ଇସ୍ରୋର ସବୁଠୁ ଭାରୀ କୃତ୍ରିମ ଉପଗ୍ରହ ଜିସାଟ୍-୧୧ର ସଫଳ ଉତ୍କ୍ଷେପଣ
ନୂଆଦିଲ୍ଲୀ: ବୁଧବାର ରାତି ୨: ୦୭ରେ ଫ୍ରେଞ୍ଚ୍ ଗୁଇଆନାସ୍ଥିତ ଇଉରୋପୀୟ ସ୍ପେସ୍ପୋର୍ଟରୁ ଭାରତର ସବୁଠୁ ଭାରୀ, ୫, ୮୫୪ କିଲୋଗ୍ରାମ୍ ଓଜନବିଶିଷ୍ଟ କୃତ୍ରିମ ଉପଗ୍ରହ ଜିସାଟ୍-୧୧ର ଉତ୍କ୍ଷେପଣ ସଫଳ ହୋଇଛି। ଏରିଆନିସ୍ପେସ୍ର ଏରିଆନି-୫ ରକେଟ୍ ସଫଳତାର ସହ ଯୋଗାଯୋଗ କୃତ୍ରିମ ଉପଗ୍ରହ ଜିସାଟ୍-୧୧ ଏବଂ ଦକ୍ଷିଣ କୋରିଆର ଜିଓ କୃତ୍ରିମ ଉପଗ୍ରହ ଜିଓ-କୋମ୍ପାଷ୍ଟ୍-୨ଏ ଉତ୍ତୋଳନ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଉତ୍ତୋଳନର ଅଣତିଣିଶ ମିନିଟ୍ ପରେ ଜିସାଟ୍-୧୧ ରକେଟ୍ରୁ ପୃଥକ୍ ହୋଇ ଜିଓ-ଟ୍ରାନ୍ସ୍ଫର୍ କକ୍ଷପଥରେ ସ୍ଥାପିତ ହୋଇଥିଲା। ଜିସାଟ୍-୧୧ ପୃଥକ୍ ହେବାର ଚାରି ମିନିଟ୍ ପରେ କୋରୀୟ କୃତ୍ରିମ ଉପଗ୍ରହକୁ ଛଡ଼ା ଯାଇଥିଲା। ମହାକାଶରେ ଦୁଇ କୃତ୍ରିମ ଉପଗ୍ରହ ମଧ୍ୟରେ ସଂଘାତ ଏଡ଼ାଇବାକୁ ଏରିଆନିସ୍ପେସ୍ ଚାରି ମିନିଟ୍ ବ୍ୟବଧାନ ରଖିଥିଲା।
ଜିସାଟ୍-୧୧ ହେଉଛି ଏକ ‘ହାଇ-ଥରୋପୁଟ୍’ କୃତ୍ରିମ ଉପଗ୍ରହ ଯାହାର କେୟୁ-ବ୍ୟାଣ୍ଡ୍ ଏବଂ କେଏ-ବ୍ୟାଣ୍ଡ୍ରେ ଫ୍ରିକ୍ୱେନ୍ସିରେ ୪୦ଟି ଟ୍ରାନ୍ପଣ୍ଡର୍ ରହିଛି। ଏହା ସେକେଣ୍ଡ୍ପ୍ରତି ୧୪ ଗିଗାବାଇଟ୍ ଡାଟା ଟ୍ରାନ୍ସ୍ଫର୍ ବେଗରେ ‘ହାଇ ବ୍ୟାଣ୍ଡ୍ଉଇଡ୍ଥ୍ କନେକ୍ଟିଭିଟି’ ଯୋଗାଇ ଦେବାକୁ ସମର୍ଥ। ଏହି କୃତ୍ରିମ ଉପଗ୍ରହଟି ୧୫ ବର୍ଷ କାର୍ଯ୍ୟ କରିବା ଭଳି ନିର୍ମାଣ କରାଯାଇଛି।
ଉତ୍କ୍ଷେପଣ ହେବା ପରେ ପରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥାନର ଅଧ୍ୟକ୍ଷ କେ ଶିବନ କହିଲେ: ଜିସାଟ୍-୧୧ ହେଉଛି ଭାରତର ସବୁଠୁ ସମୃଦ୍ଧ ମହାକାଶ ସମ୍ବଳ। ଏଥିରେ ୩୮ଟି ସ୍ପଟ୍ ବିମ୍ ଏବଂ ଆଠଟି ସବ୍ ବିମ୍ ରହିଛି। ଏହା ଦୂରଦୂରାନ୍ତର ବ୍ୟାପୀ ସମଗ୍ର ଦେଶ ପାଇଁ କାମ କରିବ।
ପ୍ରଥମେ ଜିସାଟ୍-୧୧ ଗତ ମେ ୨୫ ତାରିଖ ଦିନ ଉତ୍କ୍ଷେପଣ କରାଯିବାକୁ ଯୋଜନା କରାଯାଇଥିଲା। କିନ୍ତୁ, ଇସ୍ରୋ କିଛି ବୈଷୟିକ ଯାଞ୍ଚ କରିବାକୁ ଚାହିଁବାରୁ ଏହାର ଉତ୍କ୍ଷେପଣ ସ୍ଥଗିତ ରଖାଯାଇଥିଲା।