ଇସଲାମାବାଦରେ ତିନି ଭାରତୀୟ ଅଧିକାରୀଙ୍କୁ ଫସାଇବାକୁ ଆଇଏସ୍ଆଇ କରିଥିବା ହନିଟ୍ରାପ୍ ବିଫଳ
ନୂଆଦିଲ୍ଲୀ: ଇସଲାମାବାଦସ୍ଥିତ ଭାରତୀୟ ଦୂତାବାସର ତିନି ଜଣ ଅଧିକାରୀଙ୍କ ଠାରୁ କିଛି ସ୍ପର୍ଶକାତର ସୂଚନା ଆଦାୟ କରିବା ନିମନ୍ତେ ପାକିସ୍ତାନର ଇଣ୍ଟର୍ ସର୍ଭିସ୍ ଇଣ୍ଟେଲିଜେନ୍ସ୍ (ଆଇଏସ୍ଆଇ) ହନିଟ୍ରାପ୍ ପ୍ରସ୍ତୁତ କରିଥିଲା। ‘ଆଇଏସ୍ଆଇ’ର ଚକ୍ରାନ୍ତ ଜଣା ପଡ଼ିବା ପରେ ଉକ୍ତ ଅଧିକାରୀମାନଙ୍କୁ ଗତ ସପ୍ତାହରେ ପାକିସ୍ତାନରୁ ପ୍ରତ୍ୟାହାର କରାଇ ଅଣାଯାଇଛି। ଏବେ ସେମାନଙ୍କୁ ପଚରା ଉଚୁରା ଚାଲିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଯୋଗକୁ କୌଣସି କାଗଜପତ୍ର ଆଇଏସ୍ଆଇର ହସ୍ତଗତ ହେବା ପୂର୍ବରୁ ଅଧିକାରୀମାନେ ଚକ୍ରାନ୍ତର ସୁରାକ ପାଇ ଯାଇଥିଲେ। ପ୍ରତ୍ୟାହୃତ ଅଧିକାରୀମାନେ କୌଣସି ପ୍ରକାର ସନ୍ଦେହଜନକ କିଂବା ଭୁଲ୍ କାର୍ଯ୍ୟ କରି ନ ଥିବା ଜଣାପଡ଼ିଛି। ସେମାନେ ମଧ୍ୟ ତଦନ୍ତରେ ସହଯୋଗ କରୁଛନ୍ତି। କିନ୍ତୁ, ସେମାନଙ୍କୁ ଆଉ ପାକିସ୍ତାନରେ ଚାକିରି ମିଳିବା ପରି ଜଣା ପଡୁନାହିଁ।
ସାରା ବିଶ୍ୱରେ ମାରତ୍ମକ ସୁନ୍ଦରୀମାନଙ୍କ ଦ୍ୱାରା ଶତ୍ରୁ ପକ୍ଷ ଦେଶର ଅଧିକାରୀମାନଙ୍କୁ ଭୁଲାଇ ତଥ୍ୟ ହାସଲ କରିବା ଗୁପ୍ତଚର ଏଜେନ୍ସିମାନଙ୍କ ପାଇଁ ମାମୁଲି କଥା। କିନ୍ତୁ, ପାକିସ୍ତାନରେ ଭାରତୀୟ ଅଧିକାରୀଙ୍କ କ୍ଷେତ୍ରରେ ଏ ଭଳି କଥା ବିରଳ। ଯୋଗକୁ ସେମାନେ ଏ କଥାର ପୂର୍ବାଭାସ ପାଇ ସହାୟତା ପାଇଁ ବରିଷ୍ଠ ଭାରତୀୟ ଅଧିକାରୀଙ୍କୁ ଜଣାଇଥିଲେ। ତୁରନ୍ତ ସେମାନଙ୍କୁ ଦିଲ୍ଲୀ ଫେରି ଆସିବାକୁ କୁହାଯାଇଥିଲା।
ଭାଷା ବିଭାଗରେ କାର୍ଯ୍ୟ କରୁଥିବା ଭାରତୀୟ କନିଷ୍ଠ ଅଧିକାରୀମାନେ ଅଫିସ୍ର ଦଲିଲପତ୍ର ଅନୁବାଦ କରନ୍ତି। ମହିଳାମାନେ ଏହି କନିଷ୍ଠ ଭାରତୀୟ ଅଧିକାରୀଙ୍କୁ ସ୍ଥାନୀୟ ହୋଟେଲ୍ଗୁଡ଼ିକୁ ଡାକି ନେବା ପାଇଁ ନିକଟ ଅତୀତରେ ବହୁ ବାର ଉଦ୍ୟମ କରିଛନ୍ତି। ସେମାନଙ୍କୁ ପ୍ରଲୋଭିତ କରିବା ପରେ ସେଠାରେ ଆପତ୍ତିଜନକ ପରିସ୍ଥିତିରେ ସେମାନଙ୍କର ଭିଡିଓ ଉତ୍ତୋଳନ କରାଯାଇଥାଏ।
ଏ ମାମଲାରେ କିପରି ଆଗେଇବାକୁ ପଡ଼ିବ ଆଗାମୀ ଅଳ୍ପ କିଛି ଦିନ ମଧ୍ୟରେ ସରକାର ସ୍ଥିର କରିବେ। ଏ ଭଳି ଆଉ କିଛି କନିଷ୍ଠ ଭାରତୀୟ ଅଧିକାରୀଙ୍କୁ ପ୍ରଲୁବ୍ଧ କରାଯିବାକୁ ଉଦ୍ୟମ କରାଯାଇଛି କି, ନାହିଁ ଏଠାରେ ଥିବା ଭାରତୀୟ ଗୁଇନ୍ଦାମାନେ ଯାଞ୍ଚ କରିବାକୁ ଉଦ୍ୟମ ଚଳାଇଛନ୍ତି।