ଆଇଆରସିଟିସି ହୋଟେଲ୍‌ ଦୁର୍ନୀତି ମାମଲା

ଇଡିର ଚାର୍ଜସିଟ୍‌ ଦାଖଲ

ନୂଆଦିଲ୍ଲୀ: ଆଇଆର୍‌ସିଟିସି ହୋଟେଲ୍‌ ଦୁର୍ନୀତି ମାମଲାରେ ଆଜି ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ, ପତ୍ନୀ ରାବ୍ରୀ ଦେବୀ ଏବଂ ପୁଅ ତେଜସ୍ୱୀ ଯାଦବଙ୍କ ବିରୋଧରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ପ୍ରଥମ ଚାର୍ଜସିଟ୍‌ ଦାଖଲ କରିଛି। ଲାଲୁ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ବ୍ୟତୀତ ମାମଲାରେ ଅନ୍ୟ ୧୩ ଜଣଙ୍କ ବିରୋଧରେ ମଧ୍ୟ ଚାର୍ଜସିଟ୍‌ ଦାଖଲ ହୋଇଛି । ଏମାନଙ୍କ ମଧ୍ୟରେ ଅଛନ୍ତି ଲାଲୁଙ୍କ ଦଳୀୟ ସହଯୋଗୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରେମଚାନ୍ଦ ଗୁପ୍ତା ଏବଂ ତାଙ୍କ ପତ୍ନୀ ଶାରଳା ଗୁପ୍ତା। ଏହି ମାମଲାରେ ଲାରା ପ୍ରୋଜେକ୍ଟ ଫାର୍ମ ବିରୋଧରେ ମଧ୍ୟ ଚାର୍ଜସିଟ୍‌ ଦାଖଲ ହୋଇଛି। ପିଏମ୍‌ଏଲଏ (ବେଆଇନ ଅର୍ଥ ନେଣଦେଣ ନିବାରଣ ଆଇନ) ଅଧୀନରେ ଆଜି ଦିଲ୍ଲୀର ଏକ ସ୍ୱତନ୍ତ୍ର କୋର୍ଟରେ ଇଡି ପକ୍ଷରୁ ଏହି ଚାର୍ଜସିଟ୍‌ ଦାଖଲ ହୋଇଛି। ଲାଲୁ ଏବଂ ଆଇଆରସିଟିସି ଅଧିକାରୀମାନେ କ୍ଷମତାର ଅପବ୍ୟବହାର କରି ପୁରୀ ଏବଂ ରାଞ୍ଚିର ଦୁଇଟି ରେଳ ବିଭାଗ ହୋଟେଲ୍‌ର ଲିଜ୍‌ ଏକ ଘରୋଇ କମ୍ପାନି ‘ସୁଜାତା ହୋଟେଲ୍‌ ପ୍ରାଇଭେଟ୍‌ ଲିମିଟେଡ୍‌’କୁ ଦେଇ ଏହା ବଦଳରେ ଉତ୍କୋଚ ଗ୍ରହଣ କରିଥିବା ଅଭିଯୋଗ ହୋଇଥିଲା। ଅଭିଯୁକ୍ତମାନଙ୍କୁ ଅଗଷ୍ଟ ୩୧ ତାରିଖରେ ଦିଲ୍ଲୀ କୋର୍ଟରେ ହାଜର ହେବାପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର