ପରିଚୟ ହରାଇଲାଣି ଜାଲିଆନାୱାଲା ବାଗ୍‌

୧୩ରେ ନରସଂହାରକୁ ଶହେବର୍ଷ

0

ଅମୃତସର: ବ୍ରିଟିସ ବର୍ବରତା ଓ ନରସଂହାରର ସାକ୍ଷୀ ହେଉଛି ପଞ୍ଜାବ ଅମୃତସର ସହରର ଜାଲିଆନାୱାଲା ବାଗ୍‌‌। ଭୁଲି ହେବନି ୧୯୧୯ ମସିହା ଏପ୍ରିଲ ୧୩ ତାରିଖ ରବିବାର। ଜାତୀୟତାବାଦୀ ନେତା ସତ୍ୟପାଲ୍ ଏବଂ ‌ସୈଫୁଦ୍ଦିନ କିଚ୍‌ଲୁଙ୍କ ଗିରଫକୁ ବିରୋଧ କରି ବହୁସଂଖ୍ୟାରେ ଲୋକ ଏକାଠି ହୋଇଥିଲେ ଏହି ଛୋଟ ବାଗରେ। ଏହାକୁ ଦମନ କରିବା ପାଇଁ ସେଠାରେ ପହଂଚିଯାଇଥିଲେ ବ୍ରିଟିସ ସେନାର ଜେନେର‌ାଲ ରେଗିନାଡ୍ଡ ଡାୟର। ସାଙ୍ଗରେ‌ ଥିଲେ ଶିଖ୍, ଗୁରଖା, ବାଲୁୁଚି ଏବଂ ରାଜପୁତ ରେଜିମେଣ୍ଟର ଶତାଧିକ ସୈନ୍ୟ। ମୁଖ୍ୟ ଫାଟକ ଦେଇ ‌ଡାୟର ପ୍ରବେଶ କରିଥି‌େଲ ବାଗ୍‌ ଭିତରକୁ। ଉପସ୍ଥିତ ଲୋକମାନଙ୍କ ଉପରକୁ ଆଖିବୁଜା ଗୁଳି କରିବାକୁ ନିର୍ଦେଶ ଦେଇଥିଲେ। ସୈନ୍ୟମାନେ ୧୦ ମିନିଟ୍ ଧରି ୧୬୫୦ ରାଉଣ୍ଡ ଗୁଳି କରିଥିଲେ। ଏଥିରେ ଟଳି ପଡ଼ିଥିଲେ ଏକ ହଜାରରୁ ଅଧିକ ଲୋକ ଏବଂ ୧୫୦୦ରୁ ଅଧିକ ଲୋକ ଆହତ ହୋଇଥିଲେ।
ଜେନେରାଲ ଡାୟାରଙ୍କ ଏହି ନରସଂହାର ଭାରତୀମାନଙ୍କ ମଧ୍ୟରେ ନିଆଁ ଲଗାଇ ଦେଇଥିଲା। ଏହା ପରେ ଦେଶରେ ବ୍ରିଟିସ ସରକାର ବିରୋଧରେ ଆରମ୍ଭ ହୋଇଯାଇଥିଲା ଅସହଯୋଗ ଆନ୍ଦୋଳନ ଏବଂ ସ୍ବାଧୀନତା ସଂଗ୍ରାମକୁ ମଧ୍ୟ ଏହା ତୀବ୍ର କରିବା ଲାଗି ବଳ ଯୋଗାଇଥିଲା।
ଆଉ ୩ ଦିନ ପରେ ଏପ୍ରିଲ ୧୩ । ଜାଲିଆନାୱାଲା ବାଗ ନରସଂହାରକୁ ପୂରିବ ଶହେ ବର୍ଷ। କିନ୍ତୁ ଏଭଳି ଐତିହାସିକ ଗୁରୁତ୍ବ ବହନ କରୁଥିବା ଜାଲିଆନାୱାଲା ବାଗର ଚିତ୍ର ଏବେ ବଦଳି ଗଲାଣି। ସମୟ ବଦଳିବା ସହିତ ଏହି ସ୍ଥାନର ଭୂଗୋଳକୁ ବିଭିନ୍ନ ସରକାର ବଦଳାଇ ଦେଇଛନ୍ତି। ଫଳରେ ଜାଲିଆନାୱାଲା ବାଗ ବା ବଗିଚାରୁ ଇତିହାସର ସେହି ବର୍ବର ଘଟଣା ସମ୍ପର୍କରେ ଏବେ ଜାଣିବା ସହଜ ହେଉନାହିଁ। ଭବିଷ୍ୟତ ପିଢ଼ି ଏହି ନରସଂହାର ବିଷୟରେ କେବଳ ବହିରୁ ପଢ଼ି ଯାହା ଜାଣିବାକୁ ପାଇବେ ସିନା ଆଖିରେ ଦେଖିଲେ ସେଦିନର ସେହି ଘଟଣାକୁ ବୁଝିବା ସହଜ ହେବନାହିଁ । ଏହାକୁ ନେଇ ପୁରୁଖା ବ୍ୟକ୍ତିଙ୍କ ମନରେ କ୍ଷୋଭ ଜାତ ହେଲାଣି।
