ତେହେରାନ: ଇରାନର ସଂସଦ ଓ ଆୟାତୋଲ୍ଲା ରୁହୋଲ୍ଲାହା ଖୋମିନୀଙ୍କ ପୀଠକୁ ଆକ୍ରମଣ କରିଥିବା ୮ ଜଣ ଇସଲାମିକ ଷ୍ଟେଟ୍ସ ଆତଙ୍କବାଦୀଙ୍କୁ ମୃତ୍ୟୁ ଦଣ୍ଡ ଦେଇଛି ଇରାନ। ଏହି ଆତଙ୍କବାଦୀମାନଙ୍କୁ କେଉଁଠାରେ ମୃତ୍ୟୁ ଦଣ୍ଡ ଦିଆଯାଇଛି ତାହା ସ୍ପଷ୍ଟ କରାଯାଇ ନ ଥିଲେ ବି ୮ ଜଣଙ୍କୁ ଏକକାଳୀନ ଫାଶୀରେ ଝୁଲାଇ ଦିଆଯାଇଥିବା ଇରାନର ବିଚାର ବିଭାଗୀୟ ନ୍ୟୁଜ ଏଜେନ୍ସି ମିଜାନ ନ୍ୟୁଜ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଗତ ଶନିବାର ଦିନ ଏହି ସମସ୍ତ ୮ ଜଣଙ୍କୁ ଫାଶୀ ଦିଆଯାଇଥିବା ବେଳେ ଏହି ଘଟଣାରେ ସମ୍ପୃକ୍ତ ଡଜନେ ସରିକି ଆତଙ୍କବାଦୀଙ୍କ ଉପରେ ମୋକଦ୍ଦମା ଚାଲିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ ଯେ ୨୦୧୭ ମସିହା ଜୁନ ୭ ତାରିଖ ଦିନ ସୁନ୍ନି ମୌଳବାଦୀ ସଙ୍ଗଠନ ଆଇଏସଆଇଏସ ଆତଙ୍କବାଦୀମାନେ ସୁନ୍ନି ସମ୍ପ୍ରଦାୟ ବହୁଳ ଇରାନର ସଂସଦ ଓ ଆୟାତୋଲ୍ଲା ରୁହୋଲ୍ଲାହା ଖୋମିନୀଙ୍କ ପୀଠ ଉପରେ ଆକ୍ରମଣ କରିଥିଲେ। ଏଥିରେ ୧୮ ଜଣଙ୍କ ପ୍ରାଣହାନୀ ଘଟିଥିବା ବେଳେ ୫୦ରୁ ଊର୍ଧ୍ୱ ଆହତ ହୋଇଥିିଲେ। ଏହି ଘଟଣାର ଏକ ବର୍ଷ ଭିତରେ ଇରାନ ପୁଲିସ ୮ ଜଣଙ୍କୁ ଗିରଫ କରିଥିଲା। ଇରାନରେ ଫାଶୀ ଦ୍ୱାରା ମୃତ୍ୟୁ ଦଣ୍ଡ ଦେବାର ବ୍ୟବସ୍ଥା ଥିବାରୁ ସେମାନଙ୍କୁ ଫାଶୀ ଦିଆଯାଇଥିବା କୁହାଯାଇଛି।
ଏହି ଘଟଣା ପୂର୍ବରୁ ୨୦୦୭ ମସିହାରେ ଏକ ଦୁଷ୍କର୍ମ ଘଟଣାରେ ଇରାନରେ ୭ ଜଣଙ୍କୁ ଏକକାଳୀନ ଫାଶୀ ଦିଆଯାଇଥିିଲା। ତେବେ ଗତ ଶନିବାର ଯେଉଁ ଆଇଏସଆଇଏସ ଆତଙ୍କବାଦୀଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରାଯାଇଛି ସେମାନେ ହେଲେ ସୋଲେମାନ ମୋଜଫାରି, ଇସମାଇଲ ସୁଫି, ରହମାନ ବେହେରୌଜ, ମଜିଦ ମାର୍ତାଜାଇ,ସିରୋସ ଅଜିଜ, ଆୟୁବ ଇସମାଇଲ, ଖସ୍ରୋ ରମାଜନୀ ଓ ଉସମାନ ବେହେରୌଜ ବୋଲି ନ୍ୟୁଜ ଏଜେନ୍ସି ମିଜାନ ନ୍ୟୁଜ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି।