୭୨ ଘଣ୍ଟା ପରେ ବି ଭେଣ୍ଟିଲେଟରରେ

ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ଉନ୍ନତି

ନୂଆଦିଲ୍ଲୀ : ଜଗା-ବଳିଆଙ୍କ ଅସ୍ତ୍ରୋପଚାର ପରେ ୭୨ ଘଣ୍ଟାର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅବଧି ଶେଷ ହୋଇଛି। ଏବେ ବି ଦୁଇ ଭାଇ ଭେଣ୍ଟିଲେଟରରେ ଅଛନ୍ତି। ଜଗା ସ୍ୱାସ୍ଥ୍ୟ ସାମାନ୍ୟ ସୁଧୁରିଥିବା ବେଳେ ବଳିଆ ସ୍ୱାସ୍ଥ୍ୟରେ ଆଶାନୁରୂପ ଉନ୍ନତି ପରିଲକ୍ଷିତ ହୋଇନଥିବା ଏକ ସୂତ୍ରରୁ ସୂଚନା ମିଳିଛି। ତେବେ ଦୁଇ ଭାଇଙ୍କ ଅସ୍ତ୍ରୋପଚାର ପରବର୍ତ୍ତୀ ବିଭିନ୍ନ ସ୍ୱାସ୍ଥ୍ୟଗତ ପରୀକ୍ଷାର ଫଳାଫଳ ବିଶେଷଜ୍ଞ ଡାକ୍ତରଙ୍କ ଅନୁମାନ ମୁତାବକ ସନ୍ତୋଷଜନକ ଥିବା ଜଣାଯାଇଛି।

ଅପରପକ୍ଷେ, ଦୁଇ ଭାଇଙ୍କର ଫୁସ୍‌ଫୁସ୍‌ କ୍ରିୟାଶୀଳତା ଜାଣିବା ପାଇଁ ପଲ୍‌ମୋନାରି ଫଙ୍କସନ୍‌ ଟେଷ୍ଟ(ପିଏଫ୍‌ଟି), ହୃତ୍‌ପିଣ୍ଡର ବୈଦ୍ୟୁତିକ କ୍ରିୟା ମାପିବା ପାଇଁ ଇଲେକ୍ଟ୍ରୋକାର୍ଡିଓଗ୍ରାଫି(ଇସିଜି), ମସ୍ତିଷ୍କର ବୈଦ୍ୟୁତିକ ସମ୍ବେଦନଶୀଳତା ଜାଣିବା ପାଇଁ ଇଲେକ୍ଟ୍ରୋଏନ୍‌ସେଫାଲୋଗ୍ରାମ୍‌(ଇଇଜି) ଏବଂ ରକ୍ତପ୍ରବାହ ଜାଣିବା ପାଇଁ ଆଞ୍ଜିଓଗ୍ରାମ ଆଦି କରିବାକୁ ଉଦ୍ୟମ ହୋଇଥିଲା। ମାତ୍ର ସେମାନେ ଭେଣ୍ଟିଲେଟରରେ ରହିଥିବାରୁ ଏବଂ ଅସ୍ତ୍ରୋପଚାର ଯୋଗୁଁ ମୁଣ୍ଡର ତଳଭାଗରେ ସିଲେଇ ସହ ବ୍ୟାଣ୍ଡେଜ୍‌ ଲାଗିଥିବାରୁ ଏହି ସବୁ ପରୀକ୍ଷା କରିବା ସମ୍ଭବପର ନୁହେଁ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି।

ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର କୁହାଯାଉଥିବା ବେଳେ ବିଶେଷଜ୍ଞ ଦଳ ଆଉ କିଛି ପରୀକ୍ଷା ନିରୀକ୍ଷା ପାଇଁ ଯୋଜନା କରୁଥିବା ଜାଣିବାକୁ ମିଳିଛି। ବର୍ତ୍ତମାନ ସୁଦ୍ଧା ବଳିଆ ଅସ୍ତ୍ରୋପଚାର ବେଳର ନିଶ୍ଚେତକ ପ୍ରଭାବରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇନାହିଁ। ଗତକାଲି ଜଗା ଆଖି ଖୋଲିବା ସହ ହାତ ହଲାଉଥିବା କୁହାଯାଇଥିଲା। ତେବେ ଦୁହେଁ ଅଦ୍ୟାବଧି ଅଚେତ ଅବସ୍ଥାରେ ରହିଥିବା ଓ ଚେତା ଫେରିଲେ ହିଁ ସେମାନଙ୍କ ସ୍ନାୟୁଜନିତ ପ୍ରତିକ୍ରିୟା ସମ୍ପର୍କରେ ଆକଳନ କରାଯାଇପାରିବ ବୋଲି ଜଣାଯାଇଛି। ଏବେ ବି ସଂକ୍ରମଣ ଆଶଙ୍କା ଥିବାରୁ ସେମାନଙ୍କ ୨୪ ଘଣ୍ଟିଆ ନିରୀକ୍ଷଣ କରାଯାଉଛି। ପରବର୍ତ୍ତୀ ୧୪ ଦିନ ସେମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର