ସଂସଦରେ ମୋଦିଙ୍କ ସହ ହ୍ୟାଣ୍ଡସେକ କରିବାକୁ ପଛାଇଲେ ଜେଟଲୀ! ହେଲେ କାହିଁକି?

ନୂଆଦିଲ୍ଲୀ: ମାହୋଲ ଥିଲା ରାଜ୍ୟସଭା ଉପାଧ୍ୟକ୍ଷ ର୍ନିବାଚନର ର୍ନିଣ୍ଣାୟକ ଦିନ। ଏହି ଦିନ ସଂସଦରେ ଏକ ମହତ୍ୱପୂର୍ଣ୍ଣ ଦିନ ଥିଲା। କାରଣ ବିଜେପି ରାଜ୍ୟସଭା ଉପାଧ୍ୟକ୍ଷ ପ୍ରାର୍ଥୀ ହରିବଂଶ ନାରାୟଣ ସିଂ ବିଜୟ ଲାଭ କରିଛନ୍ତି। ଏହି ଅବସରରେ ସଂସଦରେ ଦେଖିବାକୁ ମିଳିଛି ଏକ ରୋଚକ ଘଟଣା। ବିଜୟୀ ହରିବଂଶ ନାରାୟଣ ସିଂଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ବିଜେପି ନେତୃବୃନ୍ଦ ଏକାଠି ହୋଇଥିଲେ। ଦୀର୍ଘ ତିନିମାସ ବିଶ୍ରାମ ପରେ କେନ୍ଦ୍ର ମନ୍ତ୍ରୀ ଅରୁଣ ଜେଟଲୀ ମଧ୍ୟ ସଂସଦରେ ପହଞ୍ଚିଥିଲେ। ହରିବଂଶଙ୍କୁ ଅଭିନନ୍ଦନ ଜଣାଇବା ସହ ବିଜେପି ସୁପ୍ରିମୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅରୁଣ ଜେଟଲୀଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇବା ପାଇଁ ହାତ ବଢାଇଥିଲେ। କିନ୍ତୁ କାହିଁକି କେଜାଣି ବିଜେପି ମୁଖିଆ ନରେନ୍ଦ୍ର ମୋଦିଙ୍କୁ ମୁହଁ ମୋଡି ଦେଲେ ଅରୁଣ ଜେଟଲୀ !

ସୂଚନା ମୁତାବକ, ଅରୁଣ ଜେଟଲୀଙ୍କ କିଡୀନ୍‌ ଅପରେସନ ଗତ କିଛିଦିନ ତଳେ ହୋଇଥିବା କାରଣରୁ ଡାକ୍ତର ନିଜର ସ୍ୱାସ୍ଥ୍ୟ ଅବସ୍ଥା ଉପରେ ଧ୍ୟାନ ରଖିବା ପାଇଁ ପରାମର୍ଶ ଦେବା ସହ ଲୋକମାନଙ୍କ ସହ ଅଧିକ ମିଳାମିଶା କରିବା ପାଇଁ ମନା କରିଦେଇଥିଲେ। କେବଳ ଏହି କାରଣ ପାଇଁ ଜେଟଲୀ ପ୍ରାୟ ତିନିମାସ ଯାଏ ଘରେ ବିଶ୍ରାମ ନେଉଥିଲେ। ଏପରିକି ଅର୍ଥମନ୍ତ୍ରାଳୟ ଦାୟିତ୍ୱ ମଧ୍ୟ ରେଳ ମନ୍ତ୍ରୀ ପିୟୁଷ ଗୋୟଲ ସମ୍ଭାଳୁଥିଲେ।

ସଂସଦରେ ଅରୁଣ ଜେଟଲୀ ଯୋଗ ଦେବା ପରେ ତାଙ୍କ ସହ କୌଣସି ବି ବ୍ୟକ୍ତି ବେଶି ମିଳାମିଶା ନକରିବା ପାଇଁ ରାଜ୍ୟସଭାର ସଭାପତି ଭେଙ୍କେୟା ନାଇଡୁ ଚେତାବନୀ ଦେଇଥିଲେ। ସେ କହିଥିଲେ ଅରୁଣ ଜେଟଲୀଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଧିରେ ଧିରେ ସୁଧାର ହେବାକୁ ଲାଗିଛି। ତେଣୁ ଡାକ୍ତରଙ୍କ କହିବା ଅନୁସାରେ ତାଙ୍କ ସହ କେହି ମିଳାମିଶା କରିବେ ନାହିଁ। ଏନଡିଏର କ୍ଷମତାଶୀଳ ନେତାମାନଙ୍କୁ ଛାଡି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ପୂର୍ବ ରକ୍ଷା ମନ୍ତ୍ରୀ ଏକେ ଆଣ୍ଟୋନି ଭଳି ବିପକ୍ଷ ଦଳର ବରିଷ୍ଠ ନେତାମାନେ ମଧ୍ୟ ଡେକ୍ସକୁ ଥାପୁଡାଇ ଜେଟଲୀଙ୍କୁ ଅଭିନନ୍ଦନ ଜଣାଇଥିଲେ।

ସମ୍ବନ୍ଧିତ ଖବର