ନଭେମ୍ବର ୩୦ ଦିନ ଫ୍ରେଞ୍ଚ୍‌ ଗିଅନାରୁ ଉତ୍‌କ୍ଷେପଣ କରାଯିବ ‘ଇସ୍ରୋ’ର ସବୁଠୁ ଭାରୀ ସାଟେଲାଇଟ୍‌: ଶିବନ୍‌

ନୂଆଦିଲ୍ଲୀ: ନଭେମ୍ବର ୩୦ ତାରିଖ ଦିନ ଇଉରୋପିଆନ୍‌ ସ୍ପେସ୍‌ପୋର୍ଟ ଫ୍ରେଞ୍ଚ୍‌ ଗିଅନାରୁ ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ ତା’ର ୫. ୭ ଟନ୍‌ ଓଜନବିଶିଷ୍ଟ ସବୁଠୁ ଭାରୀ କୃତ୍ରିମ ଉପଗ୍ରହ ଜିସାଟ୍‌-୧୧କୁ ଉତ୍‌କ୍ଷେପଣ କରିବ।

ଏହି କମ୍ୟୁନିକେସନ୍‌ ସାଟେଲାଇଟ୍‌ ଦେଶରେ ଇଣ୍ଟର୍‌ନେଟ୍‌ର ବେଗ ବୃଦ୍ଧି କରାଇବାରେ ସହାୟକ ହେବ। ସମ୍ଭାବ୍ୟ ତ୍ରୁଟିବିଚ୍ୟୁତି ଯାଞ୍ଚ କରାଯିବାକୁ ଏପ୍ରିଲ୍‌ ମାସରେ ଏହାକୁ ଫ୍ରେଞ୍ଚ୍‌ ଗିଅନାରୁ ଫେରସ୍ତ ଅଣାଯାଇଥିଲା।

ବରିଷ୍ଠ ବୈଜ୍ଞାନିକ ଓ ବିଶେଷଜ୍ଞମାନଙ୍କ ପରାମର୍ଶ କ୍ରମେ ଇଲେକ୍ଟ୍ରିକାଲ୍‌ ସର୍କିଟ୍‌ ସମେତ ଏହାର ସମସ୍ତ ଯନ୍ତ୍ରାଂଶକୁ ତନ୍ନ ତନ୍ନ କରି ତନଖି କରାଯାଇଥିଲା। କେତେଗୁଡ଼ିଏ ବୁଝାମଣା ପରେ ଶେଷକୁ ଏରିଆନ୍‌ସ୍ପେସ୍‌ ଏ ବର୍ଷ ଜିସାଟ୍‌-୧୧ ଉତ୍‌କ୍ଷେପଣ କରିବାକୁ ରାଜି ହୋଇ ନଭେମ୍ବର ୩୦କୁ ଦିନ ଧାର୍ଯ୍ୟ କରିଛି ବୋଲି ଇସ୍ରୋର ଅଧ୍ୟକ୍ଷ କେ ଶିବନ କହିଛନ୍ତି।

ଏହି ଓଜନିଆର ‘କୁ-ବ୍ୟାଣ୍ଡ୍‌ ଓ ‘କା-ବ୍ୟାଣ୍ଡ୍‌’ ଫ୍ରିକ୍ୱେନ୍‌ସିରେ ୪୦ଟି ଟ୍ରାନ୍‌ସ୍‌ପୋଣ୍ଡର୍‌ ବହନ କରୁଛି। ସେକେଣ୍ଡ୍‌ ପ୍ରତି ଏହାର ଡାଟା ଟ୍ରାନ୍‌ସ୍‌ଫର୍‌ କ୍ଷମତା ହେଉଛି ୧୪ ଗିଗା ବାଇଟ୍‌। ଏହି ବିଶାଳ କୃତ୍ରିମ ଉପଗ୍ରହର ପ୍ରତି ସୋଲାର୍‌ ପାନେଲ୍‌ ଚାରି ମିଟର୍‌ ଲମ୍ବବିଶିଷ୍ଟ।

ସମ୍ବନ୍ଧିତ ଖବର