ହିନ୍ଦୀ ଭାଷା ବିବାଦ ତେଜିଲା: ଚିଦମ୍ବରମଙ୍କ ପୁରୁଣା ଭିଡ଼ିଓ ଟ୍ବିଟ୍ କଲେ କିରଣ ରିଜିଜୁ

ହିନ୍ଦୀ ଭାଷା ହିଁ ଦେଶକୁ ଏକଜୁଟ କରିପାରିବ। ଗତ ୧୪ ତାରିଖରେ ହିନ୍ଦୀ ଦିବସ ଅବସରରେ ଗୃହମନ୍ତ୍ରୀ ଅମିତ ଶାହ ଏହା କହିଥିଲେ। ଏଥି ସହିତ ସେ କହିଥିଲେ ଏବେ ‘ଗୋଟିଏ ଦେଶ-ଗୋଟିଏ ଭାଷା’ର ଆବଶ୍ୟକତା ରହିଛି । ଭାରତକୁ ଏକତାର ସୂତ୍ରରେ ବାନ୍ଧିବା କାମ କରୁଥିବା ହିନ୍ଦୀ ଭାଷାର ବହୁଳ ବ୍ୟବହାର ଉପରେ ସେ ଗୁରୁତ୍ବାରୋପ କରିଛନ୍ତି। ମହାତ୍ମା ଗାନ୍ଧୀ ଏବଂ ସର୍ଦ୍ଦାର ପଟେଲଙ୍କ ସ୍ବପ୍ନକୁ ସାକାର କରବା ପାଇଁ ଦୈନନ୍ଦିନ ଜୀବନରେ ହିନ୍ଦୀ ଭାଷାର ବ୍ୟବହାର ବଢ଼ାଇବାକୁ ହେବ ବୋଲି କହିଥିଲେ। ଦେଶବାସୀ ନିଜ ନିଜର ମାତୃଭାଷାର ବହୁଳ ବ୍ୟବହାର ସହିତ ହିନ୍ଦୀର ବ୍ୟବହାର ମଧ୍ୟ କରିବା ଆବଶ୍ୟକ। ଗୋଟିଏ ଭାଷା ଅନ୍ତର୍ଜାତୀୟ ସ୍ତରରେ ଭାରତ ପାଇଁ ପରିଚୟର ପ୍ରତୀକ ହେବ ବୋଲି ଶାହ କହିଥିଲେ। ସେହିଭଳି ହିନ୍ଦୀ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ହିନ୍ଦୀର ଅଧିକ ବ୍ୟବହାର ଉପରେ ଗୁରୁତ୍ବାରୋପ କରିଥିଲେ। ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ ଏହି ମନ୍ତବ୍ୟ ପରେ ଦକ୍ଷିଣ ଭାରତୀୟ ରାଜ୍ୟ ଗୁଡ଼ିକର ନେତୃବୃନ୍ଦ ଏହାକୁ ବିରୋଧ କରିବା ଆରମ୍ଭ କରି ଦେଇଛନ୍ତି।

କଦାପି ବାସ୍ତବତାରେ ପରିଣତ ହୋଇପାରିବ ନାହିଁ
ଜୟରାମ ରମେଶ, କଂଗ୍ରେସ ନେତା
ଗୋଟିଏ ଦେଶ-ଗୋଟିଏ ଟିକସ କାର୍ଯ୍ୟକାରୀ ହୋଇପାରେ। କିନ୍ତୁ ଗୋଟିଏ ଦେଶ-ଗୋଟିଏ ଭାଷା ଏବଂ ଗୋଟିଏ ଦେଶ-ଗୋଟିଏ ସଂସ୍କୃତି କଦାପି ବାସ୍ତବତାରେ ପରିଣତ ହୋଇପାରିବ ନାହିଁ। ଆମର ଗୋଟିଏ ଦେଶ, କିନ୍ତୁ ଅନେକ ଭାଷା। ସେହିଭଳି ଗୋଟିଏ ଦେଶ କିନ୍ତୁ ଅନେକ ପ୍ରଦେଶ ରହିଛି ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି।

