷିକ ଚୁକ୍ତି: ଗୋଟିଏ ପଟେ ଇରାନ ସହ ଭାରତର ଉତ୍ତମ ବୁଝାମଣା ଥିବା ବେଳେ ଆମେରିକା ଏହାର ପୁରୁଣା ବନ୍ଧୁ। ଅତୀତରେ ଓବାମା ପ୍ରଶାସନଠାରୁ ନେଇ ଏବେ ଟ୍ରମ୍ପ ସରକାର ପର୍ଯ୍ୟନ୍ତ ଭାରତ ଓ ଆମେରିକା ମଧ୍ୟରେ ଅନେକ ଚୁକ୍ତି ସ୍ୱାକ୍ଷରିତ ହୋଇସାରିଛି। ସେପଟେ ଇରାନ ମଧ୍ୟ ଭାରତକୁ ତୈଳ ରପ୍ତାନି କରୁଥିବା ଏକ ପ୍ରମୁଖ ରାଷ୍ଟ୍ର। ଏନେଇ ଇରାନ ସହ ମଧ୍ୟ ଅନେକ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଯଦି ଭାରତ କୌଣସି କାରଣବଶତଃ ଇରାନକୁ ସମର୍ଥନ କରେ ତେବେ ଆମେରିକା ସହ ସମ୍ପର୍କରେ ତିକ୍ତତା ଆସିବାର ଆଶଙ୍କା ଉପୁଜିଛି।

ସମ୍ବନ୍ଧିତ ଖବର