କରୋନା ମୁକାବିଲା ପାଇଁ ଛୋଟିଆ ଦେଶର ବଡ଼ ପ୍ରୟାସ : ଆଣ୍ଟିବଡି ପ୍ରସ୍ତୁତ କରିଥିବା ନେଇ ଦାବି କଲେ ଇସ୍ରାଏଲ ଓ ନେଦରଲ୍ୟାଣ୍ଡ

ସତରେ ପ୍ରସ୍ତୁତ ହୋଇପାରିବ କି କରୋନା ଔଷଧ ?

ନୂଆଦିଲ୍ଲୀ : ମହାମାରୀ କରୋନା ସହ ଲଢିବାକୁ ବିଶ୍ୱର ଅନେକ ଦେଶ ଏବେ ଟିକା ପ୍ରସ୍ତୁତିରେ ଲାଗିଛନ୍ତି । ଆମେରିକା ଏବଂ ବ୍ରିଟେନ୍ ମଣିଷ ଦେହରେ ପରୀକ୍ଷାମୂଳକ ଭାବେ ଟିକା ପ୍ରୟୋଗ କରିସାରିଛନ୍ତି । ଖୁବଶୀଘ୍ର ବଜାରକୁ ଟିକା ଆସିବ ବୋଲି କୁହାଯାଉଛି । ଏଭଳି ସ୍ଥିତିରେ ଅନ୍ତର୍ଜାତୀୟ ଖବରକାଗଜ ‘ଦି ଗାର୍ଡିୟନ’ରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ବିଶ୍ୱବାସୀଙ୍କ ମଧ୍ୟରେ ନୂଆ ଆଶା ସୃଷ୍ଟି କରିଛି । ଏହି ରିପୋର୍ଟ ଅନୁସାରେ, ଇସ୍ରାଏଲ ଓ ନେଦରଲ୍ୟାଣ୍ଡର ଗବେଷଣା କହୁଛି କରୋନା ବିରୋଧରେ ଆଂଟିବଡି ପ୍ରସ୍ତୁତ ହୋଇସାରିଛି, ଯାହା ଟିକା ପ୍ରସ୍ତୁତି କ୍ଷେତ୍ରରେ ସହାୟକ ହେବ ।

୪ ମାସରୁ ଅଧିକ ସମୟ ଧରି ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା ମହାମାରୀ କରୋନା ବିରୋଧରେ କେବେ ବାହାରିବ ପ୍ରତିଷେଧକ ଟିକା? କରୋନାର ସଂକ୍ରମଣ ବଢି ଚାଲିଥିବା ବେଳେ ଏହାର ମୁକାବିଲା ପାଇଁ ଟିକା ପ୍ରସ୍ତୁତିରେ ଲାଗିଛନ୍ତି ବିଶ୍ୱର ଅଧିକାଂଶ ଦେଶ । ହେଲେ କେତେବେଳେ ଖବର ଆସୁଛି କରୋନା ଟିକାର ମଣିଷ ଉପରେ ପରୀକ୍ଷଣ ଆରମ୍ଭ ହୋଇସାରିଛି । ଆଉ କେତେବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବୈଜ୍ଞାନିକ କହୁଛନ୍ତି ହୁଏତି କରୋନା ବିରୋଧରେ ଆଦୌ ଟିକା ପ୍ରସ୍ତୁତ ହୋଇ ନପାରେ । ଏବେ ଇସ୍ରାଏଲ ଓ ନେଦରଲ୍ୟାଣ୍ଡର ଗବେଷଣା କହୁଛି କରୋନା ବିରୋଧରେ ଆଂଟିବଡି ପ୍ରସ୍ତୁତ ହୋଇସାରିଛି, ଯାହା ଟିକା ପ୍ରସ୍ତୁତି କ୍ଷେତ୍ରରେ ସହାୟକ ହେବ । ଅନ୍ତର୍ଜାତୀୟ ଖବରକାଗଜ ‘ଦି ଗାର୍ଡିୟନ’ର ଅନଲାଇନ୍ ଏଡିସନରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ଯଦି ଇସ୍ରାଏଲ ଓ ନେଦରଲ୍ୟାଣ୍ଡର ଦାବି ସତ ହୁଏ ତା’ହେଲେ କରୋନା ଟିକା ପ୍ରସ୍ତୁତିରେ ବଡ଼ ସଫଳତା ମିଳିପାରେ ।

