ଇରାନ-ଆମେରିକା ଉତ୍ତେଜନା ମଧ୍ୟରେ ମୋଦୀଙ୍କୁ ଭେଟିଲେ ଇରାନ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ : ରାଇସିନା ଆଲୋଚନା ୨୦୨୦ରେ ଅଂଶଗ୍ରହଣ କରିବା ଲାଗି ଭାରତ ଗସ୍ତରେ ଆସିଥିବା ଡଃ ମହମ୍ମଦ ଜାଭେଦ ଜାରିଫ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ଏହି ଅବସରରେ ମୋଦୀ କହିଥିଲେ ଯେ ପଶ୍ଚିମଏସିଆରେ ଶାନ୍ତି ଓ ସ୍ଥିରତା ରକ୍ଷା ହେଲେ ତାହା କେବଳ ଭାରତ ନୁହେଁ ସମଗ୍ର ବିଶ୍ବ ପାଇଁ ମଙ୍ଗଳକର ହେବ ।

ଭାରତରେ ଡଃ ଜାରିଫଙ୍କୁ ସ୍ଵାଗତ କରି ସେପ୍ଟେମ୍ବର ୨୦୧୯ରେ ନ୍ୟୁୟର୍କଠାରେ ଅନୁଷ୍ଠିତ ଜାତିସଂଘ ସାଧାରଣ ଅଧିବେଶନ ଅବସରରେ ରାଷ୍ଟ୍ରପତି ରୁହାନୀଙ୍କ ସହ ହୋଇଥିବା ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନାକୁ ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ । ଇରାନ ସହିତ ଦୃଢ ଓ ବନ୍ଧୁତ୍ଵପୂର୍ଣ୍ଣ ସମ୍ପର୍କ ଜାରି ରଖିବା ଲାଗି ଭାରତର ପ୍ରତିବଦ୍ଧତାକୁ ସେ ଦୋହରାଇଥିଲେ । ଚାବାହାର ପ୍ରକଳ୍ପ ଅଗ୍ରଗତି ଏବଂ ଏହାକୁ ସ୍ଵତନ୍ତ୍ର ଅର୍ଥନୈତିକ ଜୋନ ଭାବେ ମାନ୍ୟତା ଦେବାଲାଗି ଇରାନ ସରକାରଙ୍କୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ ।

ଇରାନ ଓ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଇରାନୀ ବୈଦେଶିକ ମନ୍ତ୍ରୀଙ୍କ ଭାରତ ଗସ୍ତ ବେଶ ଗୁରୁତ୍ୱ ବହନ କରୁଛି । କାରଣ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ହ୍ରାସ ଦିଗରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା କୁହାଯାଉଛି । ଆହୁରିମଧ୍ୟ ଆସନ୍ତା ମାସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଗସ୍ତରେ ଆସୁଥିବାରୁ ଜାରିଫଙ୍କ ଗସ୍ତର ଗୁରୁତ୍ୱ ବଢିଯାଇଛି ।

ସମ୍ବନ୍ଧିତ ଖବର