ଆଜି ଜଗା-ବଳିଆଙ୍କ ତୃତୀୟ ଜନ୍ମଦିନ

ନୂଆଦିଲ୍ଲୀ : ଯୋଡ଼ାମୁଣ୍ଡ ଅଲଗା ହେବା ପରେ ପ୍ରଥମ ଥର ପାଇଁ ଦୁଇ ଭାଇ ଜଗା-ବଳିଆ ସୋମବାର ସେମାନଙ୍କର ଜନ୍ମଦିନ ପାଳନ କରିବେ। ୨୦୧୫ ମସିହା ଏପ୍ରିଲ ୯ ତାରିଖରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆରେ ଏହି ଯୋଡାମୁଣ୍ଡ ଶିଶୁ ଜଗା-ବଳିଆଙ୍କର ଜନ୍ମ ହୋଇଥିଲା। ସେମାବାର ଦୁଇ ଶିଶୁଙ୍କ ତୃତୀୟ ଜନ୍ମଦିନ ହୋଇଥିବା ବେଳେ ଏଥର ସେମାନଙ୍କର ଜନ୍ମଦିନକୁ ଖୁସିରେ ପାଳନ କରିବା ପାଇଁ ବାପା-ମା’ ଆଶାବାନ୍ଧି ବସିଛନ୍ତି। ଏମ୍ସ ହସ୍ପିଟାଲରେ ନିରାଡମ୍ବର ଭାବେ ଉଭୟ ଶିଶୁଙ୍କ ଜନ୍ମଦିନ ପାଳନ କରାଯିବ ବୋଲି ବାପା ଭୂୟାଁ କହଁର କହିଛନ୍ତି। ଏମ୍ସ ଡାକ୍ତରୀ ଦଳଙ୍କ କଠିନ ପ୍ରୟାସ, ରାଜ୍ୟବାସୀଙ୍କ ଆଶା ଆକାଂକ୍ଷା ସାଙ୍ଗକୁ ଭଗବାନଙ୍କର ଆଶୀର୍ବାଦରୁ ଦୁଇଶିଶୁ ପୁନର୍ଜନ୍ମ ପାଇଥିବାରୁ ଏଥର ସେମାନଙ୍କ ଜନ୍ମଦିନ ପାଳନ ହେବ ବୋଲି ଭୂୟାଁ କହିଛନ୍ତି।
ଉଲ୍ଳେଖଯୋଗ୍ୟ, ଯୋଡାମୁଣ୍ଡ ଅଲଗା ହେବା ପରେ ଏମ୍ସ କର୍ତ୍ତୃପକ୍ଷ ହସ୍ପିଟାଲ ପରିସରରେ ଦୁଇ ଶିଶୁଙ୍କ ଖ୍ରୀଷ୍ଟମାସ ଓ ନୂଆବର୍ଷ ପାଳନ ପାଇଁ ବିଶେଷ ଆୟୋଜନ କରିଥିଲେ। ଜଗା-ବଳିଆ ଏବେ ହସ୍ପିଟାଲର ଘରୋଇ ଓ୍ଵାର୍ଡରେ ଚିକିତ୍ସାଧୀନ ଥିବା ବେଳେ ଜଗା ସମ୍ପୂର୍ଣ୍ଣ ସୁସ୍ଥ ଅଛି। ବଳିଆର ସ୍ୱାସ୍ଥ୍ୟାବସ୍ଥାରେ ମଧ୍ୟ ଧୀରେଧୀରେ ଉନ୍ନତି ପରିଲକ୍ଷିତ ହେଉଥିବା ଜଣାପଡ଼ିଛି। ଦୁଇ ଶିଶୁଙ୍କ ଜନ୍ମଦିନ ପାଇଁ ‘ସମ୍ବାଦ’ ପରିବାର ପକ୍ଷରୁ ମଧ୍ୟ ସେମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି। ଗତ ଅକ୍ଟୋବର ମାସରେ ଏମ୍ସର ୪୦ଜଣିଆ ଡାକ୍ତରୀ ଦଳଙ୍କ ଉପସ୍ଥିତିରେ ଜଗା-ବଳିଆଙ୍କ ଯୋଡାମୁଣ୍ଡକୁ ଅସ୍ତ୍ରୋପଚାର ମାଧ୍ୟମରେ ଅଲଗା କରାଯାଇଥିଲା। ଜଗା-ବଳିଆଙ୍କ ଏଭଳି ବିରଳ ଅସ୍ତ୍ରୋପଚାର ଭାରତୀୟ ଚିକିତ୍ସା ବିଜ୍ଞାନରେ ମଧ୍ୟ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଥିଲା।

ସମ୍ବନ୍ଧିତ ଖବର