ଇସ୍ରାଏଲର ଇନଷ୍ଟିଚ୍ୟୁଟ ଅଫ ବାୟୋଲୋଜିକାଲ ରିସର୍ଚ୍ଚର ଲାବୋରେଟୋରୀରେ ଏହି ଆଂଟିବଡି ବା ରୋଗପ୍ରତିରୋଧକକୁ ବିକାଶ କରାଯାଇଛି। ଏହାକୁ କରୋନା ଆକ୍ରାନ୍ତଙ୍କ ଉପରେ ପ୍ରୟୋଗ କରି ରୋଗ ଉପଶମ ହେଉଥିବା ମଧ୍ୟ ଦେଖିବାକୁ ମିଳିଛି । ହେଲେ ଭ୍ୟାକସିନ ବା ଟିକା ପ୍ରସ୍ତୁତ କରିବାକୁ ହେଲେ ଏହାକୁ ସୁସ୍ଥ ମଣିଷ କିମ୍ବା ପଶୁ ଦେହରେ ପ୍ରୟୋଗ କରି ତାର ଫଳାଫଳ ଅନୁଧ୍ୟାନ କରିବାକୁ ପଡିବ । ହେଲେ ଇସ୍ରାଏଲ ଏହି ଆଂଟିବଡିକୁ ମଣିଷ ଦେହରେ ପରୀକ୍ଷା କରାଯାଇଥିବା ନେଇ କିଛି ସ୍ପଷ୍ଟ କରିନାହିଁ । ପୂର୍ବରୁ ସାର୍ସ ଭଳି କରୋନା ଭୂତାଣୁ ବିରୋଧରେ ମଧ୍ୟ ଇସ୍ରାଏଲ ଲାବୋରେଟୋରିରେ ଆଂଟିବଡି ବିକଶିତ କରାଯାଇଥିଲା । ଇବୋଲା ଭୂତାଣୁ ବିରୋଧରେ ଏଭଳି ଆଂଟିବଡି ଚିକିତ୍ସା ପ୍ରକ୍ରିୟା ବେଶ ସହାୟକ ହୋଇଥିଲା ।

ନେଦରଲ୍ୟାଣ୍ଡରେ ମଧ୍ୟ ଉଟ୍ରେଚ୍ ବିଶ୍ୱବିଦ୍ୟାଳୟର ଗବେଷକମାନେ ଏହିଭଳି ଏକ ପ୍ରଭାବୀ ଆଂଟିବଡି ପ୍ରସ୍ତୁତ କରିଛନ୍ତି । ଆକ୍ରାନ୍ତଙ୍କ କୋଷିକାରେ ଏହାକୁ ପ୍ରୟୋଗ କରିବା ପରେ କରୋନା ଭୂତାଣୁ ପ୍ରଭାବ ହରାଉଥିବା ଦେଖିବାକୁ ମିଳୁଛି । ନେଦରଲ୍ୟାଣ୍ଡ ଗବେଷକଙ୍କ ଏହି ଗବେଷଣା ସନ୍ଧର୍ଭଟି ନେଚର କମ୍ୟୁନିକେସନ୍ସ ଜର୍ନାଲରେ ପ୍ରକାଶ ପାଇଛି । ୪୭ ଡି ୧୧ ନାମକ ଏହି ଆଂଟିବଡି କରୋନା ଆକ୍ରାନ୍ତଙ୍କ ଶରୀରରେ ପ୍ରୋଟିନର ବିସ୍ପୋରଣ କରୁଥିବା କରୋନା ସ୍ପାଇକ ପ୍ରୋଟିନକୁ ଟାର୍ଗେଟ୍ କରିପାରୁଛି ।

ସମ୍ବନ୍ଧିତ ଖବର