ପାଞ୍ଚ ବିଚ୍ଛିନ୍ନତାବାଦୀ ନେତାଙ୍କ ନିରାପତ୍ତା ପ୍ରତ୍ୟାହାର କଲା ଜମ୍ମୁ ଓ କଶ୍ମୀର ପ୍ରଶାସନ

ଶ୍ରୀନଗର: ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ଘଟନାର ୪ ଦିନ ପରେ ରାଜ୍ୟର ପାଞ୍ଚ ଜଣ ବିଚ୍ଛିନ୍ନତାବାଦୀ ନେତାଙ୍କୁ ଯୋଗାଇ ଦିଆଯାଉଥିବା ସମସ୍ତ ନିରାପତ୍ତା ଓ ସରକାରୀ ସୁବିଧା ପ୍ରତ୍ୟାହାର କରି ନେବାକୁ ରବିବାର ଦିନ ଜମ୍ମୁ ଓ କଶ୍ମୀର ପ୍ରଶାସନ ଆଦେଶ ଦେଇଛି।

ମିର୍‌ଓ୍ଵାଜ୍‌ ଉମାର୍‌ ଫାରୁକ୍‌, ଅବ୍‌ଦୁଲ୍‌ ଗନି ଭଟ, ବିଲାଲ୍‌ ଲୋନ୍‌, ହାଶମି କୁରେଶି ଏବଂ ଶବିର ଶାହଙ୍କୁ ଯୋଗାଇ ଦିଆଯାଇଥିବା ନିରାପତ୍ତା ପ୍ରତ୍ୟାହାର କରିନେବାକୁ ଆଦେଶ ଦିଆଯାଇଛି। କିନ୍ତୁ, ଏଥିରେ ପାକିସ୍ତାନକୁ ସମର୍ଥନ କରୁଥିବା ବିଚ୍ଛିନ୍ନତାବାଦୀ ସୟେଦ୍‌ ଅଲି ଶାହା ଗୀଲାନିଙ୍କ କଥା ଉଲ୍ଲେଖ କରାଯାଇ ନାହିଁ।

ଆଦେଶ ଅନୁସାରେ, ରବିବାର ସନ୍ଧ୍ୟା ବେଳୁ ବିଚ୍ଛିନ୍ନତାବାଦୀଙ୍କୁ ଯୋଗାଇ ଦିଆଯାଇଥିବା ସମସ୍ତ ଯାନବାହନ ଓ ନିରାପତ୍ତା ପ୍ରତ୍ୟାହାର କରି ନିଆଯିବ।

କୌଣସି କାରଣ ଆଳରେ ବି ସେମାନଙ୍କୁ ବା ଅନ୍ୟ ବିଚ୍ଛିନ୍ନତାବାଦୀ ନେତାଙ୍କୁ ନିରାପତ୍ତା ବଳ ବା ସୁରକ୍ଷା ଯୋଗାଇ ଦିଆଯିବ ନାହିଁ। ଯଦି ସରକାରଙ୍କ ତରଫରୁ ସେମାନଙ୍କୁ କିଛି ସୁବିଧା ଯୋଗାଇ ଦିଆଯାଉଥାଏ, ତାହା ମଧ୍ୟ ପ୍ରତ୍ୟାହାର କରି ନିଆଯିବ।

ନିରାପତ୍ତା କିଂବା ସୁବିଧା ପାଉଥିବା ଅନ୍ୟ କୌଣସି ବିଚ୍ଛିନ୍ନତାବାଦୀ ନେତା ଅଛନ୍ତି କି, ନାହିଁ ପୁଲିସ ତାହା ସମୀକ୍ଷା କରି ତୁରନ୍ତ ପ୍ରତ୍ୟାହାର କରିବ।

ସମ୍ବନ୍ଧିତ ଖବର