ସମୁଦ୍ରରେ ଖସି ପଡ଼ିଲା ବିମାନ, ୪ ମୃତ

ଆବିଦ୍‌ଜାନ(ଆଇଭରି କୋଷ୍ଟ୍‍) : ଶୁକ୍ରବାର ଆଇଭରି କୋଷ୍ଟ୍‍ର ପ୍ରମୁଖ ସହର ଆବିଦ୍‌ଜାନ ନିକଟ ସମୁଦ୍ରରେ ଏକ ପଣ୍ୟବାହୀ ବିମାନ ଖସିପଡ଼ିବାରୁ ଅତି କମ୍‌ରେ ୪ ଜଣ ବିମାନଯାତ୍ରୀଙ୍କର ମୃତ୍ୟୁ ଘଟିଛି। ଆବିଦ୍‌ଜାନ ସ୍ଥିତ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଉକ୍ତ ଉଡ଼ାଜାହାଜଟି ଉଡ଼ାଣ କରିବାର କିଛି ସମୟ ପରେ ଭୀଷଣ ଝଡ଼ ସାଙ୍ଗକୁ ପ୍ରବଳ ବର୍ଷା ଓ ବିଜୁଳିି ମାଡ଼ର ସମ୍ମୁଖୀନ ହୋଇଥିଲା। ଏଥିରେ ବିମାନଟି ଖଣ୍ଡ ବିଖଣ୍ଡିତ ହୋଇ ସମୁଦ୍ର ଉପକୂଳରେ ଖସିପଡ଼ିଥିଲା। ସ୍ଥାନୀୟ ନିଆଁଲିଭାଳି ଏବଂ ବୁଡ଼ାଳି ଦଳ ପହଞ୍ଚି ବିମାନର ଧ୍ୱଂସାବଶେଷ ଭିତରୁ ୪ଟି ମୃତଦେହ ଉଦ୍ଧାର କରିଛନ୍ତି। ଦୁର୍ଘଟଣାରେ ମୃତାହତଙ୍କ ସମ୍ପର୍କରେ ବିଶେଷ ସୂଚନା ମିଳିପାରିନାହିଁ। ତେବେ ଦୁର୍ଘଟଣାଗ୍ରସ୍ତ ବିମାନଟି ଜନବହୁଳ ଆବିଦ୍‌ଜାନ ସହର ଉପରେ ନଖସି ସମୁଦ୍ର ଉପକୂଳରେ ପଡ଼ିଥିବାରୁ ସହରବାସୀ ଏକ ବଡ଼ ଧରଣର ନିଶ୍ଚିତ ବିପର୍ଯ୍ୟୟରୁ ବର୍ତ୍ତିଯାଇଛନ୍ତି।

ସମ୍ବନ୍ଧିତ ଖବର