ଅଯୋଧ୍ୟା ରାୟ: ସୁପ୍ରିମକୋର୍ଟରେ ଜମିଅତ ଉଲେମା-ଏ-ହିନ୍ଦ୍‌ର ପୁନର୍ବିଚାର ଆବେଦନ

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ଜନ୍ମଭୂମି-ବାବ୍ରି ମସ୍‌ଜିଦ୍ ଜମି ବିବାଦ ମାମଲାର ଚୂଡ଼ାନ୍ତ ରାୟ ବିରୋଧରେ ଜମିୟତ ଉଲେମା-ଏ-ହିନ୍ଦ୍‌ ନାମକ ଏକ ମୁସଲିମ୍ ସଙ୍ଗଠନ ଆଜି ସୁପ୍ରିମ କୋର୍ଟରେ ପୁନର୍ବିଚାର ଆବେଦନ ଦାଖଲ କରିଛି। ଜମିୟତ ଉଲେମା-ଏ-ହିନ୍ଦ୍‌ର ସଭାପତି ମୌଲାନା ସୟେଦ ଆସଦ ରଶିଦି ଏହି ମାମଲା ଦାଏର କରିଛନ୍ତି। ଗତମାସ ୯ ତାରିଖରେ ପ୍ରକାଶ ପାଇବା ପରେ ଆଜି ଏହା ବିରୋଧରେ ପ୍ରଥମ ରିଭ୍ୟୁ ପିଟିସନ୍ ଦାଖଲ ହୋଇଛି। ଆବେଦନକାରୀ ଦର୍ଶାଇଛନ୍ତି ଯେ, ରେକର୍ଡରେ ତ୍ରୁଟି ରହିଛି। ତେଣୁ ଭାରତୀୟ ସମ୍ବିଧାନର ୧୩୭ ଅନୁଯାୟୀ ଏହି ରାୟର ସମୀକ୍ଷା ଆବେଦନ କରାଯାଇଛି। ଆବେଦନରେ କୁହାଯାଇଛି, ସୁପ୍ରିମ କୋର୍ଟ ଉଭୟ ପକ୍ଷକୁ ଆଶ୍ବସ୍ତ କରିବା ପାଇଁ ଉଦ୍ୟମ କରିଛନ୍ତି। ଗୋଟିଏ ପଟେ ହିନ୍ଦୁ ପକ୍ଷର ବେଆଇନ କାର୍ଯ୍ୟକୁ କ୍ଷମା କରି ଦେଇଛନ୍ତି। ଅନ୍ୟପ‌ଟେ ମୁସଲିମ ପକ୍ଷକୁ ୫ ଏକରର ବିକଳ୍ପ ସ୍ଥାନ ପ୍ରଦାନ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହି ବିକଳ୍ପ ସ୍ଥାନ ପାଇଁ ମୁସଲିମ ପକ୍ଷରୁ ଆବେଦନ କିମ୍ବା ପ୍ରାର୍ଥନା କରାଯାଇ ନଥିଲା। ତେବେ ସେ ଏହା ମଧ୍ୟ କହିଛନ୍ତି, ପୁନର୍ବିଚାର ଆବେଦନରେ ସମ୍ପୂର୍ଣ୍ଣ ରାୟକୁ ଚାଲେଞ୍ଜ କରାଯାଇନାହିଁ। ୧୪ଟି ପ୍ରସଙ୍ଗକୁ ଚାଲେଞ୍ଜ କରାଇଯାଇଛି ବୋଲି ରଶିଦି କହିଛନ୍ତି। ପୂର୍ବରୁ ସର୍ବ ଭାରତୀୟ ପର୍ସନାଲ ଲ ବୋର୍ଡ ପକ୍ଷରୁ ଏହି ମାମଲାରେ ପୁନର୍ବିଚାର ଆବେଦନ ଦାଖଲ କରାଯିବ ବୋଲି ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର