ଏକାଥରକେ ୩୧ଟି ଉପଗ୍ରହ ମହାକାଶକୁ ପଠାଇବ ଇସ୍ରୋ

ବେଙ୍ଗାଲୁରୁ: ପୁଣିଥରେ ମହାକାଶ ବିଜ୍ଞାନ କ୍ଷେତ୍ରରେ ଇତିହାସ ରଚିବାକୁ ଯାଉଛି ଭାରତ। ଲଗାତାର ଭାବେ ତୃତୀୟ ଥର ପାଇଁ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ବିଦେଶୀ ଉପଗ୍ରହ ସମେତ ସ୍ୱଦେଶୀ ଉପଗ୍ରହ ମହାକାଶକୁ ପ୍ରେରଣ କରିବ। ଆନ୍ଧ୍ର ପ୍ରଦେଶର ଶ୍ରୀହରି କୋଟା ସ୍ଥିତ ଲଞ୍ଚପ୍ୟାଡ୍‍ରୁ ଆସନ୍ତା ୧୦ ତାରିଖରେ ଏକାଥରକୁ ୩୧ଟି ଉପଗ୍ରହକୁ ନେଇ ପିଏସ୍‌ଏଲଭି-ସି୪୦ ମହାକାଶ ଯାନ ଏହାର ଯାତ୍ରା ଆରମ୍ଭ କରିବ ବୋଲି ଇସ୍ରୋର ଜଣେ ବରିଷ୍ଠ ବୈଜ୍ଞାନିକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି ମହାକାଶ ଯାନ ନେଇ ଯାଉଥିବା ସମସ୍ତ ଉପଗ୍ରହଙ୍କ ମଧ୍ୟରେ ପୃଥିବୀ ପର୍ଯ୍ୟବେକ୍ଷଣକାରୀ ଉପଗ୍ରହ କାର୍ଟୋସାଟ୍‌-୨ ଭାରତୀୟ ଉପଗ୍ରହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଜଣାପଡ଼ିଛି। ଏହି ମିସନ୍‌ରେ ଫିନ୍‌ଲ୍ୟାଣ୍ଡ, ଆମେରିକା ସମେତ ବିଭିନ୍ନ ରାଷ୍ଟ୍ରର ୨୮ଟି ନାନୋ ସାଟେଲାଇଟ, ଭାରତୀୟ ମାଇକ୍ରୋ ସାଟେଲାଇଟ ସମେତ କାକୋର୍ଟସାଟ-୨କୁ ପ୍ରେରଣ କରାଯିବ। ଚଳିତବର୍ଷ ଅଗଷ୍ଟ ୩୧ ତାରିଖରେ ଭାରତ ପଠାଇଥିବା ଆଇଆର୍‌ଏସ୍‌ଏସ୍‌ଏସ୍‌-୧ଏଚ୍‌ ନାଭିଗେସନ ସାଟେଲାଇଟ ଯାନ୍ତ୍ରିକ ତ୍ରୁଟି କାରଣରୁ ବିଫଳ ହୋଇଯାଇଥିଲା। ସ୍ମରଣଯୋଗ୍ୟ, ଗତ ଫ୍ରେବ୍ରୁଆରିରେ ଇସ୍ରୋ ମହାକାଶକୁ ଏକାଥରକେ ୧୦୩ଟି ଉପଗ୍ରହ ପ୍ରେରଣ କରି ବିଶ୍ୱସ୍ତରରେ ରେକର୍ଡ ସୃଷ୍ଟି କରିଥିବା ବେଳେ ଜୁନ୍‌ରେ ପୁଣିଥରେ ୩୧ଟି ଉପଗ୍ରହ ଏକାଥରକେ ପ୍ରେରଣ କରିଥିଲା।

ସମ୍ବନ୍ଧିତ ଖବର