ଅନ୍ୟଦେଶର ବୈଜ୍ଞାନିକଙ୍କୁ କୃତ୍ରିମ ଉପଗ୍ରହ ନିର୍ମାଣ କୌଶଳ ଶିଖାଇବ ଇସ୍ରୋ

ନୂଆଦିଲ୍ଲୀ : ଭାରତର ପ୍ରମୁଖ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଏଣିକି ଅନ୍ୟ ଦେଶର ବୈଜ୍ଞାନିକମାନଙ୍କୁ କୃତ୍ରିମ ଉପଗ୍ରହ ନିର୍ମାଣ କୌଶଳ ଶିଖାଇବ । ଅଷ୍ଟ୍ରିଆର ଭିଏନାଠାରେ ଅନୁଷ୍ଠିତ ୟୁନିସ୍ପେଶ-୫୦ ସମ୍ମିଳନୀରେ ଇସ୍ରୋ ଏହି ଘୋଷଣା କରିଛି ।

ଇସ୍ରୋ ଅଧ୍ୟକ୍ଷ କେ.ଶିବନ୍‌ କହିଛନ୍ତି ଯେ ଭାରତ ଆଫ୍ରିକା ଓ ୟୁଏଇ ପରି କେତେକ ଦେଶର ବୈଜ୍ଞାନିକମାନଙ୍କୁ କ୍‌ୃତ୍ରିମ ଉପଗ୍ରହ ନିର୍ମାଣ ସମ୍ପର୍କରେ ତାଲିମ ଦେବ । ଏହି ତାଲିମ ଓ ଜ୍ଞାନକୌଶଳର ବ୍ୟବହାର କରି ସେମାନେ ନିଜେ ଉପଗ୍ରହ ନିର୍ମାଣ କରିପାରିବେ । ଯଦି ଏସବୁ ଉପଗ୍ରହ ଗୁଡ଼ିକ ସବୁପ୍ରକାରର ପରୀକ୍ଷା ଓ ମାନଦଣ୍ଡରେ ଉତ୍ତୀର୍ଣ୍ଣ ହୁଏ, ଇସ୍ରୋ ପକ୍ଷରୁ ସେଗୁଡ଼ିକର ଉତକ୍ଷେପଣ କରାଯିବ । ଏହି ତାଲିମ ପାଇଁ ଇସ୍ରୋ କୌଣସି ଦେୟ ଆଦାୟ କରାଯିବ ନାହିଁ । ଭାରତର ଏହି ପଦକ୍ଷେପକୁ ୟୁନିସ୍ପେଶ-୫୦ର ସଦସ୍ୟ ଦେଶମାନେ ସ୍ୱାଗତ କରିଛନ୍ତି ।

ସୂଚନାଯୋଗ୍ୟ ଯେ ୟୁନିସ୍ପେଶ-୫୦ ହେଉଛି ମହାକାଶର ଶାନ୍ତିପୂର୍ଣ୍ଣ ଆବିଷ୍କାର ଓ ଉପଯୋଗ ପାଇଁ ଗଠିତ ମିଳିତ ଜାତିସଂଘର ଏକ ସଂସ୍ଥା । ଏହା ୧୯୬୮ ମସିହାରେ ଗଠିତ ହୋଇଥିଲା । ଏହି ସଂଗଠନ ଚଳିତ ବର୍ଷ ନିଜର ୫୦ ତମ ବର୍ଷ ପାଳନ କରୁଛି ।

ସମ୍ବନ୍ଧିତ ଖବର