ଜୀବନ ବଞ୍ଚାଉଥିବା ହେଲ୍‌ମେଟ୍‌ ୨୨ ଲକ୍ଷ ଟଙ୍କାର ସୁପର୍‌ ବାଇକ୍‌ ଚଳାଉଥିବା ଯୁବକଙ୍କ ମୃତ୍ୟୁର କାରଣ ସାଜିଲା

ଜୟପୁର: ବାଇକ୍‌ ଦୁର୍ଘଟଣା କ୍ଷେତ୍ରରେ ହେଲ୍‌ମେଟ୍‌କୁ ଆପଣ ଜୀବନ ଓ ମୃତ୍ୟୁ ମଝିର ବ୍ୟବଧାନ ଭାବିପାରନ୍ତି। ଅଧିକାଂଶ ସମୟରେ ହେଲ୍‌ମେଟ୍‌ ନପିନ୍ଧିବା ବାଇକ୍‌ ଆରୋହୀଙ୍କ ପାଇଁ ମହଙ୍ଗା ପଡ଼ିଯାଏ। ମାତ୍ର ଜୟପୁରରେ ଘଟିଯାଇଛି ଏକ ନିଆରା ଘଟଣା। ଯେଉଁଠି ଗୁରୁବାର ଜୟପୁରର ୩୪ ବର୍ଷିଅ ଯୁବକଙ୍କ ଜୀବନ ଯିବାର କାରଣ ପାଲଟିଛି ହେଲ୍‌ମେଟ୍‌। ତେବେ, ତାହା କୌଣସି ସାଧାରଣ ହେଲ୍‌ମେଟ୍‌ ନଥିଲା। ହେଲ୍‌ମେଟ୍‌ଟିର ଦାମ ୫୦,୦୦୦ ଟଙ୍କା।

ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ଜଣକ ହେଉଛନ୍ତି ରୋହିତ ସିଂହ ଶେଖାଓ୍ଵତ। ସେ ତାଙ୍କର ୨୨ ଲକ୍ଷ ଟଙ୍କାର କାଓ୍ଵାସାକି ସୁପର୍‌ ବାଇକ୍‌ ଚଳାଉଥିବା ବେଳ ହଠାତ କେହି ଜଣେ ତାଙ୍କ ଗାଡ଼ି ସାମ୍ନାକୁ ଚାଲି ଆସିଥିଲା। ଗାଡ଼ି ସାମ୍ନାକୁ ଚାଲି ଆସିଥିବା ସେହି ବ୍ୟକ୍ତି ଜଣଙ୍କୁ ବଞ୍ଚାଇବା ପାଇଁ ରୋହିତ ଗାଡ଼ିକୁ ହଠାତ ମୋଡ଼ି ଦେଇଥିଲେ। ଫଳରେ ସେ ଭାରସାମ୍ୟ ହରାଇ ତଳେ ପଡ଼ି ଯାଇଥିଲେ। ତଳେ ପଡ଼ିଯିବା ପରେ ହେଲ୍‌ମେଟ୍‌ର ଭଗ୍ନ ଅଂଶ ତାଙ୍କ ମୁଣ୍ଡରେ ପଶି ଯାଇଥିଲା। ସେ ୧୫ ମିନିଟ୍‌ ପର୍ଯ୍ୟନ୍ତ ରାସ୍ତାରେ ପଡ଼ି ରହିବା ପରେ ତାଙ୍କୁ ହସ୍ପିଟାଲ୍‌କୁ ନିଆଯାଇଥିଲା। ଡାକ୍ତରମାନେ ଚେଷ୍ଟା କରି ମଧ୍ୟ ରୋହିତଙ୍କ ମୁଣ୍ଡରୁ ହେଲ୍‌ମେଟ୍‌ କାଢ଼ି ପାରିଲେ ନାହିଁ। ଅତିରିକ୍ତ ରକ୍ତ ସ୍ରାବ ହେତୁ ତାଙ୍କୁ ବଞ୍ଚାଇ ରଖିବା ଅସମ୍ଭବ ହୋଇପଡ଼ିଲା।

ପୁଲିସ୍‌ ସୂଚନା ଦେଇଛି ଯେ, ଶେଖାଓ୍ଵତ୍‌ ଦୃତ ଗତିରେ ଗାଡ଼ି ଚଳାଉଥିଲେ। ଦୃତ ବେଗରେ ଗାଡ଼ି ଥିବାରୁ ରୋହିତ ତାହାକୁ ଆୟତ୍ତ କରିନପାରିବାରୁ ଏପରି ଦୁର୍ଘଟଣାର ଶିକାର ହେବାକୁ ପଡ଼ିଥିଲା।

ସମ୍ବନ୍ଧିତ ଖବର