ଇରାନ୍‌ କ୍ଷେପଣାସ୍ତ୍ର ନିର୍ମାଣ ଜାରି ରଖିବ: ରାଷ୍ଟ୍ରପତି ରୌହାନି

ଦୁବାଇ: ଇରାନ ନିଜ ସୁରକ୍ଷା ପାଇଁ ତା’ର କ୍ଷେପଣାସ୍ତ୍ର ନିର୍ମାଣ କାର୍ଯ୍ୟ ଜାରି ରଖିବ। ଏହାଦ୍ୱାରା କୌଣସି ଆନ୍ତର୍ଜାତିକ ଚୁକ୍ତି ଉଲ୍ଲଂଘନ ହୋଇଯିବନି ବୋଲି ମଧ୍ୟ ଇରାନ ରାଷ୍ଟ୍ରପତି ହାସନ ରୌହାନି ଆଜି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ନିକଟରେ ଆମେରିକାର ଟ୍ରମ୍ପ ପ୍ରଶାସନ ଇରାକର ଏହି କ୍ଷେପଣାସ୍ତ୍ର ନିର୍ମାଣ ଯୋଜନାକୁ ଯେକୌଣସିମତେ ବନ୍ଦ କରିବା ପାଇଁ କାର୍ଯ୍ୟାନୁଷ୍ଠାନ ନେବାକୁ ଘୋଷଣା କରିଥିବା ବେଳେ ରବିବାର ରାଷ୍ଟ୍ରପତି ରୌହାନି ଦେଇଥିବା ଏଭଳି ବିବୃତି ପରିସ୍ଥିତିକୁ ଆହୁରି ଗୋଳିଆ କରିଥିବା ଚର୍ଚ୍ଚା ହେଉଛି।

ଇରାନ୍‌ ଆଣବିକ ଅସ୍ତ୍ର ଆହରଣ କରୁଥିବା ଆଶଙ୍କା କରି ଆମେରିକାର ଟ୍ରମ୍ପ ପ୍ରଶାସନ ନିକଟରେ ଇରାନ ପ୍ରତି କଠୋର ଆର୍ଥିକ କଟକଣା ଲାଗୁ କରିଛି। ତେବେ ରବିବାର ଇରାନର ଜାତୀୟ ଟେଲିଭିଜନରେ ପ୍ରସାରିତ ବାର୍ତ୍ତାରେ ରୌହାନି ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ କହିଛନ୍ତି, ଆମେ କ୍ଷେପଣାସ୍ତ୍ର ନିର୍ମାଣ କରିଛୁ ଏବଂ କରି ଚାଲିଥିବୁ ମଧ୍ୟ। ନିଜର ସୁରକ୍ଷା ପାଇଁ ଆମେ ଯେ କୌଣସି ପ୍ରକାର ଅସ୍ତ୍ର ନିର୍ମାଣ କରି ଗଦା କରି ଚାଲିଥିବୁ। ଏଥି ସହିତ ସେ ଆମେରିକା ରାଷ୍ଟ୍ରପତିଙ୍କ ଏଭଳି ଆଭିମୁଖ୍ୟକୁ କଡ଼ା ସମାଲୋଚନା କରିଛନ୍ତି। ଜାତିସଂଘ ସୁରକ୍ଷା ପରିଷଦ ଇରାନର ଏଭଳି କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମକୁ ମଞ୍ଜୁର କରିଥିବା ବେଳେ ଆମେରିକା ଅଯଥାରେ ହସ୍ତକ୍ଷେପ କରୁଛି ବୋଲି ରୌହାନି କହିଛନ୍ତି।

ସମ୍ବନ୍ଧିତ ଖବର