ଇ-ଭେଇକ୍ଲ୍‌ ପାଇଁ ଅଟୋମୋବାଇଲ୍‌ ସେକ୍ଟର୍‌କୁ ଶସ୍ତା ବ୍ୟାଟେରି ତିଆରି ପାଇଁ ଜ୍ଞାନକୌଶଳ ଯୋଗାଇବ ଇସ୍ରୋ

ନୂଆଦିଲ୍ଲୀ: ଇ-ଭେଇକ୍ଲ୍‌ରେ ବ୍ୟାବସାୟିକ ଭିତ୍ତିରେ ବ୍ୟବହାର କରାଯିବା ପାଇଁ ଇସ୍ରୋ ମହାକାଶ ପାଇଁ ବିକଶିତ କରିଥିବା ବ୍ୟାଟେରି ତିଆରି ଜ୍ଞାନ କୌଶଳ ଯୋଗାଇ ଦେବ।

ଇସ୍ରୋର ଅଧ୍ୟକ୍ଷ ଡକ୍ଟର୍‌ ଶିବନ କହନ୍ତି: ମହାକାଶ ଯାନରେ ପ୍ରୟୋଗ ପାଇଁ ଇସ୍ରୋ ୪ ପ୍ରକାରର ବ୍ୟାଟେରି ବିକଶିତ କରିଛି। ସେଗୁଡ଼ିକ ହେଲା- ୧.୫ଏଏଚ୍‌, ୫ଏଏଚ୍‌, ୫୦ଏଏଚ୍‌ ଏବଂ ୧୦୦ଏଏଚ୍‌। ଏହି ଚାରିଟି ବ୍ୟାଟେରିରୁ ୫୦ଏଏଚ୍‌ ଏବଂ ୧୦୦ଏଏଚ୍‌ ବ୍ୟାଟେରିକୁ ଇସ୍ରୋ ଅଟୋମେଟିଭ୍‌ ରିସର୍ଚ ଆସୋସିଏସନ୍‌ ଅଫ୍‌ ଇଣ୍ଡିଆକୁ ଯଥାକ୍ରମେ ଇ-ସ୍କୁଟର୍‌ ଏବଂ ଇ-କାର୍‌ରେ ବ୍ୟବହାର କରିବାକୁ ଦେଇଥିଲେ। ବ୍ୟାଟେରିର କାର୍ଯ୍ୟ ଦକ୍ଷତାରେ ସେମାନେ ସନ୍ତୁଷ୍ଟ ବୋଲି ଜଣାପଡ଼ିଛି। ସେଥିପାଇଁ ଇସ୍ରୋ ଏବେ ଅଟୋମୋବାଇଲ୍‌ ସେକ୍ଟର୍‌କୁ ଏହି ଜ୍ଞାନ କୌଶଳ ହସ୍ତାନ୍ତର କରିବାକୁ କାମ ଆରମ୍ଭ କରିଛି।

ଗତବର୍ଷ ଏଆର୍‌ଏଆଇ ୫୦ଏଏଚ୍‌ ବ୍ୟାଟେରିକୁ ଦ୍ୱିଚକିଆ ଯାନରେ ବ୍ୟବହାର କରିଥିଲା। ୨ ଘଣ୍ଟା ଚାର୍ଜ କରିବା ପରେ ଏହି ବ୍ୟାଟେରିରେ ସ୍କୁଟର୍‌କୁ ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ୯୮ କିଲୋମିଟର ଚାଲିଥିଲା।

ଇସ୍ରୋର ଏହି ପଦକ୍ଷେପ ଯୋଗୁଁ ଭାରତୀୟ ଅଟୋମୋବାଇଲ୍‌ ସେକ୍ଟର୍‌କୁ ଖୁବ୍‌ ଆଶ୍ୱସ୍ତି ମିଳିଛି। କାରଣ ଭାରତରେ ଏବେ ଲି-ଆୟନ୍‌ ବ୍ୟାଟେରି ବ୍ୟାବସାୟିକ ଭାବେ ନିର୍ମାଣ ହୋଇ ପାରୁ ନ ଥିବାରୁ ଜାପାନ କିଂବା ଚୀନ୍‌ରୁ ଆମଦାନି କରାଯାଉଛି।

ସମ୍ବନ୍ଧିତ ଖବର