ଖୁବଶୀଘ୍ର ଇଂରାଜୀ ସମେତ ମାଲାୟଲମ ଭାଷାରେ ହେବ ପ୍ରଶ୍ନପତ୍ର
ପିନାରାଇ ବିଜୟନ, ମୁଖ୍ୟମନ୍ତ୍ରୀ, କେରଳ
କେରଳ ରାଜ୍ୟ ଲୋକସେବା ଆୟୋଗ (କେପିଏସସି) ଦ୍ବାରା ହେଉଥିବା ସମସ୍ତ ନିଯୁକ୍ତି ପରୀକ୍ଷା‌ରେ ଖୁବଶୀଘ୍ର ଇଂରାଜୀ ସମେତ ମାଲାୟଲମ ଭାଷାରେ ପ୍ରଶ୍ନପତ୍ର ରହିବ। ସରକାରଙ୍କ ପକ୍ଷରୁ କେପିଏସସିକୁ ଏ ନେଇ ଦିଆଯାଇଥିବା ପ୍ରସ୍ତାବ ଗ୍ରହଣ ହୋଇଛି। ପିଏସସି ଅଧ୍ୟକ୍ଷ ଏମ କେ ସକିରଙ୍କ ସହ ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି। ଏଥିସହିତ ଆଗାମୀ ଦିନରେ କନ୍ନଡ଼ ସହିତ ରାଜ୍ୟର ସଂଖ୍ୟାଲଘୁ ଭାଷା ତାମିଲରେ ମଧ୍ୟ ପ୍ରଶ୍ନପତ୍ର ପ୍ରସ୍ତୁତି ବିଷୟକୁ ସରକାର ବିଚାର କରିବେ ବୋଲି ବିଜୟନ କହିଛନ୍ତି।

ଜାଲିକାଟୁଠାରୁ ବଡ଼ ଧରଣର ଆନ୍ଦୋଳନ ହେବ
କମଲ ହାସନ୍, ସଭାପତି, ମକଲ ନିଧି ମୟମ
ତାମିଲନାଡ଼ୁରେ ଅଭିନେତାରୁ ‌ରାଜନେତା ବନିଥିବା କମଲ ହାସନ୍ ସୋମବାର ଗୋଟିଏ ଦେଶ, ଗୋଟିଏ ଭାଷାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ବିବିଧତା ଭିତରେ ଏକତାର ପ୍ରତିଶ୍ରୁତି ନେଇ ୧୯୫୦ରେ ଭାରତ ଏକ ଜନରାଜ୍ୟରେ ପରିଣତ ହୋଇଥିଲା। ତେଣୁ କୌଣସି ଶାହ, ସୁଲତାନ ବା ସମ୍ରାଟ ଏହି ପ୍ରତିଶ୍ରୁତିକୁ ଛଡ଼ାଇ ନେଇପାରିବେ ନାହିଁ। ଆବଶ୍ୟ ହେଲେ ଭାଷା ପାଇଁ ଆମେ ଜାଲିକାଟୁଠାରୁ ବଡ଼ ଧରଣର ଯୁଦ୍ଧ କରିବୁ ବୋଲି ମକଲ ନିଧି ମୟମ ଦଳର ସଭାପତି ହାସନ୍ କହିଛନ୍ତି।