ପଞ୍ଜାବର ପୂର୍ବତନ ମନ୍ତ୍ରୀ ଦରବାରୀ ଲାଲ ଏବଂ ପରିବେଶବିତ୍ ପ୍ରକାଶ ସିଂହ ଭଟ୍ଟି ଦେଶ ବିଭାଜନ ହେବା ପୂର୍ବରୁ ସେମାନେ ଏହି ସ୍ଥାନକୁ ଦେଖିଛନ୍ତି। କିନ୍ତୁ ବିଭିନ୍ନ ସରକାର ଏଭଳି ଏକ ଐତିହାସିକ ସ୍ଥଳୀର ଐତିହାସିକ ମୂଲ୍ୟବୋଧକୁ ସାଇତି ରଖିବାରେ ବିଫଳ ହୋଇଛନ୍ତି ବୋଲି କହିଛନ୍ତି। ୮୦ ବର୍ଷରୁ ଊର୍ଧ୍ବ ବୟସରେ ପଦାର୍ପଣ କରିଥିବା ପୂର୍ବତନ ମନ୍ତ୍ରୀ ଶ୍ରୀ ଲାଲ କୁହନ୍ତି, ଜାଲିଆନାୱାଲା ବାଗ୍ ହେଉଛି ସ୍ବର୍ଣ୍ଣ ମନ୍ଦିରର ନିକଟସ୍ଥ ଏକମାତ୍ର ଖୋଲାସ୍ଥାନ। ସେଠାକୁ ଆସୁଥିବା ଲୋକମାନେ ସେହି ସମୟରେ ସେଠାରେ ହିଁ ଏକତ୍ର ହେଉଥିଲେ। ପୂର୍ବେ ଜାଲିଆନାୱାଲା ବାଗ୍ ଯେଭଳି ଦେଖାଯାଉଥିଲା ଏବେ ତାହା ନାହିଁ। ସମୟ ସହିତ ସବୁକିଛି ବଦଳି ଯାଇଛି। କିନ୍ତୁ ଜାଲିଆନାୱାଲା ବାଗ୍ ସହିତ ବହୁତ ବଡ଼ ଇତିହାସ ଜଡ଼ିତ ଥିବାରୁ କେବଳ ପରିବର୍ତ୍ତନ ପାଇଁ ଏହାକୁ ପରିବର୍ତ୍ତନ କରାଯିବା ଉଚିତ ନୁହେଁ ବୋଲି ସେ ମତ ଦେଇଛନ୍ତି। ୭୪ ବର୍ଷୀୟ ପରିବେଶବିତ୍ ଶ୍ରୀ ଭଟ୍ଟି କୁହନ୍ତି, ସ୍ବର୍ଣ୍ଣ ମନ୍ଦିର ନିକଟରେ ଜାଲିଆନାୱାଲା ବାଗ ଗୋଟିଏ ମାତ୍ର ଖୋଲାସ୍ଥାନ ଥିଲା। ସ୍ବର୍ଣ୍ଣ ମନ୍ଦିର ବୁଲିସାରିବା ପରେ ଏଠାରେ ଲୋକମାନେ କିଛି ସମୟ ବସୁଥିଲେ ଏବଂ ବିଶ୍ରାମ କରୁଥିଲେ। ଶ୍ରୀ ଲାଲ କୁହନ୍ତି, ଏହି ସ୍ଥାନକୁ କେବଳ ଏକ ସ୍ମାରକୀ ଭାବେ ସଂରକ୍ଷିତ ରଖାଯାଇନାହିଁ, ଏହି ସ୍ଥାନ ସେହି ସମୟର ଇତିହାସକୁ ମଧ୍ୟ ବଖାଣିବା ଆବଶ୍ୟକ। ସେ କୁହନ୍ତି, ବଗିଚାକୁ ଏବେ ଯଦି କେହି ବୁଲିବାକୁ ଆସେ ତାହେଲେ ୧୯୧୯ ମସିହାର ସେହି ବୈଶାଖୀ ଦିନରେ କଣ ହୋଇଥିଲା ତାହା ତା ପାଇଁ ଅନୁମାନ କରିବା ମଧ୍ୟ କଷ୍ଟକର ହୋଇପଡ଼ିବ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.