ନୂଆଦିଲ୍ଲୀ: ୨୦୨୨ ମହାକାଶ ମିସନ୍ ଲାଗି ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଗୁରୁବାର ବେଙ୍ଗାଲୁରୁରେ ଆୟୋଜିତ ସ୍ପେଶ୍ ଏକ୍ସପୋରେ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ପକ୍ଷରୁ ମହାକାଶ ଯାତ୍ରୀଙ୍କ ପୋଷାକ ପ୍ରଦର୍ଶିତ ହୋଇଛି। ଏହି ସ୍ୱତନ୍ତ୍ର ପୋଷାକ ଇସ୍ରୋ ଦ୍ୱାରା ଡିଜାଇନ୍ ହୋଇଛି। ତିରୁବନ୍ତପୁରମ୍ସ୍ଥିତ ବିକ୍ରମ ସରାଭାଇ ସ୍ପେଶ୍ ସେଣ୍ଟରର ବୈଜ୍ଞାନିକମାନଙ୍କର ଦୀର୍ଘ ୨ ବର୍ଷର ଗବେଷଣା ଓ ଉଦ୍ୟମରେ ଏହି ମହାକାଶ ପୋଷାକ ପ୍ରସ୍ତୁତ ହୋଇଛି।
ଏହି ପୋଷାକ ସହ ସଂଯୁକ୍ତ ହୋଇପାରିବ ଏକ ଅମ୍ଳଜାନ ସିଲିଣ୍ଡର। ଏହି ସିଲିଣ୍ଡର ସହାୟତାରେ ମହାକାଶଯାତ୍ରୀ ଏକ ଘଣ୍ଟା ପର୍ଯ୍ୟନ୍ତ ମହାକାଶରେ ନିଶ୍ୱାସ ନେଇପାରିବେ। ବର୍ତ୍ତମାନ ସୁଦ୍ଧା ଇସ୍ରୋ ପକ୍ଷରୁ ୨ଟି ପୋଷାକ ପ୍ରସ୍ତୁତ ହୋଇସାରିଛି ଓ ୨୦୨୨ରେ ୩ ଜଣ ମହାକାଶଚାରୀ ଭାରତୀୟ ମହାକାଶଯାନରେ ଯାତ୍ରା କରିବେ ବୋଲି ସୂଚନା ରହିଛି। ଏହି ମହାକାଶ ପୋଷାକର ଦୁଇଟି ମଡେଲ ପ୍ରଦର୍ଶିତ ହୋଇଛି। ଗୋଟିଏ କ୍ରିଉ ମଡେଲ୍ ହୋଇଥିବା ବେଳେ ଅନ୍ୟଟି କ୍ରିଉ ଏସ୍କେପ୍ ମଡେଲ।
ଯୋଜନା ମୁତାବକ, ଏକ କ୍ୟାପସୁଲ୍ରେ ତିନି ମହାକାଶଚାରୀ ପୃଥିବୀ ପୃଷ୍ଠରୁ ୪୦୦ କିଲୋମିଟର ଦୂରରେ ଥିବା ଏକ ସ୍ୱତନ୍ତ୍ର କକ୍ଷପଥରେ ୫ରୁ ୭ ଦିନ ପରିକ୍ରମା କରିବେ। ଏହି କ୍ୟାପସୁଲ୍ରେ ଏକ ଥର୍ମାଲ ସିଲ୍ଡ ରହିଛି, ଯାହା ଦ୍ୱାରା ପୃଥିବୀ ପୃଷ୍ଠକୁ ପ୍ରବେଶ କରିବା ସମୟରେ ଏକ କବଚ ସଦୃଶ କାର୍ଯ୍ୟ କରିବ। କ୍ୟାପସୁଲ୍ରେ ବାହ୍ୟ ପାର୍ଶ୍ୱ ଏକ ଅଗ୍ନିପିଣ୍ଡରେ ପରିଣତ ହେବା ବେଳେ ଭିତରେ ଥର୍ମାଲ ସିଲଡ ଯୋଗୁଁ ତାପମାତ୍ରା ୨୫ ଡିଗ୍ରି ସେଲ୍ସିଅସ୍ ରହିବେ। ଏହି ପ୍ରକ୍ରିୟାକୁ ମହାକାଶଚାରୀ କ୍ୟାପସୁଲ୍ ଭିତରୁ ଦେଖି ପାରିବେ। ଏହି କ୍ୟାପସୁଲ୍ ୯୦ ମିନିଟ୍ ମଧ୍ୟରେ ପୃଥିବୀ ପରିକ୍ରମା କରିବ ଓ ୨୪ ଘଣ୍ଟା ମଧ୍ୟରେ ମହାକାଶଚାରୀ ୨ ଥର ମହାକାଶରୁ ଭାରତକୁ ଦେଖିପାରିବେ।
ଏହି କ୍ୟାପସୁଲ୍ ମହାକାଶକୁ ଯିବା ଲାଗି ୧୬ ମିନିଟ୍ ସମୟ ନେବ ଏବଂ ପୃଥିବୀ ପୃଷ୍ଠକୁ ଫେରିବା ଲାଗି ନେବ ୩୬ ମିନିଟ୍।