ବାହାଓ୍ଵାଲ୍‌ପୁରରେ ପୁଣି ଦେଖା ଦେଲା ଜୈଶ୍‌ ମୁଖ୍ୟ ମାସୁଦ ଆଝାର; କହିଲା ୧୭ ବର୍ଷ ହେବ ଡାକ୍ତରଖାନା ଯାଇନି

ନୂଆଦିଲ୍ଲୀ: ଜୈଶ୍‌-ଏ-ମହମ୍ମଦ୍‌ର ମୁଖ୍ୟ ମାସୁଦ ଆଝାର ପୁଣି ଥରେ ସକ୍ରିୟ ହୋଇ ଉଠିଛି ଏବଂ ଭାରତରେ ଅଧିକ ଆକ୍ରମଣ କରିବା ଲାଗି ଯୋଜନା କରୁଛି।

ଗୁଇନ୍ଦା ରିପୋର୍ଟରୁ ଜଣାପଡ଼ିଛି ଯେ ନିକଟରେ ଜୈଶ୍‌ ମୁଖ୍ୟ ପୁଣି ଥରେ ପାକିସ୍ତାନର ବାହାଓ୍ଵାଲ୍‌ପୁରରେ ଦେଖା ଦେଇଥିଲା ଏବଂ ନିଷିଦ୍ଧ ଆତଙ୍କବାଦୀ ସଙ୍ଗଠନଗୁଡ଼ିକର ବଡ଼ ବଡ଼ କମାଣ୍ଡରମାନଙ୍କ ସହ ସଭା କରିଥିଲା। କହିବା ମାତ୍ରେ ସ୍ୱଳ୍ପ ସମୟ ମଧ୍ୟରେ ଭାରତରେ ଆକ୍ରମଣ କରିବାକୁ ଉତ୍ତମ ତାଲିମପ୍ରାପ୍ତ ଆତଙ୍କବାଦୀମାନଙ୍କୁ ଚୟନ କରିବାକୁ ଆଝାର ଜୈଶ୍‌ର ବଡ଼ ବଡ଼ କମାଣ୍ଡର୍‌ମାନଙ୍କୁ କହିଛି।

ଗୁଇନ୍ଦା ରିପୋର୍ଟରେ ଆହୁରି କୁହାଯାଇଛି କି, ସଭାରେ ଆଝାର କହିଲା କି, ସେ ସୁସ୍ଥ ଅଛି, ଗତ ୧୭ ବର୍ଷ ହେବ ସେ ଡାକ୍ତରଖାନା ଯାଇନି କି, କୌଣସି ଡାକ୍ତରଙ୍କ ପାଖକୁ ବି ଯାଇନାହିଁ।

ଆଝାରର ଏ ଭଳି ଦାବିରୁ ପାକିସ୍ତାନର ମିଛ ପୁଣି ଥରେ ଧରାପଡ଼ିଛି।

ଫେବ୍ରୁଆରି ୧୪, ୨୦୧୯ ପୁଲ୍‌ଓ୍ଵାମା ଆକ୍ରମଣ ପରେ ପାକିସ୍ତାନୀ ବୈଦେଶିକ ମନ୍ତ୍ରୀ ଶାହା ମାହମୁଦ୍‌ କୁରେଶି କହିଥିଲେ ଆଝାର ଅସୁସ୍ଥ। ସେ ଏତେ ଅସୁସ୍ଥ ଯେ ଘରୁ ବାହାରି ପାରୁ ନାହିଁ। କେତେକ ଗଣମାଧ୍ୟମ ମଧ୍ୟ ରିପୋର୍ଟ କରିଥିଲେ କି, ଆଝାରର ବୃକ୍କ କାମ କରୁ ନାହିିଁ ଏବଂ ସେ ରାଓ୍ଵଲପିଣ୍ଡିସ୍ଥିତ ଏକ ସେନା ଡାକ୍ତରଖାନାରେ ଚିକିତ୍ସିତ ହେଉଛି।

ସମ୍ବନ୍ଧିତ ଖବର