ଜେରୁଜେଲମ୍‌ ଓ ଗାଜାରେ ଯୁଦ୍ଧ ପରିସ୍ଥିତି: ଇସ୍ରାଏଲର ବିମାନ ଆକ୍ରମଣ, ୨ ମୃତ

ଗାଜା-ଇସ୍ରାଏଲ ସୀମାରେ ସୈନ୍ୟଠୁଳ ଜାତିସଂଘର ଜରୁରୀ ବୈଠକ

ଜେରୁଜେଲମ୍‌: ଆମେରିକା ରାଷ୍ଟ୍ରପତି ଡୋନାଲ୍‌୍‌ଡ ଟ୍ରମ୍ପ୍‌ ଜେରୁଜେଲମକୁ ଇସ୍ରାଏଲର ରାଜଧାନୀ ମାନ୍ୟତା ଦେବାପରେ ଏହାକୁ ନେଇ ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଜେରୁଜେଲମ ଏବଂ ଗାଜାରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଉଭୟ ପଟୁ ସୈନ୍ୟ ଠୁଳ ହେଉଥିବାରୁ ବିଶ୍ୱବ୍ୟାପୀ ଉଦ୍‌୍‌ବେଗ ପ୍ରକାଶ ପାଇଛି। ଜେରୁଜେଲମ୍‌ରେ ଆଜି ପ୍ରଥମେ ଏକ ରକେଟ୍‌ ଆକ୍ରମଣ ପରେ ଉତ୍ତେଜନା ବଢ଼ିଥିଲା। ପାଲେଷ୍ଟାଇନ୍‌ର ଗାଜାରୁ ଛଡ଼ା ଯାଇଥିବା ରକେଟକୁ ଇସ୍ରାଏଲ ସେନା ଧ୍ୱଂସ କରିଦେବା ଫଳରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି । ଏହି ଘଟଣା ପରେ ଗାଜାରେ ଇସ୍ରାଏଲ ସେନା ବିମାନ ଆକ୍ରମଣ କରିବାରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଜେରୁଜେଲମ୍‌କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍‌୍‌ଡ ଟ୍ରମ୍ପ୍‌ ଇସ୍ରାଏଲର ରାଜଧାନୀ ମାନ୍ୟତା ଦେବା ପରଠାରୁ ପାଲେଷ୍ଟାଇନ୍‌ରେ ଏହାକୁ ନେଇ ତୀବ୍ର ବିରୋଧ ଲାଗି ରହିଥିବା ବେଳେ ଏହା ଯୁଦ୍ଧ ଆଡ଼କୁ ମୁହାଁଉଛି। ଅନ୍ୟ ପକ୍ଷରେ ଇସ୍ରାଏଲ ସରକାର ପାଲେଷ୍ଟାଇନ୍‌ର ହମାସ୍‌ ଆତଙ୍କବାଦୀଙ୍କୁ ଦମନ କରିବା ପାଇଁ ବିମାନ ଆକ୍ରମଣ କରିଥିବା କହିଛି। ମୁଖ୍ୟତଃ ପାଲେଷ୍ଟାଇନ୍‌ର ବିଭିନ୍ନ ଅସ୍ତ୍ରାଗାର ଉପରେ ଏହି ଆକ୍ରମଣ କରାଯାଉଛିା
ଇସ୍ରାଏଲ ସେନାର ବିମାନ ଆକ୍ରମଣରେ ନିହତ ୨ ଜଣ ପ୍ରକୃତକରେ ହମାସ୍‌ ସଂଗଠନର କିମ୍ବା ସାଧାରଣ ନାଗରିକ ତାହା ସ୍ପଷ୍ଟ ହୋଇନାହିଁ। ଏହି ଆକ୍ରମଣରେ ୧୫ରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି। ମାମଲା ଜଟିଳ ରୂପ ନେଉଥିବାରୁ ଜାତିସଂଘ ସୁରକ୍ଷା ପରିଷଦ ଆଜି ଏକ ଜରୁରୀ ବୈଠକରେ ଏ ବାବଦରେ ଆଲୋଚନା କରିଛି। ଶନିବାର ପାଲେଷ୍ଟୋଇନ୍‌ ବିଦ୍ରୋହୀ ଗୋଷ୍ଠୀ ଇସ୍ରାଏଲ ସେନା ଉପରକୁ ପଥର ମାଡ଼ କରିବା ସହ ଆକ୍ରମଣ କରିଛନ୍ତି । ବିଦ୍ରୋହୀଙ୍କୁ ଦମନ ପାଇଁ ଇସ୍ରାଏଲ ସେନା ଲୁହବୁହା ଗ୍ୟାସ ଓ ଗୁଳିମାଡ଼ କରିଛି । ସେପଟେ ମୁସଲିମ ବହୁଳ ଜୋର୍ଡାନ, ମାଲେସିଆ, ପାକିସ୍ତାନ ଓ ଆରବ ରାଷ୍ଟ୍ରରେ ମଧ୍ୟ ଏହାକୁ ଏହାକୁ ନେଇ ଜୋରଦାର ବିକ୍ଷୋଭ ପ୍ରଦର୍ଶନ ଚାଲିଛି। ଗାଜା-ଇସ୍ରାଏଲ ସୀମାରେ ପ୍ରାୟ ୫ ହଜାର ପାଲେଷ୍ଟାଇନ୍‌ ସେନା ଜଗି ରହିଥିବା ବେଳେ ଇସ୍ରାଏଲ ପକ୍ଷରୁ ମଧ୍ୟ ସୈନ୍ୟ ମୁତୟନ ବଢ଼ାଇ ଦିଆଯାଇଛି।

ସମ୍ବନ୍ଧିତ ଖବର