କନ୍ନଡ଼ ଭାଷା ସହ ସାଲିସ କରାଯିବ ନାହିଁ
ବି ଏସ ୟେଦୁରପ୍ପା ମୁଖ୍ୟମନ୍ତ୍ରୀ, କର୍ଣ୍ଣାଟକ
କନ୍ନଡ଼ ଭାଷାର ଗୁରୁତ୍ବ ସହିତ ସାଲିସ କରାଯିବ ନାହିଁ। ଆମ ଦେଶର ସବୁ ସରକାରୀ ଭାଷା ସମାନ। ତେଣୁ କନ୍ନଡ଼ ଭାଷାର ଗୁରୁତ୍ବ ସହିତ ସାଲିସ କରିବୁ ନାହିଁ। ବରଂ କନ୍ନଡ଼ ଏବଂ ରାଜ୍ୟର ସଂସ୍କୃତିକୁ ପ୍ରୋତ୍ସାହନ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ ରହିଛୁ। କର୍ଣ୍ଣାଟକରେ କନ୍ନଡ଼ ମୁଖ୍ୟ ଭାଷା ଏବେ ରହିଛି ଏବଂ ଭବିଷ୍ୟତରେ ମଧ୍ୟ ରହିବ।

ଚିଦମ୍ବରମଙ୍କ ପୁରୁଣା ଭିଡ଼ିଓ ଟ୍ବିଟ୍ କଲେ କିରଣ ରିଜିଜୁ
ଗୃହମନ୍ତ୍ରୀ ଅମିତ ଶାହ ଗୋଟିଏ ଦେଶ ଗୋଟିଏ ଭାଷା ମନ୍ତବ୍ୟ ଦେବା ପରେ ଏହାକୁ ନେଇ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକର ନେତୃବୃନ୍ଦ ଭୀଷଣ ପ୍ରତିକ୍ରିୟା ବ୍ୟକ୍ତ କରିଥିବାବେଳେ କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ କିରଣ ରିଜିଜୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦମ୍ବରମଙ୍କର ଏକ ପୁରୁଣା ଭିଡିଓକୁ ଟ୍ବିଟ୍ କରିଛନ୍ତି। ୨୦୧୦ ମସିହାର ଏହି ଭିଡ଼ିଓରେ ଚିଦମ୍ବରମ୍ ହିନ୍ଦୀକୁ ଜାତୀୟ ଭାଷା କରିବା ପାଇଁ ଆହ୍ବାନ ଦେଇଛନ୍ତି। ୨୦୧୦ରେ ହିନ୍ଦୀ ଦିବସ ପାଳନ ଅବସରରେ ତତ୍କାଳୀନ ଅର୍ଥମନ୍ତ୍ରୀ ଏଭଳି ଆହ୍ବାନ ଦେଇଥିବା ଦେଖିବାକୁ ମିଳିଛି। ତେଣୁ ବର୍ତ୍ତମାନ ଯେଉଁମାନେ ହିନ୍ଦୀକୁ ଜାତୀୟ ଭାଷା କରିବାକୁ ବିରୋଧ କରୁଛନ୍ତି ସେମାନଙ୍କୁ କଂଗ୍ରେସ ତାହାର ମତ ଜଣାଇ ଦେବା ଆବଶ୍ୟକ ବୋଲି ରିଜିଜୁ କହିଛନ୍ତି।

ଲଦି ଦିଆଯାଇ ପାରିବ ନାହିଁ
ଏମ କେ ଷ୍ଟାଲିନ୍‌, ସଭାପତି, ଡିଏମକେ
ହିନ୍ଦୀ ଭାଷାକୁ ସ୍ବେଚ୍ଛାଚାରିତାର ସହ କେନ୍ଦ୍ର ଲଦି ଦେବାକୁ ପ୍ରଚେଷ୍ଟା କରୁଛି ବୋଲି ଡିଏମକେ ମୁଖ୍ୟ ଏମ କେ ଷ୍ଟାଲିନ୍ ଅଭିଯୋଗ କରିଛନ୍ତି। ଏହି ପ୍ରସଙ୍ଗରେ ସରକାରଙ୍କୁ ବିରୋଧ କରିବା ଲାଗି ବିରୋଧୀ ଦଳଗୁଡ଼ିକ ଏକଜୁଟ ହେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ରେଳବାଇ ଏବଂ ଡାକ ବିଭାଗ ଦ୍ବାରା କରାଯାଉଥିବା ପରୀକ୍ଷାରେ ତାମିଲ ଭାଷାକୁ ଅଣଦେଖା କରାଯାଉଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର