ସାମ୍ବାଦିକ ଜମାଲ ଖାସୋଗୀଙ୍କୁ ସାଉଦି କନ୍‌ସୁଲେଟ୍‌ ମଧ୍ୟରେ ଖଣ୍ଡ ଖଣ୍ଡ କରି କାଟି ହତ୍ୟା କରା ଯାଇଥିଲା; ତୁର୍କୀ ସରକାରୀ ଓକିଲ

ଇସ୍ତାନବୁଲ୍‌: ସାଉଦି ଆରବର ସାମ୍ବାଦିକ ଜମାଲ ଖାସୋଗୀଙ୍କ ହତ୍ୟା ଘଟଣାକୁ କେନ୍ଦ୍ରକରି ବିଶ୍ୱବ୍ୟାପି ପ୍ରତିକ୍ରିୟା ସୃଷ୍ଟି ହୋଇଥିବା ବେଳେ ଆଜି ଏସଂପର୍କିତ ଏକ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ତୁର୍କୀର ସରକାରୀ ଓକିଲ ଆଜି ସନ୍ଧ୍ୟାରେ କହିଛନ୍ତି ଯେ ଆମେରିକାର ଓ୍ଵାଶିଂଟନ୍‌ ପୋଷ୍ଟ ପାଇଁ ସାମ୍ବାଦିକତା କରୁଥିବା ୫୯ ବର୍ଷ ବୟସ୍କ ଜମାଲ ଖାସୋଗୀ ସାୁଦି ଆରବର ବୈଦେଶିକ କାର୍ଯ୍ୟାଳୟ (କନଉସୁଲେଟ୍‌) ମଧ୍ୟରେ ପ୍ରବେଶ କରିବା ପରେ ତାଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି କଟାଯାଇ ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରା ଯାଇଥିଲା।

ସାମ୍ବାଦିକ ଜମାଲ ଖାସୋଗୀଙ୍କ ହତ୍ୟା ରହସ୍ୟର ଉନ୍ମୋଚନ ପାଇଁ ରିୟାଦ ଉପରେ ସମଗ୍ର ବିଶ୍ୱରୁ ପ୍ରବଳ ଚାପ ପଡ଼ିବା ପରେ ସାଉଦି ଆରବ ଏହି ହତ୍ୟା ଘଟଣାର ତଦନ୍ତରେ ସହଯୋଗ କରିବ ବୋଲି ଘୋଷଣା କରିଥିଲା। ତେବେ, ସାଉଦି ଆରବର ଏପ୍ରକାରର ଆଚରଣରେ ସନ୍ଦେହ ପ୍ରକଟ କରିଥିଲା ତୁର୍କୀ। କାରଣ, ସାଉଦି ଆରବର କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ୍‌ଙ୍କ ବିରୋଧରେ ଲେଖୁଥିବା କାରଣରୁ ସାମ୍ବାଦିକ ଜମାଲ ଖାସୋଗୀଙ୍କୁ କନ୍‌ସୁଲେଟ୍‌ ମଧ୍ୟରେ ହତ୍ୟା କରାଯାଇଥିବା ନେଇ ତୁର୍କୀ ନିକଟରେ ଠୋସ୍‌ ପ୍ରମାଣ ରହିଥିଲା। ତେଣୁ, ସାମ୍ବାଦିକ ଜମାଲ ଖାସୋଗୀଙ୍କୁ କନ୍‌ସୁଲେଟ୍‌ ମଧ୍ୟରେ ହତ୍ୟା କରାଯାଇଥିବା ସଂପର୍କରେ ତୁର୍କୀ ନିକଟରେ କି ଠୋସ୍‌ ପ୍ରମାଣ ମହଜୁଦ୍‌ ଅଛି, ତାହା ଜାଣିବା ପାଇଁ ସାଉଦି ଆରବ ଏପ୍ରକାରର ପ୍ରହସନ କରିବା ସହ ତାଙ୍କ ତଦନ୍ତ ମୁଖ୍ୟଙ୍କୁ ଇସ୍ତାନବୁଲ ପଠାଇଥିଲା ବୋଲି ଅଭିଯୋଗ କରିଛନ୍ତି ତୁର୍କୀର ସରକାରୀ ଓକିଲ।

ସମ୍ବନ୍ଧିତ ଖବର