ସୁଜାତ୍‌ ହତ୍ୟା ପଛରେ ଆଇଏସ୍‌ଆଇର ହାତ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରେ ଶାନ୍ତି ପ୍ରୟାସକୁ ପ୍ରୋତ୍ସାହନ ଦେଉଥିବା ବରିଷ୍ଠ ସାମ୍ବାଦିକ ସୁଜାତ ବୁଖାରୀଙ୍କ ହତ୍ୟା ପଛରେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇର ହାତ ରହିଥିବା ଗୁଇନ୍ଦା ସୂତ୍ରରୁ ଜଣାପଡ଼ିଛି। ହୁରିୟତ ସଂଗଠନ ମଧ୍ୟ ସୁଜାତଙ୍କ ବିରୋଧରେ ଷଡ଼ଯନ୍ତ୍ରରେ ସାମିଲ ଥିବା କୁହାଯାଇଛି। ଭାରତ ସରକାରଙ୍କ ରମଜାନ ଅସ୍ତ୍ରବିରତିକୁ ସୁଜାତ ସମର୍ଥନ କରିଥିଲେ ଏବଂ ଶାନ୍ତି ପ୍ରକ୍ରିୟା ଆଗକୁ ବଢ଼ାଇବା ପାଇଁ ଘାଟିରେ ଏହା ଏକ ମହତ୍ୱପୂର୍ଣ୍ଣ ପ୍ରୟାସ ବୋଲି କହିଥିଲେ। ଏଥିରେ ହୁରିୟତ ନେତାମାନେ ଉତ୍‌୍‌କ୍ଷିପ୍ତ ହୋଇଉଠିଥିବା ବେଳେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ତାଙ୍କୁ ହିଟ୍‌୍‌ଲିଷ୍ଟରେ ରଖିଥିଲା। ଘାଟିରେ ହିଂସା ଓ ଆତଙ୍କ ସୃଷ୍ଟି କରିବା ପାଇଁ ଆଇଏସ୍‌ଆଇ ହୁରିୟତ ନେତାଙ୍କ ମାଧ୍ୟମରେ ନିୟମିତ ଅର୍ଥ ଯୋଗାଣ କରୁଥିବା ଜଣାପଡ଼ିବା ପରେ ସୁଜାତ ଏ ବାବାଦରେ କେତେକ ଖବର ପ୍ରକାଶ କରିଥିଲେ। ସୁଜାତଙ୍କ ଏଭଳି ଆଭିମୁଖ୍ୟକୁ ବିଚ୍ଛିନ୍ନତାବାଦୀମାନେ ଖୋଲାଖୋଲି ବିରୋଧ କରିବା ସହ ୨ ମାସ ତଳୁ ତାଙ୍କ ବିରୋଧରେ ସୋସିଆଲ ମିଡିଆରେ ହିଂସ୍ର ପ୍ରଚାର ଚଳାଇଥିଲେ। ସୁଜାତଙ୍କ ଜୀବନ ପ୍ରତି ବିପଦ ଥିବାରୁ ତାଙ୍କୁ ଜମ୍ମୁ କଶ୍ମୀର ପୁଲିସ ସୁରକ୍ଷା ଯୋଗାଇ ଦେବା ସହ ସର୍ବାଧିକ ସତକର୍ତା ଅବଲମ୍ବନ କରିବାକୁ କହିଥିଲା। ସିସିଟିଭିରେ ଦେଖିବାକୁ ମିଳିଥିବା ଜଣେ ସନ୍ଦିଗ୍ଧ ହତ୍ୟାକାରୀ ଲସ୍କର ଆତଙ୍କବାଦୀ ନାଭେଦ ଜଟ୍ଟ ବୋଲି ଜଣାପଡ଼ିଛି। ଶ୍ରୀନଗର ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିବା ବେଳେ କିଛି ମାସ ତଳେ ଏହି ଆତଙ୍କବାଦୀ ଫେରାର ହୋଇଯାଇଥିଲେ। ସୁରକ୍ଷା ବାହିନୀ କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତି ଯାଇଥିବା ନାଭେଦ ଆଇଏସ୍‌ଆଇ ପ୍ରରୋଚନାରେ ସୁଜାତଙ୍କୁ ହତ୍ୟା କରିବା ପାଇଁ ହିଜବୁଲ ସହିତ ହାତ ମିଳାଇଥିଲା ବୋଲି ଜଣାପଡ଼ିଛି। କଶ୍ମୀରରେ ଶାନ୍ତି ସ୍ଥାପନ ପାଇଁ ଭାରତ ସରକାରଙ୍କ ପଦକ୍ଷେପକୁ ସମର୍ଥନ କରୁଥିବାରୁ ସୁଜାତ୍‌ଙ୍କୁ ରାସ୍ତାରୁ ହଟାଇବା ପାଇଁ ଆଇଏସ୍‌ଆଇ ଅନେକ ତଳୁ ଯୋଜନା କରିଥିଲା। ହିଜବୁଲ ଏବଂ ଲସ୍କର ଆତଙ୍କବାଦୀ ମିଳିତ ଭାବେ ସୁଜାତଙ୍କୁ ହତ୍ୟା ଯୋଜନା କାର୍ଯ୍ୟକାରୀ କରିଥିବା ବେଳେ ଏବେ ଘାଟିର ହୁରିୟତ ନେତାଙ୍କ କାର୍ଯ୍ୟକଳାପକୁ ନେଇ ନାନା ଆଶଙ୍କା ଉପୁଜିଛି। କଶ୍ମୀରରେ ଭାରତ ବିରୋଧୀ ବାତାବରଣର ସୃଷ୍ଟି ପାଇଁ ସେମାନେ ଅହରହ ଉଦ୍ୟମ କରୁଥିବାରୁ ଆଗକୁ ସଙ୍କଟ ବଢ଼ିବା ଆଶଙ୍କା କରାଯାଉଛି।

ସମ୍ବନ୍ଧିତ ଖବର