ଚଢଉ ବେଳେ ବ୍ୟବସାୟୀଙ୍କ ଘରୁ ଯାହା ମିଳିଲା ତାହା ଦେଖି ଆୟକର ଅଧିକାରୀମାନେ ବି ଆଶ୍ଚର୍ଯ୍ୟ ହୋଇଗଲେ

ଲକ୍ଷ୍ନୌ: କିଛିଦିନ ତଳେ ରିଲିଜ ହୋଇଥିବା ଅଜୟ ଦେବଗନ ଅଭିନୀତ ରେଡ୍‌ ଫିଲ୍ମ ଆପଣ ଦେଖିଥିବେ । ଏଥିରେ ଅଜୟ ଜଣେ ସଚ୍ଚୋଟ ଆୟକର ଅଧିକାରୀ ହୋଇ ଜଣେ କଳାଧନ ମହଜୁଦକାରୀଙ୍କ ଘରେ ରେଡ୍‌ କରି ବିପୁଳ ସଂପତ୍ତି ଜବତ କରିଥିଲେ । ଏପରି ଏକ ଘଟଣା ସତସତିକା ଲକ୍ଷ୍ନୌରେ ଘଟିଛି । ଲକ୍ଷ୍ନୌର ଜଣେ ବ୍ୟବସାୟୀଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢଉ କରାଯାଇ ବିପୁଳ ପରିମାଣର ଆୟବହିର୍ଭୁତ ଧନ ସଂପତ୍ତିର ସନ୍ଧାନ ମିଳିଛି । ବ୍ୟବସାୟୀଙ୍କ ଘରୁ ପ୍ରାୟ ୮୯ କିଲୋ ସୁନା, ରୁପା ଓ ୮ କୋଟି ଟଙ୍କାର ନଗଦ ଟଙ୍କା ମିଳିଛି । ପୁରୁଣା ଲକ୍ଷ୍ନୌ ନିବାସୀ କହ୍ନୈୟାଲାଲ ରସ୍ତୋଗୀ ସହରର ଜଣେ ଜଣାଶୁଣା ବ୍ୟବସାୟୀ । ତେବେ ଜଣେ ସୁଧ କାରବାରୀ ଭାବେ ମଧ୍ୟ ସେ ପରିଚିତ । କଳାଟଙ୍କାକୁ ଧଳା କରିବାରେ ମଧ୍ୟ ସେ ଲିପ୍ତ ଅଛନ୍ତି ବୋଲି କୌଣସି ସୁତ୍ରରୁ ସୂଚନା ମିଳିବା ପରେ ଆୟକର ବିଭାଗ ପକ୍ଷରୁ ଗତ ବୁଧବାରଦିନ ତାଙ୍କ ଘରେ ଚଢଉ କରାଯାଇଥିଲା । ଚଢଉ ବେଳେ ତାଙ୍କ ଘରେ ଥିବା ସୁନା ଦେଖି ଅଧିକାରୀମାନଙ୍କର ଆଖି ଖୋସି ହୋଇଯାଇଥିଲା । ତାଙ୍କ ଘରୁ ପ୍ରାୟ ୮୭ କିଲୋଗ୍ରାମର ସୁନା ବିସ୍କୁଟ, ୨ କିଲୋଗ୍ରାମର ସୁନା ଅଳଙ୍କାର ଜବତ ହୋଇଛି । ଏହା ସହିତ ନଗଦ ୮ କୋଟି ଟଙ୍କା ସମେତ ଅନେକ ଗୋପନୀୟ ସଂପତ୍ତିର ସନ୍ଧାନ ମିଳିଛି । ସହରର ବଡ଼ ବଡ଼ ସୁନା ବ୍ୟବସାୟୀ ତାଙ୍କ ନିକଟରେ ସୁନା ବନ୍ଧକ ରଖି ଋଣ ନେଇଥାନ୍ତି ବୋଲି ଆୟକର ବିଭାଗ ଜାଣିପାରିଛି ।

ସମ୍ବନ୍ଧିତ ଖବର