ପାକିସ୍ତାନୀ ଯୁବତୀ ଭାରତୀୟ ଜାତୀୟ ସଂଗୀତକୁ ଗାନ କରି ପୋଷ୍ଟ କଲେ ଟ୍ଵିଟରରେ; ଭିଡିଓ ହେଲା ଭାଇରାଲ୍‌

ନୂଆଦିଲ୍ଲୀ: ଜନୈକା ପାକିସ୍ତାନୀ ଯୁବତୀ ଭାରତର ଜାତୀୟ ସଂଗୀତକୁ ନିଜ କଣ୍ଠରେ ବେଶ ସୁଲଳିତ ଭାବେ ଗାନ କରିବା ସହ ଏହାର ଭିଡିଓକୁ ଟ୍ଵିଟରରେ ପୋଷ୍ଟ କରିବା ଘଟଣା ଏବେ ଉଭୟ ଭାରତ ଓ ପାକିସ୍ତାନରେ ଚର୍ଚ୍ଚାର ବିଷୟ ପଲଟିଛି। ଟ୍ଵିଟରରେ ପୋଷ୍ଟ ହୋଇଥିବା ଭିଡିଓଟିରେ ଏକ କମ୍ପ୍ୟୁଟର ମନିଟରରେ ବ୍ୟାକ୍‌ଗ୍ରାଉଣ୍ଡ ମ୍ୟୁଜିକ୍‌ର ସାହାଯ୍ୟ ନେଇ ଭାରତୀୟ ଜାତୀୟ ସଂଗୀତକୁ ଜଣେ ଯୁବତୀ ଗାନ କରିବା ସହ ଏହାର ରେକର୍ଡିଂ କରିଛନ୍ତି ଏବଂ ଏହାକୁ ଟ୍ଵିଟରରେ ପୋଷ୍ଟ କରିଛନ୍ତି। ଭାରତୀୟ ଜାତୀୟ ସଂଗୀତକୁ ଗାନ କରିଥିବା ଯୁବତୀ ଜଣକ ନିଜକୁ ଜଣେ ପାକିସ୍ତାନୀ ଯୁବତୀ ଏବଂ ତାଙ୍କର ନାମ ଅମ୍ବରିନ୍‌ ରିଆଜ୍‌ ବୋଲି ଦାବି କରିଛନ୍ତି।


ଏଥିସହ ଅମ୍ବରିନ୍‌ ମୌଳବାଦୀ ପାକିସ୍ତାନୀମାନଙ୍କୁ କହିଛନ୍ତି ଯେ ମୁଁ ଭାରତୀୟ ଜାତୀୟ ସଂଗୀତ ଗାନ କରୁଛି ବୋଲି ମୋତେ ପାକିସ୍ତାନ ବିରୋଧୀ ଦେଶଦ୍ରୋହୀ ବା ସେହିପରି କିଛି ଭାବ ନାହିଁ। ମୋତେ ଭାରତୀୟ ଜାତୀୟ ସଂଗୀତଟି ଖୁବ୍‌ ଭଲଲାଗେ। ସେଥିପାଇଁ ମୁଁ ଏହାକୁ ଗାଇଛି। ଏହାର ଅର୍ଥ ନୁହେଁ ଯେ ମୁଁ ପାକିସ୍ତାନ ବିରୋଧୀ। ମୁଁ ମୋ ଦେଶ ପାକିସ୍ତାନକୁ ଯେ କେତେ ମାତ୍ରାରେ ଭଲପାଏ ତାହାକୁ କେହି କେବେହେଲେ କଳ୍ପନା ସୁଦ୍ଧା କରିପାରିବେ ନାହିଁ; ସେଥିପାଇଁ ତୁମେ ମୋ ବାବଦରେ ଯାହା ବି ଭାବିଲେ ମୋର କିଛି ଫରକ ପଡ଼ିବ ନାହିଁ, ବୋଲି ନିଜେ ପୋଷ୍ଟ କରିଥିବା ଟୁଇଟ୍‌ରେ ଉଲ୍ଲେଖ କରିଛନ୍ତି ଅମ୍ବରିନ୍‌ ରିଆଜ୍‌।

ସମ୍ବନ୍ଧିତ ଖବର