ଗଣ ଦୁଷ୍କର୍ମରୁ ବଞ୍ଚିବା ପାଇଁ ତୃତୀୟ ମହଲାରୁ ଉଲଗ୍ନ ଅବସ୍ଥାରେ ତଳକୁ ଡେଇଁ ପ୍ରାଣ ହରାଇଲେ ୩୨ ବର୍ଷୀୟା ମହିଳା

ଜୟପୁର (ରାଜସ୍ଥାନ): ଜୟପୁର ରାଜସ୍ଥାନରେ ଆଜି ଘଟିଛି ଏକ ଜଘନ୍ୟ ଅପରାଧ। ଜନୈକା ୩୨ ବର୍ଷୀୟା ମହିଳା, ତିନିଜଣ ବ୍ୟକ୍ତିଙ୍କ ଗଣଦୁଷ୍କର୍ମରୁ ନିଜକୁ ବଞ୍ଚାଇବାକୁ ଯାଇ ଉଲଗ୍ନ ଅବସ୍ଥାରେ ଏକ ବହୁ ତଳ ବିଶିଷ୍ଟ ଫ୍ଲାଟ୍‌ର ତୃତୀୟ ମହାଲାରୁ ତଳକୁ ଡେଇଁ ପ୍ରାଣ ହରାଇଛନ୍ତି। ଏହି ଘଟଣା ଘଟିଛି ଜୟପୁରର ମୋହନା ଅଞ୍ଚଳରେ।

ପୁଲିସ୍‌ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ପୀଡ଼ିତା ମହିଳାଙ୍କ ଘର ନୂଆଦିଲ୍ଲୀରେ। ସେ ଚିକିତ୍ସିତ ହେବା ପାଇଁ ଜୟପୁର ଆସି ଜୟପୁର ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଜୟପୁର ହସ୍ପିଟାଲରେ ରହି ଦୀର୍ଘ ଦୁଇମାସ କାଳ ଚିକିତ୍ସିତ ହୋଇ ଆରୋଗ୍ୟ ଲାଭ କରିବା ପରେ ସେ ଜୟପୁରର ମୋହନା ଅଞ୍ଚଳରେ ରହୁଥିବା ତାଙ୍କର ଜଣେ ଦୂର ସଂପର୍କୀୟ ଭାଇଙ୍କ ଫ୍ଲାଟ୍‌ରେ ଆସି ରହୁଥିଲେ। ତେବେ, ଗତ ଶନିବାର ଦିନ ରାତିରେ ତାଙ୍କର ଦୂର ସଂପର୍କୀୟ ଭାଇ ତାଙ୍କର ଅନ୍ୟ ଦୁଇ ବନ୍ଧୁଙ୍କୁ ନିଜ ଫ୍ଲାଟକୁ ଡକାଇଥିଲେ। ପରେ ତିନି ଜଣ ମିଶି ସଂପୃକ୍ତା ମହିଳାଙ୍କୁ ଗଣଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ।

ତେବେ, ମହିଳା ଜଣକ ଏହାର ପ୍ରତିବାଦ କରିବାରୁ ଦୁର୍ବୃତ୍ତମାନେ ତାଙ୍କ ଉଲଗ୍ନ କରି ପକାଇବା ସହ ମାଡ଼ ମାରିଥିଲେ। ଶେଷରେ ଦୁର୍ବୃତ୍ତମାନଙ୍କ କବଳରୁ ନିଜକୁ ବଞ୍ଚାଇବାକୁ ଯାଇ ଫ୍ଲାଟରୁ ତଳକୁ ଡେଇଁ ପଡ଼ିଥିଲେ। ଏହି ଘଟଣାରେ ମହିଳା ଜଣଙ୍କର ମୁତ୍ୟୁ ହୋଇ ଯାଇଥିଲା। ପରେ ଘଟଣା ସଂପର୍କରେ ଖବର ପାଇ ପୁଲିସ୍‌ ଆସି ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଅଭିଯୁକ୍ତମାନେ ସେଠାରୁ ଫେରାର ହୋଇ ଯାଇଥିଲେ। ଏବେ ଘଟଣାରେ ସଂପୃକ୍ତ ଅପରାଧୀମାନଙ୍କୁ ଧରିବା ପାଇଁ ପୁଲିସ୍‌ ପକ୍ଷରୁ ବ୍ୟାପକ ତଲାସୀ ଅଭିଯାନ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର